ପୁରୀ: ମଞ୍ଚ ସଜ୍ଜା ସରିଥିଲା। ଆଉ କିଛି ସମୟ ପରେ ମଞ୍ଚସ୍ଥ ହୋଇଥାଆନ୍ତା ନାଟକ ‘ଆସ୍ଥା’। କିନ୍ତୁ କମେଡି ଚରିତ୍ରରେ ଦର୍ଶକଙ୍କୁ ହସେଇବା ପୂର୍ବରୁ ସବୁଦିନ ପାଇଁ କନ୍ଦେଇ ଚାଲିଗଲେ ଅଭିନେତା ଅୟସକାନ୍ତ ସ୍ବାଇଁ। ରିହର୍ସଲ୍ କରୁକରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଉପରେ ଟଳି ପଡ଼ି ପ୍ରାଣ ହରାଇଛନ୍ତି। ‘କରୋନା ଜେଜେ’ ଭୂମିକାରେ ଟିଭି ପରଦାରେ ନିଖୁଣ ଅଭିନୟ ଜାରି ରଖିଥିବା ଅୟସକାନ୍ତ ଅଚାନକ ଦୁନିଆ ରଙ୍ଗମଞ୍ଚରୁ ମାତ୍ର ୫୩ ବର୍ଷ ବୟସରେ ବିଦାୟ ନେଇଛନ୍ତି।
ରବିବାର ରଙ୍ଗଶାଳା ପକ୍ଷରୁ ୧୫ତମ ଜାତୀୟ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମନନ ନାଟ୍ୟ ସଂସ୍ଥା ପକ୍ଷରୁ ମଞ୍ଚସ୍ଥ ହେବାକୁ ଥିଲା ନାଟକ ‘ଆସ୍ଥା’। ନାଟକ ଆରମ୍ଭ ପୂର୍ବରୁ କିଛି ସମୟ ବୁଲି ମଞ୍ଚ ସଜ୍ଜା ଦେଖିଥିଲେ ଅୟସକାନ୍ତ। ରିହର୍ସଲ ଆରମ୍ଭ ହେବାରୁ ଆସି ନାଟ୍ୟ ଦଳ ସହ ସାମିଲ୍ ହୋଇଥିଲେ। ମଞ୍ଚ ଉପରେ ବସି ନାଟକର ସଂଳାପ ଉଚ୍ଚାରଣ କରୁଥାଆନ୍ତି। ହଠାତ କାଶିକାଶି ତଳେ ପଡ଼ିଗଲେ। ସାଥୀ କଳାକାର ଓ ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତା ସଙ୍ଗେ ସଙ୍ଗେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। କିନ୍ତୁ ସେତେବେଳକୁ ଅୟସଙ୍କ ଶରୀର ନିଷ୍ପ୍ରାଣ ହୋଇ ସାରିଥିଲା। ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ସାଥୀ କଳାକାରମାନେ ସ୍ତବ୍ଧ ହୋଇଯାଇଥିଲେ। ଅସୁସ୍ଥ ଥିଲେ ହେଁ ନାଟକର ନିଶା ତାଙ୍କୁ ଘରେ ଅଟକାଇ ପାରିନଥିଲା। ଶେଷରେ ସେ ନାଟକ କରିବାକୁ ସିନା ଆସିଲେ, କିନ୍ତୁ ରିହର୍ସଲରୁ ହିଁ ମଞ୍ଚରୁ ବିଦାୟ ନେଇଗଲେ।
ଭୁବନେଶ୍ବରରେ ରହୁଥିବା ଅୟସକାନ୍ତ ଶତାଧିକ ନାଟକରେ ଅଭିନୟ କରିବା ସହ ସହନିର୍ଦ୍ଦେଶକ ଭାବେ କାମ କରିଥିଲେ। ବିଭିନ୍ନ ଧାରାବାହିକରେ ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କ ମଧ୍ୟରେ ଛାପ ଛାଡ଼ିଥିଲା। ବିଶେଷ କରି କରୋନା ଜେଜେ ଭାବେ ତାଙ୍କ ଉଚ୍ଚକୋଟିର ଅଭିନୟ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଆଜି ମଞ୍ଚସ୍ଥ ହେବାକୁ ଥିବା ନାଟକରେ ମଧ୍ୟ ସେ ସହନିର୍ଦ୍ଦେଶକ ଦାୟିତ୍ବ ତୁଲାଇଥିଲେ। ନାଟକରେ ତାଙ୍କର ଚରିତ୍ର ଥିଲା ଚୋଠା ବୁଢ଼ା। ଚୋଠା ପଣ ଯୋଗୁ ନିଜ ପତ୍ନୀଙ୍କୁ ହରାଇବାର ଅଭିନୟ ମଞ୍ଚରେ କରିବା ପୂର୍ବରୁ ସେ ନିଜେ ବାଟ କାଟି ଆରପାରିକୁ ଚାଲିଗଲେ। ତାଙ୍କ ଆକସ୍ମିକ ନିଧନରେ କଳା ଜଗତର ବହୁ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/24/Zamlo44jxPTNBqqlSqlQ.jpg)