କୋର୍ଟ ଆସିଥିଲେ ସାଙ୍ଗ ହୋଇ, ଫେରିଲେ ଏକା, ସ୍ବାମୀଙ୍କୁ ୨୦ ବର୍ଷ ଜେଲ୍‌, ଭାଗ୍ୟକୁ ନିନ୍ଦିଲେ ପତ୍ନୀ

ନିଜ ଅଭିଯୋଗରେ ଭବିଷ୍ୟତ ଅନ୍ଧାର

ଅନୁଗୁଳ: ଯେତେବେଳେ ସେ ନାବାଳିକା ଥିଲେ ଯୁବକଙ୍କ ବିରୋଧରେ ଅାଣିଥିଲେ ଦୁଷ୍କର୍ମ ଅଭିଯୋଗ। ଆଉ ଆଜି ଅଦାଲତ ଯେତେବେଳେ ଏହି ଯୁବକଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଲେ, ସେତିକିବେଳେ କାନ୍ଦି କାନ୍ଦି ଗଡ଼ି ଯାଉଥିଲେ ଅଭିଯୋଗକାରିଣୀ। କାରଣ କୋର୍ଟର ଏହି ଆଦେଶ ତାଙ୍କ ସୁନାର ସଂସାରକୁ ଅନ୍ଧାର କରି ଦେଇଛି। ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି। ଏତେବଡ଼ ଦୁନିଆରେ ସେ ଏବେ ଏକା ହୋଇଯାଇଛନ୍ତି। ନିଜ ଅଭିଯୋଗ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିବାରୁ ଭାଗ୍ୟକୁ ନିନ୍ଦିବା ସହ ବାହୁନି ବାହୁନି କାନ୍ଦୁଛନ୍ତି।

ଏମିତି ଏକ ଅଭାବନୀୟ ଚିତ୍ର ଆଜି ଦେଖିବାକୁ ମିଳିଥିଲା ଅନୁଗୁଳ କୋର୍ଟରେ। ଜିଲ୍ଲା ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ସୋମବାର ଜଣେ ଯୁବକଙ୍କୁ ନାବାଳିକା ଦୁଷ୍କର୍ମ ଅଭି‌ଯୋଗରେ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କିନ୍ତୁ ଦୁଃଖର କଥା ଅଭିଯୋଗକାରିଣୀ ଓ ଅଭିଯୁକ୍ତ ଏବେ ସ୍ବାମୀ-ସ୍ତ୍ରୀ। ସୂଚନା ଅନୁସାରେ, ବାପ ମା’ ଛେଉଣ୍ଡ ଜଣେ ନାବାଳିକାଙ୍କୁ ବଅଁରପାଳ ଗାଁର ଗୋବର୍ଦ୍ଧନ ନାଏକ ଦୁଷ୍କର୍ମ କରିଥିଲେ। ନାବାଳିକା ଏ ନେଇ ବାହାରେ କହିଦେବ ବୋଲି କହିବାରୁ ଗୋବର୍ଦ୍ଧନ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ। କିଛି ବର୍ଷ ପରେ ଗୋବର୍ଦ୍ଧନ ନାବାଳିକାଙ୍କୁ ବିବାହ କରିବାକୁ ମନା କରିବାରୁ ନାବାଳିକାଙ୍କ ମାମୁ ୨୦୨୧ ଜାନୁଆରି ୧ରେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୁଲିସ କେସ୍‌ ନମ୍ବର ୩/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗୋବର୍ଦ୍ଧନଙ୍କ ବିରୋଧରେ ଆଇପିସିର ଧାରା ୩୭୬(୨)(ଏନ୍), ୪୧୭ ଓ ପୋକ୍‌ସୋ ଆଇନର ଧାରା ୬ ଲଗାଇଥିଲା। ପରେ ଅଭିଯୁକ୍ତ ଗୋବର୍ଦ୍ଧନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା।  ୨୦୨୧ ଅଗଷ୍ଟରେ ଗୋବର୍ଦ୍ଧନଙ୍କୁ ଜାମିନ୍‌ ମିଳିବା ପରେ ସେ ଜେଲ୍‌ରୁ ବାହାରିଥିଲେ। ଏହା ଭିତରେ ତାଙ୍କ ମନ ପରିବର୍ତ୍ତନ ହୋଇଯାଇଥିଲା। ନିଜ ଭୁଲ ପାଇଁ ସେ ପଶ୍ଚାତାପ କରିବା ସହ ପୀଡ଼ିତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ‌ନେଇଥିଲେ। ପୀଡ଼ିତା ମଧ୍ୟ ପୁରୁଣା କଥାକୁ ଭୁଲି ଗୋବର୍ଦ୍ଧନଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ଏ ଭିତରେ ନାବାଳିକା ଜଣଙ୍କ ସାବାଳିକା ହୋଇ ଯାଇଥିବାରୁ ଉଭୟ ଅନୁଗୁଳର ବୁଢ଼ୀ ଠାକୁରାଣୀ ମନ୍ଦିରରେ ବିବାହ କରିଥିଲେ। ପରେ ରେଜେଷ୍ଟ୍ରି ବିବ‌ାହ ମଧ୍ୟ କରିଥିଲେ। ଏହା ପରେ ସେମାନେ ଏକାଠି ରହି ସୁଖର ସଂସା‌ର ଗଢ଼ିଥିଲେ।

କିନ୍ତୁ ଏହି ବୈବାହିକ ସୁଖ ସେମାନଙ୍କ ଭାଗ୍ୟରେ ବେଶି ଦିନ ନ ଥିଲା। ଗୋବର୍ଦ୍ଧନଙ୍କ ବିରୋଧରେ ଚାଲିଥିବା ମାମଲାର ବିଚାର ଅନୁଗୁଳ ଜିଲ୍ଲା ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ଚାଲୁଥିଲା। ବିଚାରପତି ପି.ଆର. ବହିଦାର ଏହି ମାମଲାରେ ୨୩ ଜଣଙ୍କ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ଗୋବର୍ଦ୍ଧନ ନାଏକ(୨୫)ଙ୍କୁ ଆଜି ୨୦ ବର୍ଷ ସଶ୍ରମ  କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପି.ପି. ସୁଶାନ୍ତ କୁମାର ମିଶ୍ର ମାମଲା ଏହି ମାମଲାକୁ ପରିଚାଳନା କରୁଥିଲେ।

ଅଦାଲତଙ୍କ ଏହି ରାୟ ପରେ ବଦଳିଯାଇଛି ଯୁବତୀଙ୍କ ଜୀବନ। ଆଗରୁ ବାପା ଓ ମା’ଙ୍କୁ ହରାଇଥିଲାବେଳେ ଆଜି ସ୍ବାମୀ ଜେଲ୍‌କୁ ଯାଇଛନ୍ତି। ୨୦ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିବାରୁ କେବେ ଫେରିବେ ଜଣାନାହିଁ। ତେଣୁ ପୁଣି ଏକା ହୋଇଯାଇଛନ୍ତି ଯୁବତୀ। ଆଜି ଅଦାଲତଙ୍କ ଆଦେଶ ଶୁଣି କଇଁ କଇଁ ହୋଇ କାନ୍ଦି ପକାଇଥିଲେ। ତାଙ୍କୁ ଛାଡ଼ି ନ ଯିବା ପାଇଁ ସ୍ବାମୀଙ୍କ ନିକଟରେ ନେହୁରା ହୋଇଥିଲା। କିନ୍ତୁ ଆଇନ କାନୁନ୍‌ ଆଗରେ ଏହି ଭାବପ୍ରବଣତାର ମୂଲ୍ୟ କିଛି ନ ଥିଲା। ସକାଳେ ସାଙ୍ଗ ହୋ‌ଇ ଦୁହେଁ ଘରୁ ଆସିଥିଲେ ମଧ୍ୟ ଏକଲା ଘରକୁ ଫେରିଥିଲେ ଯୁବତୀ। ଆଉ ଫେରିଲାବେଳକୁ ନିଜ ଉପରେ ଦୋଷ ଲଦୁଥିଲେ। ତେବେ ଗୋବର୍ଦ୍ଧନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସୁଶାନ୍ତ ଶେଖର ମହାପାତ୍ର କହିଛନ୍ତି ଯେ ପୋକ୍‌ସୋ ମାମଲା ହୋଇଥିବାରୁ ଅଦାଲତ ଏମିତି ରାୟ ଶୁଣାଇଛନ୍ତି। ତେବେ ଏହା ବିରୋଧରେ ସେ ହାଇକୋର୍ଟରେ ଆବେଦନ କରିବେ।

ସମ୍ବନ୍ଧିତ ଖବର