କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣା: ଏ ନେତା, ଅଫିସର କିଏ? ଶର୍ମିଷ୍ଠାଙ୍କ ମାୟାଜାଲରେ ଫସିଥିଲେ!

ଗୁମର ଖୋଲିବା ଭୟରେ ଶର୍ମିଷ୍ଠାଙ୍କୁ ନିଖୋଜ କରିଦେଲେ କି?

ଅଶ୍ଳୀଳ ଭିଡିଓ କ୍ଲିପିଂ ପାଇଁ ମାନସଙ୍କୁ ହତ୍ୟା!
ଆଉ ଜଣେ ରହସ୍ୟମୟୀ ମହିଳା ବି ନିଖୋଜ

ଭୁବନେଶ୍ୱର : କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ପଛର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ସମାଜସେବିକା ତଥା ସାମ୍ବାଦିକା ଶର୍ମିଷ୍ଠା ରାଉତଙ୍କର ଏଯାଏ ପତ୍ତା ମିଳୁନି। ଏପଟେ କ୍ଷମତା କରିଡରରେ ଅତ୍ୟନ୍ତ ପ୍ରଭାବଶାଳୀ ଏହି ମହିଳାଙ୍କ ରାଜନେତା ଓ ଅଫିସରଙ୍କ ସହ ସଂପର୍କ ନେଇ କ୍ରମଶଃ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବିଭିନ୍ନ ଦଳର ଭିନ୍ନ ଭିନ୍ନ ନେତାଙ୍କ ସହିତ ତାଙ୍କର ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଲାଣି। କାହାକୁ ବ୍ୟବହାର କରି ଶର୍ମିଷ୍ଠା ଏତେ ପ୍ରଭାବଶାଳୀ ହୋଇଥିଲେ ଓ କ୍ଷମତା କରିଡରରେ ତାଙ୍କର ଦବ୍‌ଦବା ବଢ଼ିଥିଲା ତାହାକୁ ନେଇ ଆଲୋଡ଼ନ ସୃଷ୍ଟି ହେଲାଣି। ସବୁଠାରୁ ବଡ଼ କଥା ହେଲା, ଯେହେତୁ ମାନସ ସ୍ବାଇଁ ମୃତ୍ୟୁ ସହିତ ଅଶ୍ଳୀଳ ଭିଡ଼ିଓ ସୁଟିଂ କଥାଟି ସାମ୍ନାକୁ ଆସୁଛି; ଏଣୁ ଘଟଣାର ଗୁରୁତ୍ବ ବହୁଗୁଣିତ ହୋଇଛି। ବଡ଼ବଡ଼ିଆଙ୍କର ଯଦି ପ୍ରତ୍ୟକ୍ଷ ଏଥିରେ ସଂପୃକ୍ତି ରହିଥିବ, ତେବେ ଏହି ପ୍ରସଙ୍ଗଟି ଭୀଷଣ ରୂପ ନେଇପାରେ।

ତେବେ ଏତେ ସମ୍ବେଦନଶୀଳ ମାମଲାରେ କମିସନରେଟ୍ ପୁଲିସ ଦାୟିତ୍ବ ଝାଡ଼ି ଦେବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଚାନ୍ଦବାଲି ପୁଲିସ ତିନିଟି ସ୍କ୍ବାଡ୍ ଗଠନ କରି ତନାଘନା ଜାରି ରଖିଛି ଓ କମିସନରେଟ୍ ପୁଲିସ ତଦନ୍ତରେ ସହଯୋଗ କରୁଥିବା କହୁଛି। ହେଲେ ଏହି ପ୍ରସଙ୍ଗଟିରେ ରାଜନେତା ଓ ଅଫିସରଙ୍କ ଭୂମିକା ଥାଇପାରେ ବୋଲି ସନ୍ଦେହ ବଢୁଥିବାରୁ ରାଜ୍ୟ ସରକାର ସ୍ବତନ୍ତ୍ର ଟିମ୍ କରି ଏହାର ଅନୁସନ୍ଧାନ କରିବା ଦରକାର ବୋଲି ପୂର୍ବତନ ପୁଲିସ ଅଧିକାରୀମାନେ ମତ ରଖୁଛନ୍ତି। ଅନ୍ୟଥା ଶର୍ମିଷ୍ଠା ମିଳିଯାଇପାରନ୍ତି କିନ୍ତୁ ଏହି ବଡ଼ବଡ଼ିଆଙ୍କ ନିକଟରେ ଚାନ୍ଦବାଲି ପୁଲିସ ପହଞ୍ଚିପାରିବା କଷ୍ଟ।

ଅନ୍ୟପକ୍ଷରେ ଶର୍ମିଷ୍ଠା ଏଯାଏ ନିଖୋଜ ଥିବା ବେଳେ ଯେଉଁ ରହସ୍ୟମୟୀ ମହିଳାଙ୍କ ସଂପର୍କରେ ଆଜି ‘ସମ୍ବାଦ’ରେ ଉଲ୍ଲେଖ କରାଯାଇଥିଲା, ତାଙ୍କର ପରିଚୟ ଜଣାପଡ଼ିଛି। ଭୁବନେଶ୍ବର ଏୟାରଫିଲ୍‌ଡ ଥାନା ଅଞ୍ଚଳର ଅରୁଣ କୁମାର ଭୋଇ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଝୁନା ଗତ ୭ ତାରିଖରୁ ନିଖୋଜ ଅଛନ୍ତି। ସେଦିନ ସକାଳେ ଶର୍ମିଷ୍ଠା ତାଙ୍କ ସ୍ତ୍ରୀକୁ ଘରୁ ଡାକି ନେଇ ଯାଇଛନ୍ତି। ଚାନ୍ଦବାଲି ନେଇ ଯାଇଥିବା କହି କୁଆଡେ ଗଲେ ଯେ ଆଜି ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳୁନି। ତାଙ୍କ ପତ୍ନୀ ଦୟାଲ ଆଶ୍ରମ ଯାଆନ୍ତି। ଏବେ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ରହିଛି। ଏପରିକି ସେମା‌େନ ଯିବା ପୂର୍ବରୁ କୌଣସି ଚିପ୍ସ ପ୍ରସଙ୍ଗରେ କଥା ହେଉଥିବା ସେ ଶୁଣିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଏହି ମହିଳାଙ୍କୁ ଶର୍ମିଷ୍ଠା କେଉଁ କାମରେ ଲଗାଇଥିଲେ? ଶର୍ମିଷ୍ଠା ତାଙ୍କୁ ସାଙ୍ଗରେ ନେଇ କୁଆଡେ ଗଲେ? ଏବେ ସଂପୃକ୍ତ ମହିଳା ସୁରକ୍ଷିତ ଅଛନ୍ତି ତ? ଘଟଣା ସଂପର୍କରେ ସେ କିଛି ଜାଣିଥିଲେ କି? ଶର୍ମିଷ୍ଠା ବେଙ୍ଗାଲୁରୁରେ ଅଛନ୍ତି ନା କୌଣସି ବଡ଼ବଡ଼ିଆଙ୍କ ଛାଇ ତଳେ ଆଶ୍ରୟ ନେଇଛନ୍ତି? କୌଣସି ଫାର୍ମ ହାଉସରେ ଲୁଚିଛନ୍ତି କି?
ପୁଲିସ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ମାନସଙ୍କୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ଫେବ୍ରୁଆରି ମାସରୁ ନଜରରେ ରଖିଥିଲେ। ଏଥିରେ ମାନସଙ୍କ ଜଣେ ସହଯୋଗୀଙ୍କୁ ସେମାନେ ବ୍ୟବହାର କରୁଥିଲେ ଓ ଟିକିନିଖି ଖବର ରଖୁଥିଲେ। ଶେଷରେ ସଂପୃକ୍ତ ବ୍ୟକ୍ତିଙ୍କ ସୂଚନା ଆଧାରରେ ସେମାନେ ମାନସଙ୍କ ପାଖେ ପହଞ୍ଚିଥିଲେ ଓ ମୃତ୍ୟୁ ଯାଏ ତାକୁ ଟାଣି ନେଇଥିଲେ। ଅପରାଧ ସଂପର୍କରେ ଧୀରେ ଧୀରେ ପରଦା ଉଠୁଥିଲେ ହେଁ ବ୍ୟବହାର ହୋଇଥିବା ଅନ୍ୟ ଦୁଇଟି ଗାଡି ବାବଦରେ କିନ୍ତୁ ପୁଲିସ ତଥ୍ୟ ପାଇପାରିନାହିଁ। ଏହି ଦୁଇଟି ଗାଡି କାହାର ଥିଲା? କୌଣସି ବଡ଼ବଡ଼ିଆ ଯୋଗାଇ ଦେଇଥିଲେ କି? ସର୍ବୋପରି ସେହି ଚିପ୍‌ସରେ ଏମିତି କାହାର ଭିଡ଼ିଓ ବା ଫଟୋ ଥିଲା ଯେ ମାନସଙ୍କୁ ତାର ପରିଣାମରେ ମୃତ୍ୟୁ ଦଣ୍ଡ ମିଳିଲା?

ରାଜନୈତିକ ମହଲ ଏହି କାରଣରୁ ପ୍ରସଙ୍ଗକୁ ଭିନ୍ନ ଦୃଷ୍ଟିରୁ ଦେଖୁଛନ୍ତି। ଶର୍ମିଷ୍ଠା ସମାଜସେବା ଓ ସାମ୍ବାଦିକତା ନାଁରେ ବଳୀୟାନ୍ ଥିଲେ ନା ତାଙ୍କ ଆଶ୍ରମ ଉପରେ ଚାଲିଥିବା କାରନାମା ବାବୁ ଓ ନେତାଙ୍କର ନିକଟତର କରିଥିଲା? ସେ ଏତେ ବଡ ଗଣମାଧ୍ୟମରେ ନ ଥିଲେ ଯେ ଅଧିକାଂଶ ମନ୍ତ୍ରୀ, ବିଧାୟକ, ଅଫିସର ସମସ୍ତେ ତାଙ୍କୁ ଜାଣିବେ? ଯେତେବେଳେ ଓଡ଼ିଶାର ଗଣମାଧ୍ୟମକୁ ସଚିବାଳୟ, ବିଧାନସଭା ଆଦି ମନା, ସେତେବେଳେ ଶର୍ମିଷ୍ଠା କେମିତି ସବୁ ବଳୟକୁ କାଟି ନେତା, ବାବୁଙ୍କ ନିକଟତର ହେଉଥିଲେ? ବୃଦ୍ଧାଶ୍ରମ ଓ ୱେବ୍ ଚ୍ୟାନେଲ୍ ଚଳାଇବା ପାଇଁ ତାଙ୍କୁ କିଏ ସହଯୋଗର ହାତ ବଢ଼ାଇଥିଲେ? ଶର୍ମିଷ୍ଠା ଧରାପଡ଼ିଲେ ଏସବୁ ଗୁମର ଖୋଲିବ। ଏଣୁ ତାଙ୍କୁ ତୁରନ୍ତ ଗିରଫ କରାଯିବା ଦରକାର ଓ ଏହି ରହସ୍ୟମୟୀ ମହିଳାଙ୍କ ଠାବ କରାଯିବା ଗୁରୁତ୍ବପୂର୍ଣ୍ଣ ବୋଲି ଏହି ମହଲରେ ମତପ୍ରକାଶ ପାଉଛି।

ମିଳୁଥିବା ଖବର ଅନୁସାରେ, ଅଶ୍ଳୀଳ ଭିଡିଓ କ୍ଲିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଛି। ତେବେ ଶର୍ମିଷ୍ଠା ଯେଉଁ ସବୁ ଅଶ୍ଳୀଳ ଭିଡିଓ ସୁଟିଂ କରୁଥିଲେ, ଏଥିରେ ମାନସଙ୍କର ପ୍ରମୁଖ ଭୂମିକା ଥିଲା। ସମସ୍ତ ଭିଡିଓ ମାନସଙ୍କ ଦ୍ବାରା ସୁଟିଂ ହେଉଥିଲା। ସୁଟିଂ ପରେ କ୍ଲିପ୍‌ ଶର୍ମିଷ୍ଠାଙ୍କ ହେପାଜତରେ ରହୁଥିଲା। ହେଲେ କେତେକ ଭିଡିଓ କ୍ଲିପ୍‌ ନିଜ ପାଖରେ ରଖିଥିଲେ ମାନସ। ଆଉ ଏକଥା ଶର୍ମିଷ୍ଠା ଜାଣିପାରିଥିଲେ। କାଳେ ମାନସ କ୍ଲିପ୍‌କୁ ଭାଇରାଲ୍‌ କରିଦେବେ, ତାଙ୍କ କଳା କାରନାମାର ଗୁମର ଖୋଲିଯିବ, ଏଭଳି ଭୟ ଘାରିଥିଲା ଶର୍ମିଷ୍ଠାଙ୍କୁ। କ୍ଲିପ୍‌ଗୁଡ଼ିକୁ ତାଙ୍କୁ ପଠାଇବା ପରେ ଡିଲିଟ୍‌ କରିବାକୁ ଶର୍ମିଷ୍ଠା ବାରମ୍ବାର ଚାପ ପକାଉଥିଲେ। ଚାପ ବଢ଼ିବା ପରେ ମାନସ ରାଜଧାନୀ ଛାଡ଼ି ନୟାଗଡ଼ ପଳାଇଥିଲେ। ଯାହାକି ଶର୍ମିଷ୍ଠାଙ୍କ ଚିନ୍ତା ବଢ଼ାଇଥିଲା। ଯେମିତି ହେଉ ମାନସକୁ ରାସ୍ତାରୁ ସଫା କରିବେ ବୋଲି ସେ ଯୋଜନା କରିଥିଲେ। ତାକୁ କାବୁ କରିବା ପାଇଁ ୮ରୁ୧୦ ଜଣିଆ ଟିମ୍‌ ପ୍ରସ୍ତୁତ କରିଥିଲେ। ମାନସଙ୍କୁ ଧରିବା ପାଇଁ ଟିମ୍‌ ତାଙ୍କ ଉପରେ ନଜର ରଖିଥିଲା। ତାଙ୍କ ଗାଁକୁ ଯାଇ ମାନସ ବିଷୟରେ ତଥ୍ୟ ହାସଲ କରିଥିଲେ। ସେ ଚାନ୍ଦବାଲି ସ୍ଥିତ ଏକ ବାହାଘରର ସୁଟିଂ ପାଇଁ ଯାଇଥିବା ଜାଣିବା ପରେ ଟିମ୍‌ ପିଛାକରି ସେଠାରେ ପହଞ୍ଚିଥିଲା। ସେଠାରୁ ତାଙ୍କୁ ଉଠାଇ ରାଜଧାନୀ ସ୍ଥିତ ବୃଦ୍ଧାଶ୍ରମକୁ ଅଣାଯାଇଥିଲା। କ୍ଲିପ୍‌ର ଚିପ୍‌ ଦେବାକୁ ବାଧ୍ୟ କରିବା ସହ ନିସ୍ତୁକ ମାଡ଼ ମରାଯାଇଥିଲା। ପିଟିପିଟି ସେଠାରେ ହତ୍ୟା କରାଯାଇଥିବା କୁହାଯାଉଛି।

ଏଠାରେ ଉଲ୍ଲେଖଥାଉକି, ଶର୍ମିଷ୍ଠାଙ୍କ ବୃଦ୍ଧାଶ୍ରମରେ ଅଶ୍ଳୀଳ ଭିଡିଓ ସୁଟିଂ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଲାଣି। ତଳ ମହଲାରେ ବୃଦ୍ଧାଶ୍ରମ ଚାଲିଥିବା ବେଳେ ଉପରମହଲାରେ ଶର୍ମିଷ୍ଠାଙ୍କ ୱେବ୍‌ଚ୍ୟାନେଲ୍ କାର୍ଯ୍ୟାଳୟ ଚାଲିଥିଲା। ସେଠାରେ ଭିଡିଓ ସୁଟିଂ କରାଯାଉଥିଲା। ଏବେ ଏହାର କ୍ଳିପ୍‌ ବଜାରରେ ବୁଲିଲାଣି। ତାଙ୍କ ଫେସ୍‌ବୁକ୍‌ରେ କେତେକ ଭିଡିଓ କ୍ଲିପ୍‌ ବି ରହିଛି। ଏହା ଛଡ଼ା ବିଭିନ୍ନ ସୋସିଆଲ୍‌ ମିଡିଆର କେତେକ କ୍ଲିପ୍‌ ଭାଇରାଲ୍‌ ମଧ୍ୟ ହୋଇଛି।

ସମ୍ବନ୍ଧିତ ଖବର