କ୍ୟାମେରା ମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲା: ୮ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

କଟକ/ଚାନ୍ଦବାଲି : କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ଚାନ୍ଦବାଲି ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ମାନସଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଘଟଣାର ମାଷ୍ଟରମାଇଣ୍ଡ ସମ୍ପୂର୍ଣ୍ଣା ୱେବ୍‌ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତ, ଖାସ୍ ବନ୍ଧୁ ତଥା ସହଯୋଗୀ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, କେୟାର ଟେକର୍ ଝୁନା ଭୋଇ, ସହଯୋଗୀ ରାଜ ଓରଫ ରଞ୍ଜନ କୁମାର ନାୟକ, ଭାଗ୍ୟବାନ ଓରଫ ଭାଗ୍ୟଧର ନାୟକ, ଶର୍ମିଷ୍ଠାର ଭାଇ ପରମେଶ୍ବର ରାଉତ, କୃଷ୍ଣଚନ୍ଦ୍ର ନାୟକ ଏବଂ ଜଣେ ନାବାଳକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ୱେବ୍‌ ପୋର୍ଟାଲ ଅଫିସରୁ ଜବତ ହାର୍ଡଡିସ୍କ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିରେ ରିକଭର୍ ହୋଇଛି। ଏଥିରେ ଶର୍ମିଷ୍ଠାର କ୍ଷୁଦ୍ର ଭିଡିଓ କ୍ରାଇମବ୍ରାଞ୍ଚ ଜବତ କରିଛି। କିନ୍ତୁ ହତ୍ୟାକାଣ୍ଡ ପଛର ମୂଳ କାରଣ କୁହାଯାଉଥିବା ୬୦ଟି କ୍ଷୁଦ୍ର ଅଶ୍ଳୀଳ ଭିଡିଓ କେଳେଙ୍କାରୀ ଘଟଣାକୁ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରୁ ନଥିବାରୁ ଆଜି ବି ହତ୍ୟାକାଣ୍ଡ ପଛର କାରଣ ରହସ୍ୟଜନକ ହୋଇ ରହିଛି।

ହାର୍ଡଡିସ୍କରୁ ମିଳିଲା ଗୋପନୀୟ କ୍ଷୁଦ୍ର ଭିଡିଓ
ଲୁଚିଗଲା ଅଶ୍ଳୀଳ ଭିଡିଓ କେଳେଙ୍କାରୀ!
ହତ୍ୟାରେ ଆଉ ଜଣେ ନାବାଳକ ସଂପୃକ୍ତ

ସୂଚନା ଅନୁଯାୟୀ, ଭୁବନେଶ୍ବରରେ ସମ୍ପୂର୍ଣ୍ଣା ୱେବ୍‌ ପୋର୍ଟାଲରେ କାମ କରୁଥିବା ନୟାଗଡ଼ ରଣପୁରର କ୍ୟାମେରାମ୍ୟାନ୍ ମାନସ ଅଶ୍ଳୀଳ ସିନେମା ସୁଟିଂ ବାବଦରେ ୧୦ ହଜାର ଟଙ୍କା ନ ପାଇବାରୁ ବିବାଦ ଆରମ୍ଭ ହୋଇ ଏଭଳି ହତ୍ୟାକାଣ୍ଡ ଘଟିଥିଲା। ମାନସ ଅଶ୍ଳୀଳ ଭିଡିଓ ନିଜ ପାଖରେ ରଖିବାରୁ ସେହି ରାଗରେ ଫେବ୍ରୁଆରି ୭ରେ ଶର୍ମିଷ୍ଠା ସମେତ ରଞ୍ଜନ, ଭାଗ୍ୟଧର, ଝୁନା, ବିବେକ ଏବଂ ଅନ୍ୟ ଜଣେ ନାବାଳକ ଚାନ୍ଦବାଲିରୁ ତାଙ୍କୁ ଅପହରଣ କରି ଭୁବନେଶ୍ବର ଦୟାଲ ଆଶ୍ରମରେ ହତ୍ୟା କରିଥିଲେ। ଚାନ୍ଦବାଲି ଥାନାରେ ମାନସଙ୍କ ବାପା ପଞ୍ଚାନନ ଏସଂପର୍କରେ ଏତଲା ଦେଇଥିଲେ। କିନ୍ତୁ ୪୦ ଦିନ ପରେ କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ଭୁବନେଶ୍ବର, ନୟାଗଡ଼, ଯାଜପୁର ଓ ଭଦ୍ରକ ଭଳି ଚାରିଟି ଜିଲ୍ଲାରେ ତଦନ୍ତ କରିଥିଲା। କ୍ରାଇମବ୍ରାଞ୍ଚ ଏହି ମାମଲାରେ ମୋଟ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଚାନ୍ଦବାଲି ଜେଏମଏଫସିଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ପ୍ରମାଣ ସ୍ବରୂପ ୱେବ୍‌ ପୋର୍ଟାଲର କେୟାର ଟେକର୍ ଝୁନା ଭୋଇ ଘରୁ ମିଳିଥିବା ମାନସଙ୍କ ଏକ କ୍ୟାମେରା ଜବତ କରିଥିବା ଦର୍ଶାଇଛି। ମାନସଙ୍କୁ ସୁନ୍ଦରପଦାର ଦୟାଲ ଆଶ୍ରମରେ ରଖି ମାଡ଼ ମରାଯାଇଥିବାରୁ ସେଠାକାର ଅନ୍ତେବାସୀଙ୍କୁ ସାକ୍ଷୀ ଭାବେ ବୟାନ ରେକର୍ଡ କରାଯାଇଥିବା ଦର୍ଶାଯାଇଛି। ଭଦ୍ରକ ଉପକାରାଗାରରେ ଶର୍ମିଷ୍ଠା, ଝୁନା, ରଞ୍ଜନ, ଭାଗ୍ୟଧର, ବିବେକଙ୍କ ଟିଆଇ ପରେଡରେ ଭୁବନେଶ୍ବରର କିଛି ସାକ୍ଷୀ ମାଜିଷ୍ଟ୍ରେଟଙ୍କ ସାମନାରେ ଚିହ୍ନଟ କରିଥିବା ଦର୍ଶାଇଛି କ୍ରାଇମବ୍ରାଞ୍ଚ।

ଏହି ହତ୍ୟାକାଣ୍ଡରେ ରାଜସାକ୍ଷୀ ଭାବେ ଶର୍ମିଷ୍ଠାର ଭାଉଜ, ଝୁନାର ସ୍ବାମୀ ଅରୁଣ ଭୋଇ, ସମ୍ପୂର୍ଣ୍ଣା ୱେବ୍‌ ପୋର୍ଟାଲର ଜଣେ କମ୍ପ୍ୟୁଟର ଅପରେଟର୍, ମାନସଙ୍କ ସହଯୋଗୀ କ୍ୟାମେରାମ୍ୟାନ୍ ଦୀପକ ସାହୁଙ୍କୁ ଦର୍ଶାଯାଇଛି। ଫେବ୍ରୁଆରି ୫ ତାରିଖରେ ଉଭୟ ମାନସ ଓ ଦୀପକ ଚାନ୍ଦବାଲି ବାହାଘର ସୁଟିଂ କରିବାକୁ ଯାଇଥିଲେ। ୭ ତାରିଖ ସକାଳେ ଉଭୟ ଭୁବନେଶ୍ବର ଫେରୁଥିବା ବେଳେ ଦୀପକ ହିଁ ହ୍ବାଟସଆପରେ ଶର୍ମିଷ୍ଠାଙ୍କୁ ସେମାନଙ୍କ ଲୋକେସନ୍ ସେୟାର କରିଥିଲେ। ସେଠାରେ ଶର୍ମିଷ୍ଠା ଓ ସହଯୋଗୀ ପହଞ୍ଚି ମାନସଙ୍କୁ ଭୁବନେଶ୍ବର ଟେକି ନେଥିଲେ। ଦୀପକଙ୍କ ଆଖି ସାମନାରେ ଏହି ଘଟଣା ଘଟିଥିବାରୁ ତାଙ୍କୁ ରାଜସାକ୍ଷୀ ଭାବେ କ୍ରାଇମବ୍ରାଞ୍ଚ ଦର୍ଶାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର