କଟକ: ନାବାଳକ ଗାଡ଼ି ଚାଳକଙ୍କ ଯୋଗୁଁ ଦୁର୍ଘଟଣା ଜନିତ ମୃତ୍ୟୁ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଜରିମାନା ସହିତ ସ୍କୁଲ ଓ କଲେଜ ସ୍ତରରେ ବି କଠୋର ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ଶିକ୍ଷାନୁଷ୍ଠାନରେ ସିସି କ୍ୟାମେରା ଲଗାଯାଇ ଗାଡ଼ି ଚଳାଇ ଆସୁଥିବା ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖାଯିବ। ଶିକ୍ଷାନୁଷ୍ଠାନ ସ୍ତରରେ ଖିଲାପୀ ଚାଳକଙ୍କୁ ଜଗିବାକୁ ପରିବହନ ବିଭାଗ ଶିକ୍ଷା ବିଭାଗ ସହିତ ଆଲୋଚନା କରୁଥିବା ବେଳେ ଖୁବ ଶୀଘ୍ର ବିଧିବଦ୍ଧ ଭାବେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରାଯିବ।
ସୂଚନା ଅନୁଯାୟୀ, ୨୦୨୧-୨୦୨୩ ଭିତରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୬୫୩ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୯୫ ଜଣ ଆହତ ହୋଇଛନ୍ତି। ନାବାଳକମାନେ ବେଆଇନ ଭାବେ ଗାଡ଼ି ଚଳାଉଥିବାରୁ ଏ ପ୍ରକାର ସ୍ଥିତି ସୃଷ୍ଟି ହେଉଛି। ତେବେ ପରିବହନ ବିଭାଗ ଗଲା ୨୯ ଓ ୩୦ ତାରିଖରେ ରାଜ୍ୟରେ ମୋଟ ୩୬୪ ଜଣ ଖିଲାପୀ ନାବାଳକ ଚାଳକଙ୍କୁ ଠାବ କରିଥିଲା। ମୋଟର ଯାନ ଆଇନ ୧୯୮୮ର ଧାରା ୧୯୯(କ) ଅନୁଯାୟୀ ନାବାଳକ ଚଳାଉଥିବା ଗାଡ଼ି ବିରୋଧରେ ୨୫ ହଜାର ଟଙ୍କା ଲେଖାଏ କରି ମୋଟ ୯୧ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିଲା। ଜରିମାନା ସହିତ ଶିକ୍ଷାନୁଷ୍ଠାନରେ ମଧ୍ୟରେ ଏ ନେଇ ସଚେତନତା ଓ ସତର୍କ କରାଇବା କ୍ଷେତ୍ରରେ ଖୁବ ଶୀଘ୍ର ବଡ଼ ପଦକ୍ଷେପ ନିଆଯିବ। ସ୍କୁଲ ଓ କଲେଜ ସ୍ତରରେ ଛାତ୍ରଛାତ୍ରୀଙ୍କୁ କାଉନସେଲିଂ କରାଯିବ। ଅଭିଭାବକଙ୍କୁ ମଧ୍ୟ ଶିକ୍ଷାନୁଷ୍ଠାନକୁ ଡାକି ଏ ସମ୍ପର୍କରେ ଆଲୋଚନା କରାଯିବ। ସାବାଳକ ନହେବା ଯାଏ ଯେଭଳି ନାବାଳକଙ୍କୁ ଗାଡ଼ି ନଦିଆଯିବ, ସେ ନେଇ ଅଭିଭାବକଙ୍କୁ ତାଗିଦ କରାଯିବ। ଏହା ସହିତ ସ୍କୁଲରେ ସିସି କ୍ୟାମେରା ଲଗାଯିବ। କେଉଁ ଛାତ୍ରଛାତ୍ରୀମାନେ ସ୍କୁଲକୁ ଗାଡ଼ି ନେଇ ଆସୁଛନ୍ତି, ସେମାନଙ୍କ ଉପରେ ନଜର ରଖାଯିବ। ଏବେ ନାବାଳକ ଗାଡ଼ି ଚାଳକଙ୍କ ବିରୋଧରେ ଜରିମାନା ଆଦାୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ସହିତ ଶିକ୍ଷାନୁଷ୍ଠାନ ସ୍ତରରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯାଇ ସଚେତନତା କରାଯିବ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମର ନେତୃତ୍ବ ନେବେ। ସ୍ଥାନୀୟ ଆରଟିଓ ପକ୍ଷରୁ ଅଧିକାରୀମାନେ ସ୍କୁଲକୁ ଯାଇ ଏ ନେଇ ମଧ୍ୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ। ପରିବହନ ବିଭାଗ ପକ୍ଷରୁ ଶିକ୍ଷା ବିଭାଗ ସହିତ ଏ ସମ୍ପର୍କରେ ଆଲୋଚନା କରାଯାଉଥିବା ବେଳେ ଖୁବ ଶୀଘ୍ର ନିର୍ଦ୍ଦେଶନାମା ଜାରି ହେବାକୁ ଯାଉଥିବା ସୂଚନା ମିଳିଛି।