ଭିତରକନିକା ବନ୍ୟଜନ୍ତୁଙ୍କୁ ଜଗିବ କ୍ୟାମେରା

ସୁନ୍ଦରବନ ପରେ ଦ୍ୱିତୀୟ ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା/ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ‘କ୍ୟାମେରା ଟ୍ରାପ୍‌’ ମାଧ୍ୟମରେ ବନ୍ୟଜନ୍ତୁମାନଙ୍କ ଗତିବିଧି ନିରୀକ୍ଷଣ କରାଯିବ। ‘ପଲିଗନ୍‌ ସର୍ଚ’ ମାଧ୍ୟମରେ ଏଠାରେ ଥିବା ବନ୍ୟଜନ୍ତୁମାନଙ୍କ ଗତିବିଧି ନିରୀକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦଫାରେ ରାଜନଗର ରେଞ୍ଜ୍‌ର ଘଂଚ ଜଙ୍ଗଲ ମଧ୍ୟରେ କ୍ୟାମେରା ଖଞ୍ଜାଯାଇଛି। ପର୍ଯ୍ୟାୟକ୍ରମେ ରାଜନଗର ଲୁଣାଜଙ୍ଗଲ ବନ୍ୟଜୀବ ବନଖଣ୍ତ ଅଧୀନରେ ଥିବା ସମସ୍ତ ୫ଟି ରେଞ୍ଜ୍‌ର ଜଙ୍ଗଲରେ ମଧ୍ୟ କ୍ୟାମେରା ଲାଗିବ। ଚଳିତବର୍ଷ ପ୍ରଥମଥର ପାଇଁ ଏମ୍‌–ସ୍ପ୍ରାଇଟ୍ସ ମୋବାଇଲ ଆପ୍‌ ଓ ବୋଟ୍‌ ସାହାଯ୍ୟରେ ଭିତରକନିକା ଜୀବଜନ୍ତୁଙ୍କର ମନିଟରିଂ କରାଯିବ ବୋଲି ଡିଏଫଓ ଡକ୍ଟର ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି। ସୁନ୍ଦରବନ ‘ମ୍ୟାନଗ୍ରୋଭ୍‌’ ଅଂଚଳରେ ଏହି ‘କ୍ୟାମେରା ଟ୍ରାପ୍‌’ ଯୋଜନା ଆରମ୍ଭ ହୋଇଥିଲା। ସୁନ୍ଦରବନର ସଫଳତା ପରେ ଭିତରକନିକାରେ କ୍ୟାମେରା ଖଞ୍ଜା ଯାଇଛି।

ପ୍ରଥମ ପର୍ଯ୍ୟାୟରେ ୨୦ଟି କ୍ୟାମେରା ଲାଗିଛି। ଏଥିରେ ୨ ମାସ ଯାଏ ଭିଡିଓ ରେକର୍ଡିଂ ସଂରକ୍ଷିତ ହୋଇ ରହିପାରିବ। ଫିସିଂକ୍ୟାଟ୍‌, ବଣବିରାଡ଼ି, ଚିତାବିରାଡ଼ି, ବିଲୁଆ, ହେଟାବାଘ, ପାଣିଓଧ, ଗୋଧି ଓ ଝିଙ୍କ ଆଦି ବନ୍ୟଜୀବଙ୍କ ଗତିବିଧି ନିରୀକ୍ଷଣ କରାଯିବ। ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଓ ଭାରତୀୟ ବନ୍ୟ ଜୀବ ସଂସ୍ଥା, ଡେରାଡୁନ ସହଯୋଗରେ ବନ୍ୟଜୀବମାନଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି। ଏହି କ୍ୟାମେରା ବନ୍ୟଜନ୍ତୁଙ୍କ ଗତିବିଧି ସହ ଉଦ୍ୟାନରେ ଅବାଧ ପ୍ରବେଶ କରୁଥିବା ଶିକାରୀଙ୍କ ଉପରେ ମଧ୍ୟ ନଜର ରଖିବ।

ସମ୍ବନ୍ଧିତ ଖବର