ଭୁବନେଶ୍ବର : ଏମ୍‌ସିସି(ମାଇକ୍ରେ କମ୍ପୋଷ୍ଟିଂ ସେଣ୍ଟର) ଓ ଏମ୍‌ଆରଏଫ୍‌(ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି)ରେ କ୍ୟାମେରା ଲଗାଇବ ବିଏମ୍‌ସି। ଏହାକୁ ବିଏସ୍‌ସିଏଲ୍‌(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌)କମାଣ୍ଡ ସେଣ୍ଟର ସହ ସଂଯୁକ୍ତ କରାଯିବ। ସେଠାରୁ ବିଏମ୍‌ସି ଏହି ସେଣ୍ଟରଗୁଡ଼ିକ ଉପରେ ନଜର ରଖିବ। ଫଳରେ କର୍ମଚାରୀ ଆଉ ଠକି ପାରିବେ ନାହିଁ। ଉଚିତ ସମୟରେ ସେଣ୍ଟର ଆସିବେ ଓ ଉଚିତ୍‌ ସମୟରେ ଯିବେ। ତେବେ କେବଳ କର୍ମଚାରୀଙ୍କ ପାଇଁ ନୁହେଁ, ବରଂ ଆବର୍ଜନା ନେଇ ଆସୁଥିବା ଗାଡ଼ି କେତେବେଳେ ପହଞ୍ଚିଲା ଓ କେତେବେଳେ ବାହାରିଲା ତାହା ଉପରେ ମଧ୍ୟ ଏହି କ୍ୟାମେରା ଜରିଆରେ ନଜର ରଖିବ ବିଏମ୍‌ସି। ସେହିଭଳି ଭୁଆସୁଣି ଡମ୍ପିଂୟାର୍ଡରେ ମଧ୍ୟ କ୍ୟାମେରା ଲାଗିବ। ଏଠା‌ରେ ଆରମ୍ଭ ହେବାକୁ ଥିବା ବାୟୋମାଇନିଂ ସହ ଆବର୍ଜନା ନେଇ ଆସୁଥିବା ଗାଡ଼ି ଉପରେ ମଧ୍ୟ ନଜର ରଖାଯିବ।

Advertisment

ପ୍ରାଥମିକ ପର୍ଯ୍ୟାୟରେ ୧୫୦ କ୍ୟାମେରା ଲାଗିବାକୁ ଯାଉଛି। ଏହା ପରେ ମେଗା ଏମ୍‌ସିସି ଓ ଏମ୍‌ଆରଏଫ୍‌ କାର୍ଯ୍ୟକ୍ଷମ ହେଲେ ସେଗୁଡ଼ିକୁ ମଧ୍ୟ କ୍ୟାମେରା ଲେନ୍ସରେ ନଜର ରଖାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ଏ ନେଇ ଟେଣ୍ଡର କରାଯାଇଛି। କ୍ୟାମେରା ଯୋଗାଇବା ସଂସ୍ଥାଙ୍କ ପାଇଁ ଆବେଦନର ଶେଷ ତାରିଖ ଆସନ୍ତା ମାସ ୧୭ ଧାର୍ଯ୍ୟ କରାଯାଇଛି। ସମସ୍ତ ଆବେଦନପତ୍ର କେବଳ ଅନ୍‌ଲାଇନ୍‌ରେ ପଠାଇବାକୁ କୁହାଯାଇଛି। ଏପ୍ରିଲ ୩ ତାରିଖରେ ବିଏମ୍‌ସି ଅଫିସ୍‌ରେ ପ୍ରି-ବିଡ୍‌ ବୈଠକ ରହିଛି। ଟେଣ୍ଡର ଜରିଆରେ ଚୟନ ହେବାକୁ ଥିବା ସଂସ୍ଥା କ୍ୟାମେରା ଯୋଗାଇବା ସହ ସଂସ୍ଥାପନ ଓ କମାଣ୍ଡ ସେଣ୍ଟର ସହ କମିସନିଂ କରିବ।

ଏଠାରେ ସୂଚାଇ ଦିଆଯାଇପାରେ, ଘର ଘର ବୁଲି ଆବର୍ଜନା ଉଠାଉଥିବା ଗାଡ଼ିରେ ଜିପିଏସ୍‌ ବ୍ୟବସ୍ଥା କରାଯାଇଛି। ଗାଡ଼ି ନିର୍ଦ୍ଦିଷ୍ଟ ଜାଗାକୁ ଯାଉଛି କି ନାହିଁ ସେ ନେଇ ପ୍ରତ୍ୟେକ ମୁହୂର୍ତ୍ତର ଖବର ବିଏମ୍‌ସି ରଖିବା ସହ କେହି ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେହିଭଳି ସୈନିକ ସ୍କୁଲ ପଛରେ ଥିବା ଟିଟିଏସ୍‌(ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ)ରେ ମଧ୍ୟ କ୍ୟାମେରା ଲାଗିଛି। ଏହି କ୍ୟାମେରା ବଳରେ ଏଯାବତ୍‌ ବିଏମ୍‌ସି ୭ଟି ଗାଡ଼ିକୁ ଧରି କାର୍ଯ୍ୟ‌ାନୁଷ୍ଠାନ ଗ୍ରହଣ କରିଛି। ଏହି ଗାଡ଼ିଗୁଡ଼ିକ ବିଭିନ୍ନ ଜାଗାରୁ ଆବର୍ଜନା ଆଣି ଟିଟିଏସ୍‌ ସାମ୍ନାରେ ଗଦା କରିଦେଇ ପଳାଉଥିଲେ। ଭୁଆସୁଣିରେ ମଧ୍ୟ ଏଭଳି ହେଉଥିବା ନେଇ ଅଭିଯୋଗ ହୋଇଛି। ଏଣୁ ସେଠାରେ କ୍ୟାମେରା ଲାଗିଲେ ଏଭଳି ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ବୋଲି ବିଏମ୍‌ସି ସୂତ୍ରରୁ ସୂଚନା ମିଳିଛି।