ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଜେଲରେ କ୍ୟାମ୍ପ କୋର୍ଟ ଖୋଲିବାକୁ ଜିଲ୍ଲା ଓ ଦୌରା ଜଜ୍‌ଙ୍କୁ ଦେଲେ ନିର୍ଦ୍ଦେଶ

କଟକ/ଭୁବନେଶ୍ୱର: ଅାଇନଜୀବୀଙ୍କ ଆନ୍ଦୋଳନ ହେତୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ମଣ୍ଡଳ କାରାଗାର, ଜିଲ୍ଲା କାରାଗାର ଓ ଉପ-କାରାଗାରରେ ବିଚାରଧୀନ କଏଦୀଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ  ମାମଲାର ତୁରନ୍ତ ସମାଧାନ କରିବା ପାଇଁ ଓଡ଼ିଶା ହାଇକୋର୍ଟ ଶନିବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ହାଇକୋର୍ଟ ଆଜି ରାଜ୍ୟର ସମସ୍ତ ଜିଲ୍ଲା ଓ ଦୌରାଜଜଙ୍କୁ ସେମାନଙ୍କ ଜିଲ୍ଲାରେ ଥିବା ଜେଲରେ କ୍ୟାମ୍ପ କୋର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଚାରପତିମାନେ  ଜେଲକୁ ଯାଇ ସାଧାରଣ ଅପରାଧରେ ଦଣ୍ଡ ଭୋଗୁଥିବା କଏଦୀଙ୍କ ଜାମିନ ଶୁଣାଣି କରିବେ।

ଦୀର୍ଘ ୨ ମାସ ହେବ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଜେଲରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ବଢ଼ିଛି। ଜେଲରେ କଏଦୀଙ୍କ ଭିଡକୁ ନିୟନ୍ତ୍ରଣରେ ଆଣିବା ପାଇଁ ହାଇକୋର୍ଟ ଏଭଳି ନିଷ୍ପତ୍ତି ଦେଇଛନ୍ତି।

କ୍ୟାମ୍ପ କୋର୍ଟ ଗୁଡ଼ିକ ଜେଲ ପରିସରରେ କାର୍ଯ୍ୟ ଦିବସରେ ଏବଂ ନିର୍ଦ୍ଧିଷ୍ଟ ସମୟରେ ଅନୁଷ୍ଠିତ ହେବ। ପ୍ରିଜାଇଡିଂ ଅଫିସର କିରାଣୀ ଏବଂ ଗ୍ରୁପ-ଡି କର୍ମଚାରୀଙ୍କ ସହିତ କ୍ୟାମ୍ପ କୋର୍ଟ କାମ କରିବେ। ବ୍ରହ୍ମପୁର ମଣ୍ଡଳ ଜେଲରେ ୭୪୩ ଜଣ କଏଦୀଙ୍କ ରହିଣୀ ବ୍ୟବସ୍ଥା ଥିବା ବେଳେ ଏଠାରେ ୮୩୫ ଜଣ କଏଦୀଙ୍କୁ ରଖାଯାଇଛି। ସମ୍ବଲପୁର ମଣ୍ଡଳ ଜେଲରେ କଏଦୀ ରହିବା କ୍ଷମତା ୭୬୦ ଥିବା ବେଳେ ଏଠାରେ ୧୦୬୪ କଏଦୀ ଅଛନ୍ତି। ଭଦ୍ରକ ଜେଲରେ ୧୬୬ ଜଣ କଏଦୀଙ୍କ ପାଇଁ ରହିବା ବ୍ୟବସ୍ଥା ଥିବା ବେଳେ ଏଠାରେ ୪୭୪ ଜଣ କଏଦୀ ଅଛନ୍ତି।

ସମ୍ବନ୍ଧିତ ଖବର