ଡ୍ରାଇଭିଂ ଲାଇସେନ୍ସ ପାଇଁ ବ୍ଲକ୍‌ ଓ ସବ୍‌ଡିଭିଜନ୍‌ରେ ହେବ ଶିବିର

ଭୁବନେଶ୍ବର: ରାଜ୍ୟର ବୃହତ ବ୍ଲକ୍ ଓ ସବ୍‌ଡିଭିଜନ୍‌ରେ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଶିବିର ଖୋଲାଯିବ। ସେଠାରେ ଗାଡ଼ି ଚାଳକଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଓ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର ଦିଆଯିବ। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ଆଜି ଏହି ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧ରୁ ସଂଶୋଧିତ ମୋଟର୍ ଯାନ ଆଇନ୍ ଲାଗୁ ହେଲା ପରେ ରାଜ୍ୟରେ ‌ଜୋର୍‌ଦାର୍‌ ଯାଞ୍ଚ୍ କରାଯାଇଥିଲା। ଏହା ପରେ ଲୋକମାନେ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ିର ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବାକୁ ଆର୍‌ଟିଓ କାର୍ଯ୍ୟାଳୟଗୁଡ଼ିକରେ ଭିଡ଼ ଜମାଉଛନ୍ତି। ସକାଳୁ ସନ୍ଧ୍ୟା ଯାଏ ଲମ୍ବା ଲାଇନ୍ ଲାଗୁଛି। ଏପରିକି ଛୁଟି ଦିନରେ ବି ଆର୍‌ଟିଓ କାର୍ଯ୍ୟାଳୟ ‌େଖାଲା ରହୁଛି। ଏହାକୁ ଦୃଷ୍ଟିରେ ରଖି ବ୍ଲକ୍ ଓ ସବ୍‌ଡିଭିଜନ୍‌ରେ ସ୍ବତନ୍ତ୍ର ଶିବିର ଖୋଲାଯିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଏହି ଶିବିରରେ ସଙ୍ଗେ ସଙ୍ଗେ ଲର୍ଣ୍ଣିଂ ଲାଇସେନ୍ସ ଦେବାର ବ୍ୟବସ୍ଥା କରାଯିବ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅକ୍ଟୋବର ୧ ତାରିଖରୁ କୌଣସି ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ଅଫ୍‌ଲାଇନ୍ ପ୍ରମାଣପତ୍ର ଜାରି କରିପାରିବେ ନାହିଁ। ସବୁ ଗାଡ଼ି ପାଇଁ ଅନ୍‌ଲାଇନ୍ ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ଏହି ପ୍ରମାଣପତ୍ର ‘ବାହନ’ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌ ହେବ। ତେବେ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଇସ୍ୟୁ ହୋଇଥିବା ଅଫ୍‌ଲାଇନ୍ ପ୍ରମାଣପତ୍ର ବୈଧ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଡିସେମ୍ବର ପର୍ଯ୍ୟନ୍ତ ପ୍ରଦୂଷଣ କାଗଜପତ୍ର ଯାଞ୍ଚ୍ ହେବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ବେହେରା ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର