ବିଜେପୁର/ବରପାଲି: ବିଜେପୁର ଉପନିର୍ବାଚନ ପ୍ରଚାରରେ ବିଜେପି ଯେତେ ଜଣ ଷ୍ଟାର ପ୍ରଚାରକଙ୍କ ବ୍ୟବହାର କରିଛି ତନ୍ମଧ୍ୟରେ ସବୁଠୁ ଉପରେ ରହିବେ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ। ମଙ୍ଗଳବାର ନିଜ ନିର୍ଧାରିତ କାର୍ଯ୍ୟକ୍ରମର ୨ ଘଣ୍ଟା ବିଳମ୍ବରେ ଆସି ସେ ଗାଇସିଲେଟରେ ପହଞ୍ଚି ଥିଲେ। ସେଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବା ପରେ ଆସି ବିଜେପୁର କଲେଜ ପଡ଼ିଆରେ ସଭା କରିଥିଲେ। ସେଠାରୁ ପୁଣି ହେଲିକପ୍ଟରରେ ବରପାଲି ଯାଇ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଇରାନୀ ବିଭିନ୍ନ ସଭାରେ ଉଦବୋଧନ ଦେଇ କହିଥିଲେ ଯେ କେନ୍ଦ୍ର ସରକାର ଗରିବ, ଚାଷୀ, ବୁଣାକାର, ମହିଳା, ବୟସ୍କ, ବିଧବାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ପ୍ରତ୍ୟେକ ଯୋଜନାରେ ଅଜସ୍ର ଅର୍ଥ ଦିଆଯାଉଛି। କିନ୍ତୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଉକ୍ତ ଯୋଜନା ଗୁଡ଼ିକୁ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଉ ନାହିଁ। ଏଠି ରାସ୍ତାଘାଟ ନାହିଁ, ବିଜୁଳି ନାହିଁ। ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି। ନାହିଁ ନାହିଁରେ ଏହି ସରକାର ଚାଲିଛି। ଜଣେ ମୁଖ୍ୟମନ୍ତ୍ରୀଙ୍କ ୧୮ ବର୍ଷର ଶାସନ ପରେ ଓଡ଼ିଶା ଓ ବିଜେପୁରର ଏଭଳି ଚିତ୍ର ଦେଖି ଦୁଃଖ ଲାଗୁଛି ବୋଲି ମନ୍ତ୍ରୀ ଇରାନୀ କହିଥିଲେ। ସ୍ମୃତି ଇରାନୀଙ୍କ ଭିନ୍ନ ଭିନ୍ନ ନିର୍ବାଚନୀ ସଭାମଞ୍ଚରେ ଭିନ୍ନ ଭିନ୍ନ ନେତାଙ୍କୁ ଦେଖିବାକୁ ମିଳିଥିଲା। ବିଜେପୁରରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର, ସମୀର ଦେ, ବିଧାୟକ ରବି ନାଏକ, ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ, ଅଭିନେତ୍ରୀ ଅପରାଜିତା, ହାସ୍ୟ ଅଭିନେତା ହରି, ବିଜେପୁର ଗୌନ୍ତିଆ ସନତ ଗଡ଼ତିଆ ଉପସ୍ଥିତ ଥିଲାବେଳେ ସୁରେଶ୍ୱର ଶତପଥୀ ସଭା ପରିଚାଳନା କରିଥିଲେ। ବରପାଲି ସଭାରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ଜଗନ୍ନାଥ ପଟ୍ଟନାୟକ, ଜୟରାମ ପାଙ୍ଗୀ, ସୁରମା ପାଢ଼ୀ, ହିମାଂଶୁ ମେହେର, ଅଭିନେତ୍ରୀ ପିଙ୍କି, ପୃଥ୍ଵୀରାଜ ହରିଚନ୍ଦନ, ସୁବାସ ଚୌହାନ, ସୀମନ୍ତିନୀ ଜେନା ଏବଂ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଅଶ୍ୱିନୀ ଷଡ଼ଙ୍ଗୀ ସଭା ପରିଚାଳନା କରିଥିଲା ବେଳେ କୁମ୍ଭାରୀ ସରପଞ୍ଚ ରବି କର୍ତୀ ଧନ୍ୟବାଦ ଦେଇଥିଲେ। ଉଭୟ ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଉପସ୍ଥିତ ଥିଲେ।
ପ୍ରଚାର ମଇଦାନରେ ସ୍ମୃତି ଇରାନୀ
/sambad/media/post_attachments/wp-content/uploads/2018/02/SBPHO20-6214.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)