କଟକ: ରାଜସ୍ବହାନୀ ଆଶଙ୍କା କରି ରାଜ୍ୟ ସରକାର ନିଶା ଦ୍ରବ୍ୟ କାରବାର ରୋକିବାରେ ଉଦାସୀନ ହେଉଛନ୍ତି। କିନ୍ତୁ ନିଶା ସେବନ ଅନେକ ପରିବାର ଉଜାଡିବାରେ ପ୍ରମୁଖ କାରଣ ସାଜୁଛି। ଏଥି ପାଇଁ ନିଶା ନିବାରଣ ଅଭିଯାନ ପରିବାରରୁ ଆରମ୍ଭ ହେବା ଉଚିତ। ଭଉଣୀଠୁ ରାକ୍ଷୀ ପିନ୍ଧି ଭାଇ ନିଶା ସେବନଠୁ ଦୂରେଇ ରହିବାର ସଂକଳ୍ପ ନେଲେ ଓଡ଼ିଶା ନିଶାମୁକ୍ତ ରାଜ୍ୟ ହୋଇପାରିବ ବୋଲି କହିଛନ୍ତି ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ କଟକ ଝାଞ୍ଜିରୀମଙ୍ଗଳା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟସ୍ଥିତ ପ୍ରଭୁସମର୍ପଣ ଭବନରେ ଆୟୋଜିତ ‘ନିଶା ନିବାରଣ ବ୍ରତ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ, ନିଶା ନିବାରଣ ସଂକଳ୍ପ ପାଇଁ ରାକ୍ଷୀ ପୂର୍ଣ୍ଣିମା ହିଁ ପ୍ରକୃଷ୍ଟ ଅବସର। ଏହି ଅବସରରେ ରାକ୍ଷୀ ବାନ୍ଧି ଭଉଣୀ, ଭାଇଠୁ କୌଣସି ଉପହାର ଆଶା ନ ରଖି ଭାଇକୁ ନିଶା ସେବନଠୁ ଦୂର କରାଇବା ପାଇଁ ସଂକଳ୍ପ ଦେଲେ, ପରିବାର ସହ ଭଉଣୀ ନିଜେ ଅଧିକ ଲାଭବାନ ହେବ। ସବୁ ଭଉଣୀ ଯଦି ଭାଇମାନଙ୍କୁ ଏଭଳି ସଂକଳ୍ପ କରାନ୍ତି, ସରକାରଙ୍କ ବିନା ସହାୟତାରେ ଆମେ ରାଜ୍ୟକୁ ନିଶାମୁକ୍ତ ସୁସ୍ଥ ରାଜ୍ୟ ଭାବେ ଗଢ଼ିତୋଳିବା ବୋଲି ଶ୍ରୀ ପଟ୍ଟନାୟକ ଉପସ୍ଥିତ ଭଉଣୀମାନଙ୍କୁ ଆହ୍ବାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ, କଟକ ଜୋନ୍ ଉପନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସୁଲୋଚନା ଦିଦି, ନିଶା ନିବାରଣର କୁପରିଣାମ ବିଷୟରେ ଆଲୋକପାତ କରିଥିଲେ। ରାଜ୍ୟ ଏକ ନମ୍ବର ଗଣମାଧ୍ୟମ ‘ସମ୍ବାଦ’ ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମାରେ ଅଭିନବ ଶୈଳୀରେ ନିଶା ନିବାରଣ ଅଭିଯାନ ଆରମ୍ଭ ହୋଇଥିବାରୁ ରାଜଯୋଗିନୀ ସୁଲୋଚନା ‘ସମ୍ବାଦ’କୁ କୃତଜ୍ଞତା ଅର୍ପଣ କରିଥିଲେ। ଅନ୍ୟତମ ଅତିଥି ଭାବେ ‘ସମ୍ବାଦ ସାହିତ୍ୟ ଘର’ ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା ଉପସ୍ଥିତ ଭାଇ, ଉଭଣୀଙ୍କୁ ନିଶାସେବନକୁ ସଂପୂର୍ଣ୍ଣ ବନ୍ଦ ପାଇଁ ପରାମର୍ଶ ଦେଇଥିଲେ।
‘ସମ୍ବାଦ ଆମ ଓଡ଼ିଶା’ ଅରବିନ୍ଦ ଦାସଙ୍କ ପରାମର୍ଶରେ ଉପସ୍ଥିତ ୨୧୦ଜଣ ଭଉଣୀ, ୨୧୦ ଜଣ ଭାଇଙ୍କୁ ରାକ୍ଷୀ ପିନ୍ଧାଇଥିବା ବେଳେ ଶ୍ରୀ ଦାସ, ସେମାନଙ୍କୁ ନିଶା ସେବନଠୁ ଦୂରେଇ ରହିବା ପାଇଁ ଶପଥ ପାଠ କରାଇଥିଲେ। ‘ସମ୍ବାଦ’ କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସ, ‘ନିଶା ନିବାରଣ ବ୍ରତ’ର ଅଭିମୁଖ୍ୟ ସଂପର୍କରେ ସୂଚନା ଦେବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ରାଜଯୋଗୀ ବ୍ରହ୍ମାକୁମାର ନଥମଲ ଭାଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ସମାରୋହରେ କଟକର ବିଭିନ୍ନ ସଂଗଠନ, ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବା ସହିତ ବହୁ ମହିଳା ଶ୍ରୀ ପଟ୍ଟନାୟକଙ୍କୁ ରାକ୍ଷୀ ବାନ୍ଧି ଏହି କାର୍ଯ୍ୟକ୍ରମ ପାଇଁ ଶୁଭେଚ୍ଛା ଜଣାଇଥିଲେ। ସମାରୋହରେ କଟକ ସହରର ବିଭିନ୍ନ ଅନୁଷ୍ଠାନର ୪ଶହରୁ ଅଧିକ ପୁରୁଷ, ମହିଳା ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/9b7ffeaa-57f0-4ac1-b41a-197d13f8672e.jpeg)