ପ୍ରଚାର ସରିଲା: ରାତି ପାହିଲେ ଭୋଟ୍‌, ଅନ୍ଧାରୀ ବିଜେ ଆରମ୍ଭ

ଅର୍ଥ ଓ ମଦ ବିତରଣ ‌ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଦିନକ ପରେ ପଞ୍ଚାୟତ ଭୋଟ୍ ଆରମ୍ଭ ହେବ। ଫେବ୍ରୁଆରି ୧୬ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏହାକୁ ନଜରରେ ରଖି ଭୋଟ୍‌ର ୩୬ଘଣ୍ଟା ପୂର୍ବରୁ ଅର୍ଥାତ୍ ଆଜି ସଂଧ୍ୟା ୭ଟାରୁ ନିର୍ବାଚନ ହେବାକୁ ଥିବା ସବୁ ବ୍ଲକ୍‌ରେ ପ୍ରଚାର ବନ୍ଦ ହୋଇଛି। ପୁଲିସ ଭ୍ୟାନ୍‌ ଗାଁ ଗାଁ ବୁଲି ପ୍ରଚାର ବନ୍ଦ କରିବା ସହ ପ୍ରାର୍ଥୀ ଓ ସମର୍ଥକଙ୍କୁ ତାଗିଦ୍‌ କରୁଥିବା ଦେଖିବାକୁ ମିଳିଛି। ଏହାସହ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ ମଣ୍ଡଳୀରୁ ବାହାର ଅଞ୍ଚଳର ରାଜନେତାଙ୍କୁ ବିଦା କରାଯାଇଛି।

ସୋମବାର ଦିନ ପ୍ରଚାରର ଶେଷ ଦିନ ଥିବାରୁ ପ୍ରାର୍ଥୀ ଓ ରାଜନୈତିକ ଦଳମାନେ କଳ, ବଳ, କୌଶଳ ଲଗାଇ ଜୋରଦାର୍ ପ୍ରଚାର କରିଛନ୍ତି। ପ୍ରଚାରର ଶେଷ ଦିନରେ ଯେପରି ମତଦାତା ନିରାଶ ହେବେନି ସେଥିପାଇଁ ପ୍ରାର୍ଥୀମାନେ ପାଦ ଛୁଇଁ ମୁଣ୍ଡିଆ ମାରିବା ଠାରୁ ଆରମ୍ଭ କରି ଯେତେ ପ୍ରକାରର ପ୍ରତିଶ୍ରୁତି ଦେଇପାରିବେ ଦେଇଛନ୍ତି।

DNA India

ହେଲେ ଏତିକିରେ ବି କିଛି ପ୍ରାର୍ଥୀଙ୍କ ମନ ବୁଝିନି। ସେଥିପାଇଁ ‌ସୋମବାର ରାତିରୁ ଅନ୍ଧାରୀ ବିଜେ ଆରମ୍ଭ ହୋଇଛି। ଯେଉଁଠି ଭୋଟର ଅନ୍ୟ ପ୍ରାର୍ଥୀଙ୍କ ଆଡ଼କୁ ଢଳିବାର ଆଶଙ୍କା ଅଛି ବା ଦ୍ବନ୍ଦ୍ବରେ ଅଛନ୍ତି ସେହିଭଳି ଭୋଟରଙ୍କୁ ପ୍ରାର୍ଥୀ ଟାର୍ଗେଟ୍ କରିଛନ୍ତି। କାହାକୁ ହାତଗୁଞ୍ଜା ତ କାହାକୁ ସଉଦା ଦିଆଯାଉଛି। ଭୋଟରଙ୍କୁ ସିଧାସଳଖ ପଚରାଯାଉଛି କ’ଣ ଚାହୁଁଛନ୍ତି। ସଙ୍ଗେସଙ୍ଗେ ତାହା ଘରେ ପହଞ୍ଚାଇବା ବ୍ୟବସ୍ଥା ବି କରାଯାଉଛି। ଗାଁ ଗାଁର ଯୁବ ଭୋଟରଙ୍କ ପାଇଁ କ୍ଲବ ଘରେ ଭୋଜି ସାଙ୍ଗକୁ ମଦମାଂସର ବି ଆସର କରାଯାଉଛି। କୌଣସି ପରିସ୍ଥିତିରେ ଯେପରି ଭୋଟର ଖସିବେନି ସେ ବ୍ୟବସ୍ଥା ପ୍ରାର୍ଥୀ କରିଛନ୍ତି। ଯେପରି ଭୋଟରଙ୍କୁ ହାତଗୁଞ୍ଜା, ମନ ପସନ୍ଦର ଜିନିଷ ଦେଲା ପରେ ବି ଯେପରି ଅନ୍ୟ କାହାକୁ ଭୋଟ୍ ଦେବେନି ସେଥିପାଇଁ ପ୍ରତିଶ୍ରୁତି ନେଉଛନ୍ତି। ଏଥିପାଇଁ କିଏ ଜଗନ୍ନାଥଙ୍କ ମହାପ୍ରସାଦ ତ କିଏ ଗାଁ ଠାକୁରଙ୍କ ପାଦୁକ ଛୁଆଁଇ ଶପଥ କରାଉଛନ୍ତି। ବୁଧବାର ସକାଳ ସୁଦ୍ଧା ଯେତେ ଅଧିକ ଭୋଟରଙ୍କୁ ଶପଥ କରାଇପାରିବେ ସେଥିରେ ପ୍ରାର୍ଥୀ ଓ ତାଙ୍କ ଅନୁଗତମାନେ ମାତିଛନ୍ତି। କିଛି ସ୍ଥାନରେ ଭୋଟର ବି ସହଜରେ ବିକ୍ରି ହେଉନାହାନ୍ତି। ପ୍ରାର୍ଥୀ ଆସିଲେ କିଏ କ’ଣ ଦେବ ସେନେଇ ମୂଲଚାଲ କରୁଛନ୍ତି। ୫ବର୍ଷ ପାଇଁ ଶାସନ କରିବ ମାନେ ଆମକୁ ସେହିଭଳି ଜିନିଷ ‌ଦିଅ ବୋଲି ଖୋଲାଖୋଲି କହୁଛନ୍ତି। କିଛି କିଛି ଗାଁରେ ପ୍ରାର୍ଥୀଙ୍କ ଠାରୁ ମନ୍ଦିର, କ୍ଲବ ଘର, କୋଠ ଘର, ଗାଁ ପୋଖରୀ ଆଦି ପାଇଁ ମୋଟା ଅଙ୍କର ଚାନ୍ଦା ବି ଆଦାୟ କରୁଛନ୍ତି। ବଦଳରେ ପୂରା ଗାଁର ଭୋଟ୍‌ ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି।

ଭୋଟ୍‌ ପୂର୍ବରୁ ଏହିଭଳି ଅନ୍ଧାରୀ ବିଜେ ଚାଲୁଥିବାର ନଜିର୍ ପୂର୍ବରୁ ଥିବାରୁ ଜିଲ୍ଲାପାଳମାନେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିସନଙ୍କ ପକ୍ଷରୁ ନିର୍ଦ୍ଦେଶ ‌ଦିଆଯାଇଛି। ଏପରିକି ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂ, କଡ଼ାକଡ଼ି ଚେକିଂ କରିବାକୁ କୁହାଯାଇଛି। ବିଶେଷ କରି ଅର୍ଥ କାରବାର, ମଦ ବିତରଣ ଆଦି ରୋକିବାକୁ କୁହାଯାଇଛି।

ବୁଧବାର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୨ଟି ଜିଲ୍ଲା ପରିଷଦ ଜୋନ୍‌, ୧୬୬୯ଟି ସରପଞ୍ଚ, ୧୬୬୯ଟି ପଞ୍ଚାୟତ ସମିତି ସଭ୍ୟ ଓ ୨୦ହଜାରରୁ ଅଧିକ ୱାର୍ଡ ମେମ୍ବର ପଦବି ପାଇଁ ୨୨୩୭୯ଟି ବୁଥ୍‌ରେ ମତଦାନ ହେବ। ୬୭ଲକ୍ଷ ୫୧ହଜାର ୬୮ଜଣ ମତଦାତା ଭୋଟ୍‌ ଦେବେ। ସବୁ ବୁଥ୍‌ରେ ଜଣେ ଲେଖାଏଁ ହୋମଗାର୍ଡଙ୍କୁ ନିଯୁକ୍ତ କରାଯିବ। ଯେଉଁଠି ବୁଥ୍ ଉତ୍ତେଜନା ପ୍ରବଣ ଅଛି ସେଠାରେ ଜଣେ ଅତିରିକ୍ତ କନଷ୍ଟେବଳ ମୁତୟନ ହେବେ। ବୁଥ୍‌ର ସମ୍ବେଦନତା ଦେଖି ସେଠାରେ ପୁଲିସ କର୍ମଚାରୀ ମୁତୟନ ହେବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଯେପରି ଶୃଙ୍ଖଳିତ ଭାବେ ଆରମ୍ଭ ହେବ, ବାଲାଟ୍ ବକ୍ସ ନିରାପଦର ସହ ଷ୍ଟ୍ରଙ୍ଗରୁମ୍‌ରେ ପହଞ୍ଚିବ ସେନେଇ ନିର୍ବାଚନ କମିସନର ସମସ୍ତ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ଆଜି ୧୧ଟି ଜିଲ୍ଲାରେ ପୁଲିଂ ପାର୍ଟିଂ ପହଞ୍ଚି ଯାଇଥିବାବେଳେ ମଙ୍ଗଳବାର ବାକି ୧୯ଟି ଜିଲ୍ଲାରେ ପୁଲିଂ ପାର୍ଟି ପହଞ୍ଚିବେ। ସବୁ ବୁଥ୍‌ରେ ସିସିଟିଭି ଲଗାଯାଇଛି।

ସମ୍ବନ୍ଧିତ ଖବର