ପଦ୍ମପୁର, (ସୁବ୍ରତ ନାୟକ) : ବଲ୍ ଏକ୍.. ରନ୍ ଦୁଇ। ଶେଷ ବଲ୍ରେ ଦରକାର ମାତ୍ର ଦୁଇଟି ରନ୍। ବଲ୍ ସଠିକ୍ ହିଟ୍ ହେଲେ ୱିକେଟ୍ ଗଡ଼ିବ, ନହେଲେ ଛକା ବର୍ଷିବ। ବୋଲର୍ଙ୍କ ହୃତ୍ସ୍ପନ୍ଦନ ପ୍ରଖର ହୋଇ ଉଠୁଥିଲା ବେଳେ ପ୍ରତିପକ୍ଷର ବ୍ୟାଟର୍ ବି ଚାପରେ ଗଳଦ୍ଘର୍ମ। ଏମିତି ରୋମାଞ୍ଚକର ସ୍ଥିତିରେ ଦେଖଣାହାରୀଙ୍କ ଅବସ୍ଥା ତତୋଧିକ। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ଥାନର କୌଣସି ଦିନିକିଆ କ୍ରିକେଟ୍ ମ୍ୟାଚ୍ରେ ଦୃଶ୍ୟମାନ ଏଭଳି ଏକ ପ୍ରବଳ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତି ଅନୁରୂପ ପଦ୍ମପୁର ଉପନିର୍ବାଚନର ଏବର ହାଲ୍।
କିଏ ଜିତିବ ଏ ଉପ ନିର୍ବାଚନ?- ଏହା ଏବେ ସାଧାରଣରେ କୋଟିଏ ଟଙ୍କାର ପ୍ରଶ୍ନ। ୨୦୨୪ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେମିଫାଇନାଲ୍ ରୂପେ ପରିଗଣିତ ଏହି ପ୍ରବଳ ଉଷ୍ଣତାଭରା ଉପ ନିର୍ବାଚନରେ କଣ ହେବ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେଡି-ବିଜେପିର ଭାଗ୍ୟ? କେବଳ ପଦ୍ମପୁର ନିର୍ବାଚନମଣ୍ଡଳୀ ଅବା ବରଗଡ଼ ଜିଲ୍ଲାବାସୀ ନୁହନ୍ତି, ରାଜନୀତିରେ ଋଚି ରଖୁଥିବା ତମାମ୍ ରାଜ୍ୟବାସୀଙ୍କର ରହିଛି ତୀକ୍ଷ୍ଣ ନଜର। ହେଲେ ଦିନକ ପରେ ଭୋଟଗ୍ରହଣ, ତଥାପି ସ୍ପଷ୍ଟ ହେଉନି ଚିତ୍ର। ପ୍ରଚାର ଅଭିଯାନ ଶନିବାର ଦିନ ଶେଷ ହୋଇଯାଇଥିଲେ ହେଁ ଭୋଟର୍ ଭଗବାନ କିନ୍ତୁ ସଂପୂର୍ଣ୍ଣ ନିରବ। ନା ପାଟି ଖୋଲୁଛି, ନା ଅଙ୍ଗଭଙ୍ଗୀରେ ପ୍ରତିଫଳିତ ହେଉଛି ସେମାନଙ୍କ ମନ ଭିତରର ଗୋପନ ଭାଷା। ଭୋଟର ଭଗବାନଙ୍କ ଏଭଳି ନିରବ ମୁଦ୍ରା ବିଜେଡି-ବିଜେପି ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କୁ ଅଧିକରୁ ଅଧିକ ବିଚଳିତ କରୁଛି ସିନା ଆଶ୍ବସ୍ତ କରିପାରୁନି।
ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ଅପ୍ରତ୍ୟାଶିତ ବିୟୋଗ ଯୋଗୁଁ ଅନୁଷ୍ଠିତ ଏହି ଉପ ନିର୍ବାଚନର ଆଦ୍ୟକାଳରେ ବିଜେପି ସପକ୍ଷରେ ଏକ ହାୱା ରହିଥିଲା। ପ୍ରମୁଖ କାରଣ ଥିଲା ଦିଗଙ୍ଗତ ବିଧାୟକ ବିଜୟରଂଜନଙ୍କ ପ୍ରତି ଭୋଟରଙ୍କ ନକାରାତ୍ମକ ଭାବନା ଓ ନିର୍ବାଚନମଣ୍ଡଳୀର ଚିରନ୍ତନ ଦୁଃଖ ପାଣି ସମସ୍ୟା ପ୍ରତି କ୍ରମାଗତ ଅଣଦେଖା। ସଦ୍ୟ ସମାପିତ ଧାମନଗର ଉପ ନିର୍ବାଚନର ଫଳାଫଳ ବି ବିଜେପି ସପକ୍ଷ ହାୱା ପାଇଁ କିଛିଟା ସହାୟକ ହୋଇଥିଲା। ତେବେ କେବଳ ଯେ ଶାସକ ଦଳ ପ୍ରତି ଅଂଚଳବାସୀଙ୍କ ନକାରାତ୍ମକ ଭାବନା ଆଧାରରେ ବିଜେପିର ପଲା ଭାରି ରହିଥିଲା ତାହା ନୁହେଁ, ବରଂ ପ୍ରାର୍ଥୀଙ୍କ ଦକ୍ଷତା କ୍ଷେତ୍ରରେ ବିଜେପି ପ୍ରତିପକ୍ଷ ବିଜେଡି ଠାରୁ ଆଗରେ ରହିଥିଲା। ଅନୁକମ୍ପାମୂଳକ ଭୋଟ ହାତେଇବା ଲକ୍ଷ୍ୟରେ ଶାସକ ଦଳ ଦିବଙ୍ଗତ ବିଧାୟକ ବିଜୟରଂଜନଙ୍କ ଝିଅ ବର୍ଷାଙ୍କୁ ମଇଦାନକୁ ଛାଡ଼ିଥିଲେ ହେଁ ଏହା ଭୋଟରଙ୍କୁ ସେଭଳି ଆକର୍ଷିତ କରିପାରିଲା ନାହିଁ। ବରଂ ଗତ ନିର୍ବାଚନରେ ବିଜେପିର ପ୍ରଦୀପ ଓରଫ କୁନା ପୁରୋହିତଙ୍କ ପରାଜୟ ନେଇ ପରବର୍ତ୍ତୀ କାଳରେ ଭୋଟରଙ୍କ ଭିତରେ ସୃଷ୍ଟି ହୋଇଥିବା ପଶ୍ଚାତାପ ବିଜେପି ପ୍ରାର୍ଥୀ କୁନା ପୁରୋହିତଙ୍କ ପାଇଁ ଚଳିତ ଉପ ନିର୍ବାଚନରେ ଏକ ଅନୁକମ୍ପାମୂଳକ ସ୍ଥିତି ସୃଷ୍ଟି କରିଥିଲା।
ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଚାଷୀମାନଙ୍କ ବୀମାରାଶି, ପଦ୍ମପୁରକୁ ରେଳ ଲାଇନ୍ ଓ କେନ୍ଦୁପତ୍ର ଉପରେ ସ୍ବତନ୍ତ୍ର ରିହାତି ଆଦି ପ୍ରସଙ୍ଗକୁ ନେଇ ବିପକ୍ଷ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଉପରେ ତୁହାକୁ ତୁହା ଆରୋପ ସାଙ୍ଗକୁ ସ୍ବତନ୍ତ୍ର ଜିଲ୍ଲା ଗଠନ ପାଇଁ ପ୍ରତିଶ୍ରୁତି, ଚାଷୀ ଓ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍, ସ୍ବୟଂସହାୟିକା ଗୋଷ୍ଠୀଙ୍କୁ ବିନାସୁଧରେ ଋଣ ପରିମାଣ ବୃଦ୍ଧି ଭଳି ଗୋଟିଏ ପରେ ଗୋଟିଏ ଗୋଟିଚାଳନା କରି ଶାସକ ବିଜେଡି ସ୍ଥିତିକୁ ବରାବର କରିବାରେ ବେଶ୍ ସଫଳ ହୋଇପାରିଥିଲା। ଜାତିଗତ ଭୋଟ ରାଜନୀତିକୁ ଆଖି ଆଗରେ ରଖି ପୁରୀରେ ଧର୍ମଶାଳା ପାଇଁ ଜାଗା ଦେବାକୁ ପ୍ରତିଶ୍ରୁତି ବି ଦିଆଗଲା। ଏତଦ୍ଭିନ୍ନ ମାଳମାଳ ମନ୍ତ୍ରୀ ଓ ବିଧାୟକଙ୍କ ସାଙ୍ଗକୁ ଗାଁ-ଗାଁରେ ଦଳର ବରିଷ୍ଠ ନେତାମାନେ ଡେରା ପକାଇ ବିମୁଖ ଭୋଟରମାନଙ୍କୁ ଭିନ୍ନଭିନ୍ନ କଳାକୌଶଳ ବଳରେ ପୁଣି ଶାସକଦଳ ଆଡ଼କୁ ଆକର୍ଷିତ କରିବାରେ ଯଥେଷ୍ଟ ସକ୍ଷମ ହୋଇପାରିଥିବା ପରିଲକ୍ଷିତ ହୋଇଛି। ଏତେସତ୍ତ୍ବେ ପ୍ରାରମ୍ଭରୁ ବିଜେପି ସପକ୍ଷରେ ରହିଥିବା ଅନ୍ତଃସ୍ରୋତକୁ ଏହା ସଂପୂର୍ଣ୍ଣ ରୂପେ ପ୍ରତିହତ କରି ଶାସକ ଦଳ ସପକ୍ଷରେ ଏକ ନିଶ୍ଚିତ ବିଜୟର ସ୍ଥିତି ସୃଷ୍ଟି କରିବାରେ ସଫଳ ହୋଇପାରି ନଥିଲା।
ଚାଷୀମାନଙ୍କ ବୀମାରାଶି ଏବଂ ପଦ୍ମପୁରକୁ ରେଳ ଲାଇନ୍ ଆସିବାରେ ରାଜ୍ୟ ସରକାରଙ୍କ ପାଖରେ ସମସ୍ୟା ରହିଥିବା ଦର୍ଶାଇ କେନ୍ଦ୍ର କୃଷିମନ୍ତ୍ରୀ ସିଂହ ତୋମର ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପାଇକମାଳ ଓ ପଦ୍ମପୁର ଜନସଭାରେ ପାଲଟା ଆରୋପ ଏବଂ ନିର୍ବାଚନ ମଣ୍ଡଳୀର ତିନି ବ୍ଲକ୍ ପଦ୍ମପୁର, ପାଇକମାଳ ଓ ଝାରବନ୍ଧରେ ତିନିଦିନିଆ କ୍ୟାମ୍ପ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଁକୁ ଗାଁ ମାରାଥନ ଗସ୍ତ, ତୁହାକୁ ତୁହା ସଭାସମିତି, ରୋଡ୍ ସୋ ଏବଂ ପଦଯାତ୍ରା ଆଗକୁ ଆଗକୁ ମାଡ଼ି ଚାଲୁଥିବା ଶାସକଦଳକୁ କିଛିଟା ଚେକ୍ ଦେବାରେ ସକ୍ଷମ ହୋଇଛି। ପୁଣି ମେଳଛାମୁଣ୍ଡାର ପୂର୍ବତନ କଂଗ୍ରେସ ବିଧାୟକ ମୁରାରୀମୋହନ ମିଶ୍ରଙ୍କ କନ୍ୟା ରାଜଲକ୍ଷ୍ମୀ ମିଶ୍ର ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. କୃପାସିନ୍ଧୁ ଭୋଇଙ୍କ ପୁତ୍ର, ପୂର୍ବତନ କଂଗ୍ରେସ ସାଂସଦ ସଂଜୟ ଭୋଇଙ୍କ ଦଳରେ ଯୋଗଦାନ ବିଜେପି ଝୁଲିରେ କେତେ ଭୋଟ ଭରିବ ତାହା ଭିନ୍ନ କଥା, କିନ୍ତୁ ଗେରୁଆ ଶିବିରରେ ସେମାନଙ୍କ ଉପସ୍ଥିତି ଢେର୍ ଉତ୍ସାହ ସୃଷ୍ଟି କରିଛି।
‘ମାଟିର ଲଢ଼ୁଆ ପୁଅ ବନାମ୍ ବାହାରର ବୋହୂ ସ୍ଲୋଗାନ ବି ଭୋଟରଙ୍କ ମନକୁ ଛୁଉଁଥିବା ଦେଖି ବିଜେପି ନେତା ଓ କର୍ମୀ ଏହାକୁ ଅନ୍ୟତମ ପ୍ରମୁଖ ମୁଦ୍ଦା କରିଦେଇଛନ୍ତି। ଏକଦା ନିଜର ବିଜୟ ନେଇ ଢେର୍ ଆଶାବାଦୀ ଶାସକ ଦଳ ନିଜର ‘ବ୍ରହ୍ମାସ୍ତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ପ୍ରଚାର ଅଭିଯାନରେ ବ୍ୟବହାର କରିବ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବରେ ରହିଥିଲା। ହେଲେ କ୍ରମଶଃ ସ୍ଥିତି ଏଭଳି ହେଲା ଯେ ଶାସକ ଦଳ ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଏକରକମ ବାଧ୍ୟ ହେଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ସ୍ବାଭାବିକ ଭାବେ ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ସ୍ଥିତିରେ ଆଶାନୁରୂପକ ଉନ୍ନତି ପରିଲକ୍ଷିତ ହୋଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାଳରେ ବିଜେପି ନେତ୍ରୀ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦ୍ମପୁର ବ୍ଲକ୍ର ବିଭିନ୍ନ ସ୍ଥାନରେ ସମାନ୍ତରାଳ ସଭା ଓ ରୋଡ୍ ସୋ ଏବଂ ପୁନର୍ବାର ଆଜି ପ୍ରଚାରର ଶେଷ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦୁଇ ବ୍ଲକ୍ ଝାରବନ୍ଧ ଓ ପଦ୍ମପୁରରେ ରୋଡ୍ ସୋ ଓ ସଭାସମିତି ବିଜେଡିମୁହାଁ ନିର୍ବାଚନ ଫଳାଫଳକୁ ପୁଣି ଗୋଳିଆ କରିଦେଇଛି।
ଏଣେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ବି ତାଙ୍କ ପ୍ରଚାର, ଅଭିଯାନରେ ଏଯାଏଁ ଥକି ଯାଇନାହାନ୍ତି। ନିର୍ବାଚନ କ୍ରମଶଃ ତ୍ରିମୁଖୀରୁ ଦ୍ବିମୁଖୀ ହୋଇ ସାରିଥିବା ସତ୍ତ୍ବେ ସେ କଂଗ୍ରେସର ପାରମ୍ପରିକ ପକେଟ ଭୋଟ ଓ ନିଜର ବ୍ୟକ୍ତିଗତ ଭୋଟକୁ ବାନ୍ଧି ରଖିବା ଲାଗି କସରତ ଚଳାଇଛନ୍ତି। କିନ୍ତୁ ବିଜେଡି-ବିଜେପିର ହାଇ-ଭୋଲଟେଜ୍ ଲଢ଼େଇରେ କଂଗ୍ରେସ ଶିବିର ବି ଗୁରୁତର ପ୍ରଭାବିତ ହୋଇଛି। ଉଭୟ ଦଳ କଂଗ୍ରେସ ଖାତାରେ ଭାଗ ବସାଇବା ଲାଗି ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚଳାଇଛନ୍ତି। ତେବେ କଂଗ୍ରେସ ନଜିତିଲେ ବି ଦଳର ପାରମ୍ପରିକ ଭୋଟ ଯେ ଏଥର ନିର୍ବାଚନର ଜୟ-ପରାଜୟରେ ଏକ ପ୍ରମୁଖ ଭୂମିକା ନିଭେଇବ ସେଥିରେ କୌଣସି ଦ୍ବିମତ ନାହିଁ।
ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି ଯେ ବିଭିନ୍ନ ଦମ୍ଦାର ପ୍ରସଙ୍ଗ, ଜାତିଗତ ସମୀକରଣ ସାଙ୍ଗକୁ ଅଂଚଳର ବିକାଶ ପ୍ରତି ଶାସକ ଦଳର ଗଣ୍ଡାଗଣ୍ଡା ଆକର୍ଷଣୀୟ ଅଫର୍ ସତ୍ତ୍ବେ ସ୍ପଷ୍ଟ ହୋଇପାରୁନି ଜନମତ। ନିର୍ବାଚନ ମଣ୍ଡଳୀର ମୋଟ ଭୋଟ୍ ୨ ଲକ୍ଷ ୫୫ ହଜାରରୁ ପ୍ରାୟ ୩୦ ହଜାର ପଞ୍ଜୀକୃତ ଚାଷୀଙ୍କ ପରିବାରର ଭୋଟ ହେଲା ପାଖାପାଖି ଏକ ଲକ୍ଷ। ସେମାନଙ୍କ ମଧ୍ୟରୁ ଅନେକେ ଉଭୟ ଦଳକୁ ନେଇ ବୀତଃସ୍ପୃହ। ଏପରିକି କେତେକ ‘ନୋଟା ଆଡ଼କୁ ଯିବେ ବୋଲି ବି ଚର୍ଚ୍ଚା ହେଉଛି। ସେହିଭଳି ପ୍ରାୟ ୨୫ ହଜାର ଦାଦନଙ୍କ ମଧ୍ୟରୁ ଏବେ ବି ଅଧିକାଂଶ ରାଜ୍ୟ ବାହାରେ। ଏଭଳି ସ୍ଥିତିରେ ସବୁ ହିସାବକିତାବ, ଅଙ୍କକଷାରୁ ମିଳୁଛି କେବଳ ଅଛିଣ୍ଡା ଫଳ। ମାତ୍ର ଦୁଇ ରନ୍ ପାଇଁ ଚାଲିଥିବା ସଂଘର୍ଷପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ର ଶେଷ ବଲ୍ରେ ଉଇକେଟ୍ ଖସିବ, ନାହିଁ ତ ଛକା ବର୍ଷିବ। ଏହାକୁ ଦୃଷ୍ଟିରେ ରଖି ଉଭୟଦଳ ଅଧିକ ସତର୍କ ହୋଇଉଠିଛନ୍ତି। କାଗଜକଲମରେ ପ୍ରଚାର ଅଭିଯାନ ଆଜି ବସ୍ତୁତଃ ଶେଷ ହୋଇଯାଇଛି ସତ, ହେଲେ ଆଜି ରାତିରୁ ଆସନ୍ତା ୩୬ ଘଣ୍ଟାରେ ଆରମ୍ଭ ହେବାକୁ ଯାଉଥିବା ଉଭୟପକ୍ଷର ଶେଷ ଅସ୍ତ୍ର ‘ଅନ୍ଧାରୀ ବିଜେ ହିଁ କହିବ ବାସ୍ତବରେ ଜିତାପଟ କାହାର?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/padmapur-bypoll-a.jpg)