ଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର, ପୁଣି ବିରୋଧୀଙ୍କୁ ଟାର୍ଗେଟ୍ କଲେ

ଖୋର୍ଦ୍ଧା: ଖୋର୍ଦ୍ଧାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଜନସଭାରେ ବିକାଶମୂଳକ କାମର ହିସାବ ଦେବା ସହ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ନବୀନ ପଟ୍ଟନାୟକ। ଆସନ୍ତା ଜୁଲାଇ ମାସରୁ ମାଗଣା ବିଜୁଳି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଏହାସହ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ଭୁଲିନାହାନ୍ତି ନବୀନ ପଟ୍ଟନାୟକ। ବିରୋଧୀ ଏବେ ମିଛ କହୁଛନ୍ତି, ଅପପ୍ରଚାର କରୁଛନ୍ତି। ନିର୍ବାଚନ ଥିବାରୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ଖୋର୍ଦ୍ଧା ସଭାରୁ ଅପରାଜିତାଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ନବୀନ। ପୁରୀ ପରିକ୍ରମା ପ୍ରକଳ୍ପ ଓ ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବାକୁ ଭୁବନେଶ୍ୱର ସାଂସଦ ଚେଷ୍ଟା କରିଥିଲେ ବୋଲି କହିଛନ୍ତି ସେ। ତେଣୁ ଏଥର ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ କହିଛନ୍ତି ନବୀନ।

ବିଭିନ୍ନ ଯୋଜନା ଆପଣମାନଙ୍କୁ କେମିତି ଲାଗୁଛି ବୋଲି ଲୋକଙ୍କୁ ନବୀନ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀବସ, କାଳିଆ, ୫ଟି ସ୍କୁଲ ରୂପାନ୍ତରଣ, ମଧୁବାବୁ ପେନ୍‍ସନ, ରାସନ କାର୍ଡ, ପୁରୀ ମନ୍ଦିର କାମ, ମା’ସମଲେଇଙ୍କ କାମ। ସବୁଥିରେ ସମ୍ମିଳିତ ସ୍ୱରରେ ଲୋକେ କହିଥିଲେ ‘ବହୁତ ଭଲ’।

ଏଣେ ୫ଟି ଅଧ୍ୟକ୍ଷ  ଭୁବନେଶ୍ୱର ସାଂସଦଙ୍କୁ ତୀବ୍ର ସମାଲୋଚନା କରି କହିଲେ ଭୁବନେଶ୍ୱର ସାଂସଦ ତାଙ୍କ ରିପୋର୍ଟ କାର୍ଡ ଦେଇ ଲେଖିଛନ୍ତି ଯେ, ଜାତୀୟ ରାଜପଥ ନିର୍ମାଣରେ ୬ ହଜାର ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆପଣମାନେ କୁହନ୍ତୁ ଏନ୍‍.ଏଚ୍‍. ନିର୍ମାଣରେ ସାଂସଦଙ୍କ ଭୂମିକା କଣ ? କଳିଙ୍ଗ ଷ୍ଟାଡିୟମ ପାଖରେ ଫୁଟ୍ ଓଭର୍ ବ୍ରିଜ୍ କରିଛନ୍ତି, ୭ ହଜାର ସୋଲାର ଲାଇଟ, ୨୦ଟି ମିନିମାକ୍ସ ଲାଇଟ। ଏହା ହେଉଛି ଆପଣଙ୍କ ସାଂସଦଙ୍କ ବଡ଼ କାମ। ବର୍ତ୍ତମାନ ମନ୍ଦିର ବୁଲି ୱାଟର କୁଲର ଲଗାଉଛନ୍ତି।  ଭୁବନେଶ୍ୱର ସାଂସଦ ଭାବେ ସହରକୁ ମେଟ୍ରୋ ଆଣିବା, ରିଙ୍ଗ ରୋଡ଼ କରି ଆଖପାଖ ଅଞ୍ଚଳକୁ ଭୁବନେଶ୍ୱର ସହିତ ଯୋଡ଼ିବା, ଏହାଦ୍ୱାରା ଭୁବନେଶ୍ୱର ସହିତ ପାରିପାର୍ଶ୍ୱିକ ଅଞ୍ଚଳ ଯଥା – ଖୋର୍ଦ୍ଧା, ବେଗୁନିଆ, ଜଟଣୀ ଆଦି ଅଞ୍ଚଳର ମଧ୍ୟ ଉନ୍ନତି ହୋଇପାରିବ। ଭୋପାଲ, ବେଙ୍ଗାଲୁରୁ ଓ ଜୟପୁରରେ ରାଜଧାନୀ ଅଞ୍ଚଳର ବିଜେପି ସାଂସଦମାନେ ସେମାନଙ୍କ ଅଞ୍ଚଳ ପାଇଁ ବଡ଼ ବଡ଼ ପ୍ରୋଜେକ୍ଟ ଆଣିପାରିଛନ୍ତି। ଖୋର୍ଦ୍ଧାରେ ନବୀନ ସରକାର କେଉଁ କେଉଁ ଶିଳ୍ପପ୍ରତିଷ୍ଠା କରିଛନ୍ତି, ତା’ର ହିସାବ ଦେଇଛନ୍ତି ସେ। ସାଂସଦ ଭାବେ ଆମର ଆଶା ଥିଲା ସେ ଭୁବନେଶ୍ୱର ପାଇଁ ଅନେକ ଶିଳ୍ପ ଆଣିବେ। ଆପଣଙ୍କ ଅଞ୍ଚଳର ଗର୍ବ ଓ ଗୌରବ ପାଇକ ବିଦ୍ରୋହ ବିଷୟରେ ସେ କିଛି କରିଛନ୍ତି କି ? ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ବାରମ୍ୱାର ଚିଠି ଲେଖୁଛନ୍ତି, କିନ୍ତୁ ସେ ଚୁପ୍‍ ଅଛନ୍ତି

 

ସମ୍ବନ୍ଧିତ ଖବର