ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ଅଭିଯାନ, ସୀମାନ୍ତ ଗାଁରେ ସ୍ଥିତି ପରଖିଲା ପ୍ରଶାସନ

କୋଟିଆ ବିବାଦ ପରେ ଚେତିଲେ, ଏଣିକି ପ୍ରତି ସପ୍ତାହରେ ଗାଁକୁ ଯିବେ

ରାୟଗଡ଼ା: ‘ଆମେ ଓଡ଼ିଶା ସରକାରଙ୍କ ସହ ଅଛୁ। ସବୁ ସୁବିଧା ସୁଯୋଗ ଓଡ଼ିଶାରୁ ପାଇଛୁ। ଭତ୍ତା, ଚାଉଳ ଠିକ୍ ସମୟରେ ମିଳୁଛି। ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ କେହି ଭୋଟ ଦେଇନୁ। ଭୋଟ ମାଗିବାକୁ ଆନ୍ଧ୍ରର କୌଣସି ଅଧିକାରୀ ଆସିନାହାନ୍ତି କି ପ୍ରଲୋଭିତ କରିନାହାନ୍ତି…।’ ଆନ୍ଧ୍ର ସୀମାନ୍ତ ଓଡ଼ିଶା ଗାଁରେ ସ୍ଥିତି ସମୀକ୍ଷା ସମୟରେ ଏପରି ପ୍ରକାଶ କରିଛନ୍ତି ରାୟଗଡ଼ା ବ୍ଲକ ମିରାବାଲି, ଦୁର୍ଗାପାଡ଼ୁ, ଗାଜିଗାଁ ଓ ‌ବୈରାଗୀହାଲୁଆ ପଞ୍ଚାୟତବାସୀ।

କୋଟିଆ ବିବାଦ ପରେ ଆନ୍ଧ୍ର ସୀମାକୁ ଲାଗିଥିବା ଜିଲ୍ଲାର ୬୧ଗାଁ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ରାଜସ୍ବ ବିଭାଗ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶ ମୁତାବକ ସୀମାନ୍ତ ଗାଁରେ ଆନ୍ଧ୍ରର ଅନୁପ୍ରବେଶ, ଦବଦବା ରୋକିବାକୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ। ରାୟଗଡ଼ା ତହସିଲଦାର ଉମାଶଙ୍କର ବେହେରା, ବିଡିଓ ରାଜେନ୍ଦ୍ର ମାଝି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ରାଜସ୍ବ ସୁପରଭାଇଜର ମଲ୍ଲିକାର୍ଜୁନ, କାରୁବାଇ, ଜେମାଦେଇପେଣ୍ଠ ରାଜସ୍ବ ନିରୀକ୍ଷକଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଆଜି ସୀମାନ୍ତ ଗାଁ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି।

ପ୍ରଥମେ ଟିମ୍ ମିରାବାଲି ପଞ୍ଚାୟତର ସୁରଣି ଗ୍ରାମରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲା। ଆନ୍ଧ୍ର ସୀମାନ୍ତ ଗାଁକୁ ସୁରଣି ଲାଗିଥିବାରୁ ଆନ୍ଧ୍ରର ଗତିବିଧି ଓ ଆନ୍ଧ୍ର ଅଧିକାରୀଙ୍କ କାର୍ଯ୍ୟକଳାପ ସଂପର୍କରେ ତହସିଲଦାର ଓ ବିଡିଓ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ। ଗତ ୧୩ ତାରିଖରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାରୁ ଉକ୍ତ ନିର୍ବାଚନରେ ଗ୍ରାମର କୌଣସି ଲୋକ ଭୋଟ ଦେଇନଥିବା ଗ୍ରାମବାସୀ ପ୍ରକାଶ କରିଥିଲେ। ଏହାପରେ ଟିମ୍ ରେଙ୍ଗାଲପାଡ଼ୁ, ସାନ୍ଧୁବାଡ଼ି ଗ୍ରାମ ପରିଦର୍ଶନରେ ଯାଇଥିଲେ। ଗାଁରେ ଚାଲିଥିବା ସରକାରଙ୍କ ବିକାଶମୂଳକ କାମର ତଦାରଖ କରିବା ସହ ଟିମ୍ ସୁବିଧା ଅସୁବିଧା ସଂପର୍କରେ ଲୋକଙ୍କ ସହ ଭାବ ବିନିମୟ କରିଥିଲେ। ତେବେ, ବୈରାଗୀହାଲୁଆ ପଞ୍ଚାୟତର ସାନଲୁକୁଟି ଗାଁକୁ ଯିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ରାସ୍ତା ନଥିବାରୁ ଆନ୍ଧ୍ରପ୍ରଦେଶର ଗାଁ ଦେଇ ଟିମ୍‌କୁ ଯିବାକୁ ପଡ଼ିଥିଲା। ଶେଷରେ ଗାଜିଗାଁ ପଞ୍ଚାୟତର ଜାଙ୍ଗେସୁ, ଆଚବା, ଗଣ୍ଡାୱାଲସା ଗ୍ରାମରେ ସ୍ଥିତି ସମୀକ୍ଷା ପରେ ଟିମ୍ ସଂଧ୍ୟାରେ ରାୟଗଡ଼ା ଅଭିମୁଖେ ଆସିଥିଲେ।
ଏହି ସମସ୍ତ ଗାଁରେ ସ୍ଥିତି ସମୀକ୍ଷା ପାଇଁ ଏଣିକି ପ୍ରତି ସପ୍ତାହରେ ଜିଲ୍ଲାସ୍ତରୀୟ ଅଧିକାରୀ ଗାଁକୁ ଯିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର