ଇବ୍ଥର୍ମାଲ : ଓଡ଼ିଶା ପାଓ୍ବାର ଜେନେରେସନ୍ କର୍ପୋରେସନ (ଓପିଜିସି)ରୁ ଆମେରିକୀୟ କମ୍ପାନି ଏଇଏସ୍ ଓ ଏହାର ଅଧିକାରୀଙ୍କୁ ତୁରନ୍ତ ବିଦା କରିବାକୁ ଦାବି ଜୋର ଧରିଛି। ରବିବାର ଓପିଜିସି ଅଫିସର ସଂଘ, ଓପିଜିସି କର୍ମଚାରୀ ସଂଘ, ଆଇଟିପିଏସ୍ କର୍ମଚାରୀ ସଂଘର ମିଳିତ ବୈଠକରେ ‘ଏଇଏସ୍ ହଟାଅ, ଓପିଜିସି ବଞ୍ଚାଅ’ ସ୍ବର ଉଠିଛି। ସୂଚନାଯୋଗ୍ୟ ଏଇଏସ୍ ଅଧିକାରୀଙ୍କ ବହିଷ୍କାର ଦାବି କରି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଗତ ୧୨ ତାରିଖରେ ‘ସମ୍ବାଦ’ ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ‘ଆମଘର ହାଲଚାଲ’ ସ୍ତମ୍ଭରେ ମଧ୍ୟ ‘ଏବେ ପୂର୍ଣ୍ଣାହୁତି ଦେବାର ସମୟ’ ଶୀର୍ଷକରେ ଏ ସଂପର୍କରେ ଆହ୍ବାନ ଦେଇଥିଲେ।
ଆଜି ମଧ୍ୟାହ୍ନରେ ଓପିଜିସିର ୩ଟି ୟୁନିୟନ୍ର ବୈଠକ ଇବ୍ଥର୍ମାଲ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଥିଲା। କରୋନା କଟକଣାକୁ ଦୃଷ୍ଟିରେ ରଖାଯାଇ ଅଫିସର୍ସ ଆସୋସିଏସନ୍ ସଭାପତି ବୀରେନ୍ଦ୍ର ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଏଇଏସ୍ ବିରୋଧରେ ପ୍ରାୟ ସମସ୍ତ ବକ୍ତାଙ୍କ ସ୍ବର ସମାନ ଥିଲା। ସଂଗଠନର କର୍ମକର୍ତ୍ତାଙ୍କ ଅଭିଯୋଗ ଯେ ୧୯୯୯ ମସିହାରେ ଏହି କଂପାନିକୁ ରାଜ୍ୟ ସରକାର ଓପିଜିସିର ୪୯ ପ୍ରତିଶତ ଅଂଶଧନ ବିକ୍ରି କରିଥିଲେ। ନିଜେ ସରକାର ୫୧ ପ୍ରତିଶତ ଅଂଶଧନ ରଖିଥିଲେ। ଚୁକ୍ତି ମୁତାବକ ଏଇଏସ୍ ସବୁଠି ମାଲିକାନା ଜାହିର କରିବାର ସୁଯୋଗ ପାଇଲା। ଧୀରେ ଧୀରେ ଏଠାରେ ଏଇଏସ୍ କ୍ୟାଡର୍ ଓ ଓପିଜିସି କ୍ୟାଡର୍ ଭଳି ଦୁଇ ସମାନ୍ତରାଳ ଭାଗ କରି ଏଇଏସ୍ ଅଧିକାରୀ ଓପିଜିସି କ୍ୟାଡର୍ ଲୋକଙ୍କୁ ସବୁକ୍ଷେତ୍ରରେ କୋଣଠେସା କରି ରଖିଲେ। ସମାନ କାମକୁ ସମାନ ଦରମା ବିଧି ବ୍ୟବସ୍ଥାକୁ ଏଠାରେ ବେଖାତିର କରାଗଲା। ଏଇଏସ୍ ଅଧିକାରୀ ବର୍ଷକୁ କୋଟି କୋଟି ଟଙ୍କାର ଦରମା ନେଲେ। ଫଳରେ ଓପିଜିସି ସଂଗଠନଗୁଡ଼ିକ ୨୦୧୬ରୁ ଏ ବାବଦରେ ଲଢ଼େଇ କରି ଆସୁଛନ୍ତି। ପରିତାପର ବିଷୟ ଯେ ଓପିଜିସି କ୍ୟାଡର୍ କର୍ମଚାରୀ ଗତ ୨୫ ଫେବ୍ରୁଆରିଠାରୁ ୧୦ ଦଫା ଦାବି ନେଇ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କଲେ ବି ତାଙ୍କ କଥା ଶୁଣିବାକୁ କଂପାନି କର୍ତୃପକ୍ଷ ନାରାଜ୍।
/sambad/media/post_attachments/wp-content/uploads/2020/10/an-300x94.jpg)
ଏବେ ରାଜ୍ୟ ସରକାର ଏଇଏସ୍ କମ୍ପାନି ହାତରେ ଥିବା ଓପିଜିସିର ୪୮ ପ୍ରତିଶତ ଅଂଶଧନ କିଣିବା ନିଷ୍ପତ୍ତି ଐତିହାସିକ ବୋଲି ଅଫିସର ସଂଘ କହିଛି। ଏଥି ପାଇଁ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ‘ସମ୍ବାଦ’ ସଂପାଦକ ତଥା ଓପିଜିସି ଅଫିସର୍ସ ଆସୋସିଏସନ୍ର ମୁଖ୍ୟ ଉପଦେଷ୍ଟା ଶ୍ରୀ ପଟ୍ଟନାୟକ ଓ ବ୍ରଜରାଜନଗର ବିଧାୟକ ଶ୍ରୀ ମହାନ୍ତିଙ୍କୁ କୃତଜ୍ଞତା ଜଣାଯାଇଛି। ହେଲେ ଏବେ ବି ଏଇଏସ୍ର କିଛି ଅସାଧୁ ଅଧିକାରୀ ଓପିଜିସିରେ ରହିବା ପାଇଁ ଉଦ୍ୟମ ଚଳେଇଥିବାରୁ ତାଙ୍କୁ ତୁରନ୍ତ ବହିଷ୍କାର କରିବାକୁ ସଂଘ ଦାବି କରିଛି। ଏଇଏସ୍ କରିଥିବା ତୃତୀୟ ଓ ଚତୁର୍ଥ ୟୁନିଟ୍ରେ ଏହି ଅଧିକାରୀଙ୍କ ଅନଭିଜ୍ଞତା ହେତୁ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଉଦ୍ଘାଟନର ୩ ଦିନ ପରେ ଏହା ଅଚଳ ହେବା, ଏବେବି ଏଠାରେ ୫୦ ପ୍ରତିଶତରୁ କମ୍ ବିଜୁଳି ଉତ୍ପାଦନ ହେବା, ଗତ ୫ ସେପ୍ଟେମ୍ବରରେ ୬ଟି ହପର୍ ଖସି ୬ ଜଣ ଆହତ ହେବା ଓ ଜଣଙ୍କର ମୃତ୍ୟୁ ହେବା, ତୃତୀୟ ଓ ଚତୁର୍ଥ ୟୁନିଟ୍ରେ ବ୍ୟାପକ ଦୁର୍ନୀତି ହୋଇଥିବା ଏହାର ଉଦାହରଣ ବୋଲି କୁହାଯାଇଛି। ଜାଣିଶୁଣି ଏଇଏସ୍ ପ୍ରୋଜେକ୍ଟ ତିଆରିରେ ୨ ବର୍ଷ ବିଳମ୍ବ କରିବାରୁ କୋଟିକୋଟି ଟଙ୍କାର କ୍ଷତି ହୋଇଛି। ଏଥିରେ ସେହି ଅସାଧୁ ଅଧିକାରୀଙ୍କ ହାତ ରହିଥିବା ଅଭିଯୋଗ ହୋଇଛି। ତେଣୁ ଏଇଏସ୍କୁ ଶୀଘ୍ର ବିଦା କରାଯାଇ ଏଇଏସ୍ କ୍ୟାଡର୍ ଅଧିକାରୀଙ୍କୁ ବିତାଡ଼ିତ କରିବାକୁ ବୈଠକରେ ଏକ ସ୍ବରରେ ଦାବି କରାଯାଇଛି। ୩ଓ ୪ ୟୁନିଟ୍ରେ ଯାହାସବୁ ଦୁର୍ନୀତି ହୋଇଛି ତାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯାଇ ସେଇ ଖର୍ଚ୍ଚ ଏଇଏସଠାରୁ ଅସୁଲ କରିବା, ଓପିଜିସିରେ ଚାଲିଥିବା ୪ ପ୍ରକାରର ଦରମାକୁ ବନ୍ଦ କରାଯାଇ ଗୋଟିଏ ନିୟମ ଲାଗୁ କରିବା, ବର୍ଷବର୍ଷ ଧରି କାମ କରିଥିବା ଓପିଜିସି କ୍ୟାଡର ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରମୋସନ୍ ଦିଆଯାଉ ବୋଲି ଅଫିସର ସଂଘ ଦାବି କରିଛି।
ଆଜିର ବୈଠକରେ ସଭାପତି ଶ୍ରୀ ସାହାଙ୍କ ସମେତ ସାଧାରଣ ସଂପାଦକ ଧରଣୀଧର ବେହେରା, ଯୁଗ୍ମ ସଂପାଦକ କୃଷ୍ଣଚନ୍ଦ୍ର ମିଶ୍ର, ଓପିଜିସି ଏମ୍ପ୍ଲୟିଜ୍ ୟୁନିୟନ ସଭାପତି ବାଲୁଙ୍କେଶ୍ବର ମହାପାତ୍ର, ଉପ ସଭାପତି ଦୀପ୍ତି ମହାପାତ୍ର, ସଂପାଦକ ପ୍ରଶାନ୍ତ ହୋତା, ଆଇଟିପିଏସ୍ ଏମ୍ପ୍ଲଇଜ୍ ୟୁନିୟନ ସଭାପତି ରାଜକୁମାର ବେହେରା, ଯୁଗ୍ମ ସଂପାଦକ ପ୍ରଫୁଲ୍ଲ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। କରୋନା କଟକଣା ହେତୁ ସଂଘର ୪୦/୫୦ ସଦସ୍ୟ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/opgc.jpg)