ଭୁବନେଶ୍ବର : ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଏବର୍ଷ ବି ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଛାତ୍ରଛାତ୍ରୀ କ୍ୟାମ୍ପସରେ ସେମାନଙ୍କ ନେତା ଚୟନରୁ ବଞ୍ଚିତ ହେବେ। ସମସ୍ୟା ସମ୍ପର୍କରେ ସ୍ବର ଉଠାଇବାକୁ କ୍ୟାମ୍ପସରେ କେହି ଛାତ୍ରନେତା ଗଢ଼ା ହେବେ ନାହିଁ। ଲଗାତାର ଚାରି ବର୍ଷ ହେଲା ବିଭିନ୍ନ ଆଳ ଦେଖାଇ ସରକାର ନିର୍ବାଚନକୁ ଟାଳି ଚାଲିଛନ୍ତି। ବିଭିନ୍ନ ମହଲରେ ସରକାରଙ୍କ ଏପରି ନିଷ୍ପତ୍ତିକୁ ନାପସନ୍ଦ କରାଯାଉଥିଲେ ବି ଉଚ୍ଚଶିକ୍ଷା ବିଭାଗ ଶୁଣି ନ ଶୁଣିଲା ପରି ରହୁଛି। ଏହାକୁ ନେଇ ବିତର୍କ ଚାଲିଥିଲା ବେଳେ ଆଜି ଶାସକ ବିଜୁ ଜନତା ଦଳ ତା’ର ଛାତ୍ର ଶାଖାର ସଂଗଠନକୁ କ୍ୟାମ୍ପସ୍ରେ ଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛି। ସବୁ କଲେଜରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ୍ କମିଟି ଗଠନ କରି ନିଜ ଉପସ୍ଥିତି ଜୋର୍ଦାର ଜାହିର କରିବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି। ଏହା ଏବେ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରତି କ୍ୟାମ୍ପସରେ ୨୦ରୁ ୨୫ ଜଣ ରହିବେ
୨୦ ତାରିଖ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦେଶ
ଏପଟେ ଛାତ୍ରସଂସଦ ନିର୍ବାଚନ ବନ୍ଦ କରିଛନ୍ତି ସରକାର
ଉକ୍ତ କମିଟିରେ ଆବାହକ, ସହ ଆବାହକ, କ୍ରୀଡ଼ା ସମ୍ପାଦକ, ନାଟ୍ୟ ସମ୍ପାଦକ, ହଷ୍ଟେଲ ସୋସାଇଟି ଇନ୍ଚାର୍ଜ, ଡେ ସ୍କଲାର ସୋସାଇଟି ଇନ୍ଚାର୍ଜ ରହିବେ। ଆବାହକ ଓ ସହ ଆବାହକ ପଦରେ ଜଣେ ଲେଖାଏ ଛାତ୍ର ଓ ଛାତ୍ରୀ ଦାୟିତ୍ବ ନେବେ। ଅନ୍ୟ ସମସ୍ତ ପଦରେ ଦୁଇ ଜଣ ଲେଖାଏ ଛାତ୍ର ଓ ଛାତ୍ରୀଙ୍କୁ ସାମିଲ କରିବାକୁ ସଙ୍ଗଠନ ଯୋଜନା ପ୍ରସ୍ତୁତ କରିଛି। ଅତିବେଶିରେ ଗୋଟିଏ କ୍ୟାମ୍ପସରେ ବିଭିନ୍ନ ପଦରେ ୨୦ରୁ ୨୫ ଜଣଙ୍କୁ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଯେଉଁମାନେ କି କ୍ୟାମ୍ପସରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଦିଗରେ କାର୍ଯ୍ୟ କରିବେ। ବୃକ୍ଷରୋପଣ, ରକ୍ତଦାନ ଶିବିର, ହେଲ୍ପ ଡେସ୍କ, ସ୍ବତନ୍ତ୍ର କ୍ୟାମ୍ପ କରିବେ। ଜଣେ ନିର୍ବାଚିତ ପ୍ରତିନିଧି କ୍ୟାମ୍ପସରେ ଯେଉଁ କାର୍ଯ୍ୟ କରନ୍ତି ଏମାନେ ତାହା କରିବେ। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ମନମାନି, ପିଲାଙ୍କ ସମସ୍ୟା, ଦୁର୍ନୀତିକୁ ପଦାକୁ ଆଣିବେ। ଛାତ୍ରଛାତ୍ରୀଙ୍କ ସହ ଛିଡ଼ା ହେବେ। ସେପ୍ଟେମ୍ବର ୨୦ ସୁଦ୍ଧା ରାଜ୍ୟର ସମସ୍ତ କ୍ୟାମ୍ପସରେ କମିଟି ଗଠନ କରିବାକୁ ଛାତ୍ର ବିଜେଡି ପକ୍ଷରୁ ଆଜି ଆୟୋଜିତ ଭର୍ଚୁଆଲ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଛାତ୍ର ବିଜେଡିର ନୂତନ କର୍ମକର୍ତ୍ତା ଚୟନ ପରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ସଙ୍ଗଠନର ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି, ଜୋନ ସଭାପତିଙ୍କ ସହ ଭର୍ଚୁଆଲ ପ୍ଲାଟଫର୍ମରେ ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ(ଯୁବ-ଛାତ୍ର ବ୍ୟାପାର) ବିଧାୟକ ପ୍ରଣବ ବଳବନ୍ତରାୟ ଓ ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ କିପରି ଆହୁରି ବ୍ୟାପକ ଭାବେ ତ୍ଵରାନିତ କରାଯାଇପାରିବ ସେନେଇ ଆଲୋଚନା ହୋଇଛି। ଏଥିସହ ତୃଣମୂଳସ୍ତରରେ ଛାତ୍ର ସଂଗଠନକୁ କିପରି ଆହୁରି ସୁସଙ୍ଗଠିତ କରାଯାଇପାରିବ ସେନେଇ ବିସ୍ତୃତ ଆଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ କୁହାଯାଇଛି। ଛାତ୍ର ବିଜେଡି ସଭାପତି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ସେପ୍ଟେମ୍ବର ୨୦ ସୁଦ୍ଧା ସମସ୍ତ କଲେଜରେ କ୍ୟାମ୍ପସ କମିଟି ଗଠନ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଏଥିସହ ତୃଣମୂଳସ୍ତରରୁ ଛାତ୍ର ସଂଗଠନକୁ କ୍ରିୟାଶୀଳ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଶକ୍ତ ଓଡ଼ିଶା ଗଠନ ଆହ୍ବାନକୁ ସଫଳ କରିବା ଦିଗରେ ଛାତ୍ର ସମାଜ ପ୍ରତିଜ୍ଞାବଦ୍ଧ ରହିବ।