କରୋନା ମାଡ଼ରେ କ୍ୟାମ୍ପସ ଚୟନ ଠପ୍‌ : ନିଯୁକ୍ତିରୁ ବଞ୍ଚିତ ହେବେ ୪୦ ହଜାର ଓଡ଼ିଆ ଛାତ୍ରଛାତ୍ରୀ, ମୁହଁ ଫେରାଉଛନ୍ତି ଘରୋଇ କମ୍ପାନି

ଭୁବନେଶ୍ବର : ଲକ୍‌ ଡାଉନ୍‌ ଦ୍ବାରା ଦେଶର ଆଇଟି, ଅଟୋ ମୋବାଇଲ୍‌, ଷ୍ଟାଟ୍‌ଅଫ୍‌, ପାୱାର, ଟେଲିକମ୍‌ କ୍ଷେତ୍ର‌ ପ୍ରଭାବିତ ହୋଇଛି। ଛୋଟ କମ୍ପାନିଗୁଡ଼ିକ ବହୁ ମାତ୍ରରେ ପ୍ରଭାବିତ ହୋଇଥିବା ବେଳେ କିଛି ବଡ଼ କମ୍ପାନି ବି କରୋନା ମାଡ଼ରେ ବେହାଲ। କର୍ମଚାରୀଙ୍କୁ ଦରମା ଦେଇପାରୁ ନାହାନ୍ତି। ନୂତନ ନିଯୁକ୍ତି କରିବା ଦୂରର କଥା, ଯେଉଁମାନେ ଚାକିର କରିଛନ୍ତି ସେମାନଙ୍କୁ ଛଟେଇ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଏଭଳି ସମୟରେ ଦେଶର ୨୩ଟି ଆଇଆଇଟି ସମେତ ଏନ୍‌ଆଇଟି, ଆଇଆଇଏମ୍‌, ଆଇଜର ପରି ପ୍ରମୁଖ ଶିକ୍ଷାନୁଷ୍ଠାନରୁ କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀଙ୍କ ନିଯୁକ୍ତିଙ୍କୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଲକ୍‌ ଡାଉନ୍‌ ଯୋଗୁଁ ଅଧିକାଂଶ ଶିକ୍ଷାନୁଷ୍ଠାନରେ କ୍ୟାମ୍ପସ ଚୟନ ହୋଇପାରୁ ନାହିଁ। ଆଉ ଯେଉଁଠି କ୍ୟାମ୍ପସ ଚୟନ ପ୍ରକ୍ରିୟା ହୋଇଥିଲା, ବର୍ତମାନ କମ୍ପାନିଗୁଡ଼ିକର ଯାହା ସ୍ଥିତି ସେଥିରେ ଅଧିକାଂଶ କମ୍ପାନି ନୂତନ ନିଯୁକ୍ତି ସପକ୍ଷରେ ନାହାନ୍ତି।

ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ ଯଥା ଆଇଆଇଟି, ଏନ୍‌ଆଇଟି, ଆଇଆଇଏମ୍‌ରେ କ୍ୟାମ୍ପସ ଚୟନ ପ୍ରକ୍ରିୟା ହୋଇ ପାରି ନାହିଁ। କେଉଁଠି ଅଧା ହୋଇଛି ତ ଆଉ କେଉଁଠି ଆଦୌ ହୋଇ ନ ଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଗତମାସରେ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ନିଯୁକ୍ତି ଡ୍ରାଇଭ୍‌ କରାଯିବ। ତେଣୁ ଛାତ୍ରଛାତ୍ରୀ ବ୍ୟସ୍ତବିବ୍ରତ ହେବା ଉଚିତ୍‌ ନୁହେଁ। ଶିକ୍ଷାନୁଷ୍ଠାନଗୁଡ଼ିକ ଏଦିଗରେ ପଦକ୍ଷେପ ନେବାକୁ ବି ସେ ଆହ୍ବାନ ଦେଇଥିଲେ।

ସାଧାରଣତଃ ମାର୍ଚ୍ଚ ମାସରେ ରାଜ୍ୟ ଓ ଦେଶର ପ୍ରମୁଖ କମ୍ପାନିଗୁଡ଼ିକ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ କ୍ୟାମ୍ପସ ଚୟନ କରିଥାନ୍ତି। ଇଞ୍ଜିନିୟରିଂ, ଏମ୍‌ବିଏ, ଏମ୍‌ସିଏ ପରି ପ୍ରମୁଖ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରି ନିଯୁକ୍ତି ଦେଇଥାନ୍ତି। ତେବେ ଏଥର ଲକ୍‌ ଡାଉନ୍‌ ଯୋଗୁଁ କ୍ୟାମ୍ପସ ଚୟନ ବହୁ ପରିମାଣରେ ପ୍ରଭାବିତ ହୋଇଛି। ମାର୍ଚ୍ଚ ମାସରେ ଲକ୍‌ ଡାଉନ୍‌ ହେବା ପୂର୍ବରୁ କିଛି ପ୍ରମୁଖ କମ୍ପାନି ଶିକ୍ଷାନୁଷ୍ଠାନରେ କ୍ୟାମ୍ପସ ଚୟନ ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କୁ ବାଛିଥିଲେ। ହେଲେ ନିଯୁକ୍ତିପତ୍ର ଦେଇନାହାନ୍ତି। ଏବେ ଯେଉଁଭଳି ପରିସ୍ଥିତି ଉପୁଜିଛି ସେଥିରେ କମ୍ପାନିଗୁଡ଼ିକ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବେ କି ନାହିଁ ତାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।

ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘର ସମ୍ପାଦକ ତଥା ଢେଙ୍କାନାଳସ୍ଥିତ ସିର୍ନଜୀ କଲେଜର ଚୟାରମ୍ୟାନ ବିନୋଦ ଦାଶଙ୍କ କହିବାନୁଯାୟୀ ଓଡ଼ିଶାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ‌ରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରତିବର୍ଷ ୪୦ରୁ ୪୫% କ୍ୟାମ୍ପସ ଚୟନ ମାଧ୍ୟମରେ ନିଯୁକ୍ତି ପାଇଥାନ୍ତି। ସେହି ଅନୁଯାୟୀ ଗତ ମାର୍ଚ୍ଚ ୧୫ ସୁଦ୍ଧା ପାଖାପାଖି ୩୦% କ୍ୟାମ୍ପସରେ ଚୟନ ଅନୁଷ୍ଠିତ ହୋଇଥିଲା। ଯଦି ହିସାବକୁ ନିଆଯାଏ ତେବେ ଦୁଇ ହଜାର ଛାତ୍ରଛାତ୍ରୀ ଚୟନ ହୋଇସାରିଛନ୍ତି। ଓଡ଼ିଶାର ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମୁଖ୍ୟତଃ ଅଟୋ ମୋବାଇଲ୍‌ କମ୍ପାନି, ଷ୍ଟାଟ୍‌ଅଫ୍‌ କମ୍ପାନି, ପାୱାରପ୍ଲାଣ୍ଟ, ଟେଲିକମ୍‌ ଆଦି କ୍ଷେତ୍ର ଚାକିର ପାଇଥାନ୍ତି। ବର୍ତମାନ ସ୍ଥିତିରେ ସମ୍ପୃକ୍ତ କମ୍ପାନିଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ନେବେ କି ନାହିଁ ତାହା ଚିନ୍ତାର ବିଷୟ।

ରାଜ୍ୟରେ ଥିବା ସରକାରୀ ଓ ଘ‌ରୋଇ ବିଶ୍ବବିଦ୍ୟାଳୟରେ ଆଦୌ କ୍ୟାମ୍ପସ ଚୟନ ହୋଇପାରି ନଥିବା ସୂଚନା ମିଳିଛି। ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମୁଖ୍ୟତଃ ବ୍ୟାଙ୍କ, ଶିଳ୍ପ ସଂସ୍ଥା, ଆଇଟି କମ୍ପାନିଗୁଡ଼ିକରେ ନିଯୁକ୍ତି ସୁଯୋଗ ପାଇଥାନ୍ତି। ତେବେ ଲକ୍‌ ଡାଉନ୍‌ ଯୋଗୁଁ କ୍ୟାମ୍ପସ ଚୟନ ପ୍ରକ୍ରିୟା‌ ବଢ଼ିପାରି ନାହିଁ। କାରଣ କ୍ୟାମ୍ପସ ଚୟନ ମୁଖ୍ୟତଃ ମାର୍ଚ୍ଚ ଓ ଏପ୍ରିଲ ମାସରେ ହୋଇଥାଏ। ଜୁଲାଇ ମାସ ବେଳକୁ ଛାତ୍ରଛାତ୍ରୀ ନିଯୁକ୍ତି ପାଇଥିବା କମ୍ପାନିରେ ଯୋଗଦେଇଥାନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ପିଏମ୍‌ଆଇଆର ବିଭାଗ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ କହିବାନୁଯାୟୀ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଫେବ୍ରୁଆରି ମାସରେ ଦେଶ ଓ ରାଜ୍ୟର କେତେକ ପ୍ରମୁଖ କମ୍ପାନି ଆମ ବିଭାଗରେ କ୍ୟାମ୍ପସ ଚୟନ କରି ପିଲାମାନଙ୍କ ସଟ୍‌ଲିଷ୍ଟ କରିଥିଲେ। ତାହା ଅଧାରେ ରହିଥିଲା। ଆଗକୁ ବଢ଼ିପାରି ନାହିଁ। କମର୍ସ, ଏମ୍‌ଏଫ୍‌ସି, ଏଗ୍ରି ବିଜନେସ୍‌, ଏମ୍‌ବିଏ, ଏମ୍‌ସିଏ ଆଦି ବିଭାଗରେ ବି କ୍ୟାମ୍ପସ ଚୟନ ପ୍ରକ୍ରିୟା ହୋଇପାରି ନ ଥିବା ଜଣାପଡ଼ିଛି।

ମ୍ୟାନେଜ୍‌ମେଣ୍ଟ ପାଠ୍ୟକ୍ରମରେ ବି ସମାନ ସ୍ଥିତି ଉପୁଜିଛି। ଅଳ୍ପ କେତେକ ମ୍ୟାନେଜମେଣ୍ଟ କଲେଜରେ କ୍ୟାମ୍ପସ ଚୟନ ସରିଥିଲେ ମଧ୍ୟ ଛାତ୍ରଛାତ୍ରୀ ନିଯୁକ୍ତିପତ୍ର ପାଇପାରି ନାହାନ୍ତି। ପରୀକ୍ଷା ସରିନ ଥିବାରୁ କମ୍ପାନିଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ନେବା ଲାଗି ଅଗ୍ରହ ଦେଖାଇ ନ ଥିଲେ। ଏବେ ଯେଉଁଭଳି ସ୍ଥିତି ଉପୁଜିଛି ସେଥିରେ କମ୍ପାନି ଆଉ ନେବେ କି ନାହିଁ ତାହାକୁ ନେଇ ଆଶଙ୍କା ଦେଖାଦେଇଛି। ସୃଷ୍ଟି ଏକାଡେମୀ ଅଫ୍‌ ମ୍ୟାନେଜ୍‌ମେଣ୍ଟର ଅଧ୍ୟକ୍ଷ ସରୋଜ ସାହୁଙ୍କ କହିବା ଅନୁସାରେ ଓଡ଼ିଶାରୁ ପ୍ରତିବର୍ଷ ପାଖାପାଖି ୧୦ ହଜାର ଏମ୍‌ବିଏ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥାନ୍ତି। ଏଥର କରୋନା ଯୋଗୁ ନିଯୁକ୍ତି କିଛି ମାତ୍ରାରେ ପ୍ରଭାବିତ ହେଉଛି। ତେବେ ଇଂଜିନିୟରିଂ ତୁଳନାରେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ କମ୍‌ ପ୍ରଭାବିତ ହେବେ।

ଯଦି ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ହିସାବକୁ ନିଆଯାଏ ତେବେ ପ୍ରତିବର୍ଷ ପାଖାପାଖି ୪୦ ହଜାର ଛାତ୍ରଛାତ୍ରୀ କ୍ୟାମ୍ପସ ଚୟନ ମାଧ୍ୟମରେ ନିଯୁକ୍ତି ପାଇଥାନ୍ତି। ବର୍ତମାନ ସ୍ଥିତିରେ ସେମାନେ ନିଯୁକ୍ତି ପାଇବେ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର