ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଉତ୍ତେଜନା! ଦୁଇ ଛାତ୍ରଗୋଷ୍ଠୀ ଏବଂ ପୁଲିସ ମଧ୍ୟରେ ମାରପିଟ୍‌ ଏବଂ ଧସ୍ତାଧସ୍ତି, ୩ ଅଟକ; କ୍ୟାମ୍ପସରେ ପୁଲିସ ଫୋର୍ସ ମୁତୟନ

ଭୁବନେଶ୍ୱର: କିଛି ଦିନର ନୀରବତା ପରେ ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟ ହୋଇଉଠିଛି ଅଶାନ୍ତ। ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଉତ୍ତେଜନା। ଆଜି ସନ୍ଧ୍ୟାରେ ଦୁଇ ଛାତ୍ରଗୋଷ୍ଠୀ ଏବଂ ପୁଲିସ ମଧ୍ୟରେ ମାରପିଟ୍‌ ଏବଂ ଧସ୍ତାଧସ୍ତି ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ୩ ଜଣଙ୍କୁ ଅଟକ ରଖିଛି ସହିଦନଗର ପୁଲିସ। ଉତ୍ତେଜନାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନା ଅନୁଯାୟୀ, ଆଜି ବିଭିନ୍ନ ଦାବି ନେଇ ବିଶ୍ୱବିଦ୍ୟାଳୟରେ ଥିବା ଫାର୍ମାସୀ ବିଭାଗର ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ। ସେହି ସମୟରେ କେତେକ ଅଣଛାତ୍ର ମୁଖ୍ୟଫାଟକ ଖୋଲିବାକୁ ଦାବି କରିଥିଲେ। ଏହା ପରେ ଧାରଣାରତ ଛାତ୍ରମାନେ ଗେଟ୍‌ ଖୋଲିବାକୁ ମନା କରିଥିଲେ। ଅଣଛାତ୍ରମାନେ ଜୋର ଜବରଦସ୍ତ ଗେଟ୍‌ ଖୋଲିବାରୁ ଧାରଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିବା ବେଳେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ମାଟପିଟ୍‌ ହୋଇଯାଇଥିଲା। ଏହା ପରେ ପୋଲିସ ସହ ମଧ୍ୟ ସମ୍ପୃକ୍ତ ଛାତ୍ରଗୋଷ୍ଠୀଙ୍କ ଧସ୍ତାଧସ୍ତି ହୋଇଥିଲେ। ଘଟଣାସ୍ଥଳରୁ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି। ତେବେ ସୂଚନା ଅନୁଯାୟୀ, ଦୀର୍ଘ ଦୁଇ ସପ୍ତାହ ଧରି ଧାରଣାରେ ବସିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଫାର୍ମାସି ବିଭାଗର ଛାତ୍ରଛାତ୍ରୀ। ତେବେ ଆଗକୁ ନିର୍ବାଚନ ଆସୁଥିବା ବେଳେ ଏବେଠାରୁ ଅଶାନ୍ତ ହୋଇପଡିଲାଣି ବାଣୀବିହାର କ୍ୟାମ୍ପସ।

ସମ୍ବନ୍ଧିତ ଖବର