କୌଣସି ଜିଲ୍ଲାରେ ହୋଇପାରିଲାନି ଶତ ପ୍ରତିଶତ ଟିକାକରଣ
ଆଜି ୧୫ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ ଲକ୍ଷ୍ୟ

Advertisment

ଭୁବନେଶ୍ବର : ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ଶେଷ ହେବାକୁ ଆଉ ୬ଦିନ ବାକି। ୧୦ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ପର୍ଯ୍ୟନ୍ତ ୬୯ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇଥିବା ବେଳେ ଆହୁରି ଲକ୍ଷେରୁ ଅଧିକ ସ୍ବାସ୍ଥ୍ୟକର୍ମୀ ଟିକା ନେବାକୁ ବାକି ରହିଛନ୍ତି।

କେବଳ ଅନୁଗୁଳ ଜିଲ୍ଲାରେ ୮୪ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ବଲାଙ୍ଗୀର, କଟକ ଓ ଯାଜପୁର ଜିଲ୍ଲାରେ ଟିକାକରଣ ୬୦ ପ୍ରତିଶତ ଛୁଇଁନାହିଁ। ଏହା ପୂର୍ବରୁ ରାଜ୍ୟ ସରକାର ୯ଟି ଜିଲ୍ଲାରେ ନୈରାଶ୍ୟଜନକ ଟିକାକରଣ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଥିଲେ। ପ୍ରତ୍ୟେକ ଦିନ ଧାର୍ଯ୍ୟ ଅଧିବେଶନରେ ଯେତିକି ସଂଖ୍ୟକ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହେଉଛି ତାହା ପୂରଣ ହୋଇ ପାରୁନାହିଁ। ପ୍ରତ୍ୟେକ ଦିନ ଯେଉଁ ହାରରେ ଟିକାକରଣ ହେଉଛି ଆସନ୍ତା ୧୦ତାରିଖ ସୁଦ୍ଧା ଶତ ପ୍ରତିଶତ ଟିକାକରଣ ନେଇ ଏକପ୍ରକାର ଆଶଙ୍କା ଦେଖା ଦେଲାଣି।

ଆଜି ରାଜ୍ୟରେ ସମୁଦାୟ ୩୮୦ଟି ଅଧିବେଶନରେ ୩୭,୬୨୧ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ମାତ୍ର ୬୨ ପ୍ରତିଶତ ଟିକାକରଣ ହୋଇଛି। ୨୩,୫୭୭ ସ୍ବାସ୍ଥ୍ୟକର୍ମୀ ଆଜି ଟିକା ନେଇଛନ୍ତି। ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୯୩ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ନବରଙ୍ଗପୁରରେ ସର୍ବନିମ୍ନ ୨୮ ପ୍ରତିଶତ ଟିକାକରଣ କରାଯାଇଛି। ଭୁବନେଶ୍ବରରେ ୬ଟି ଅଧିବେଶନରେ ହଜାରେ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୬୫୦ ଅର୍ଥାତ୍ ୬୫ ପ୍ରତିଶତ ଟିକାକରଣ ହୋଇପାରିଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୨ଲକ୍ଷ ୩୪ହଜାର ୯୨୩ ସ୍ବାସ୍ଥ୍ୟକର୍ମୀ ଟିକା ନେଇସାରିଲେଣି। ଆସନ୍ତାକାଲି ୧୬୫ଟି ଅଧିବେଶନରେ ୧୪,୯୪୨ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆସନ୍ତା ୧୫ତାରିଖରୁ ରାଜ୍ୟରେ ଦ୍ବିତୀୟ ଡୋଜ୍ ଟିକାକରଣ ଆରମ୍ଭ ହେବ। ଏହାସହ ୬ତାରିଖରୁ ରାଜ୍ୟର ଆଗଧାଡ଼ିର ଯୋଦ୍ଧାଙ୍କୁ ମଧ୍ୟ ଟିକା ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଥିପାଇଁ ୧ଲକ୍ଷ ୯୨ହଜାର ଆଗଧାଡ଼ି ଯୋଦ୍ଧାଙ୍କ ପଞ୍ଜୀକରଣ ହୋଇସାରିଛି।