ସମ୍ବଲପୁରରେ ସିଏଏ ସମର୍ଥନରେ ରାଲି : ଯଦି ଭାରତୀୟ, ଭୟ କାହିଁକି – ଗିରିିରାଜ

ସମ୍ବଲପୁର : ‘ଅଗର୍‌ ଭାରତୀୟ ହୋ ତୋ ଭୟ କୈସା, ଔର ଅଗର ଭୟ ହୈ ତୋ ଭାରତୀୟ କୈସା? ଏଭଳି ମନ୍ତବ୍ୟ ଦେଇ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ କହିଲେ ଯେ ସିଏଏ ହେଉ ବା ମୋଦୀ ସରକାର ଆଣୁଥିବା କୌଣସି ବି ଆଇନ୍‌ ସେଥିରେ ଭାରତୀୟ ମାନଙ୍କୁ ଆଶଂକିତ ହେବାର ତିଳେ ମାତ୍ର କାରଣ ନାହିଁ। ସିଏଏ ସମର୍ଥନରେ ଜନ ସଚେତନତା ସୃଷ୍ଟି ପାଇଁ ବିଜେପି ପକ୍ଷରୁ ଶନିବାର ସମ୍ବଲପୁରରେ ଆୟୋଜିତ ବିଶାଳ ଜନସଭାରେ ଉଦ୍‌ବୋଧନ ଦେଇ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଗୋସଂପଦ ମନ୍ତ୍ରୀ ଶ୍ରୀ ସିଂହ କହିଲେ ଯେ ଆମ ‌ପଡ଼ୋଶୀ ଦେଶରେ ୭୦ ବର୍ଷ ଧରି ଅତ୍ୟାଚାରର ଶିକାର ହୋଇ ଆସିଥିବା ଭାରତବଂଶୀମାନଙ୍କୁ ଭାରତ ବର୍ଷର ନାଗରିକତା ପ୍ରଦାନ କରି ସମ୍ମାନର ସହ ବଞ୍ଚିବାର ଅଧିକାର ଦେବା ପାଇଁ ନାଗରିକତା ସଂଶୋଧନ ଆଇନ ଅଣା ଯାଇଛି। ଏଥିରେ କୌଣସି ଭାରତୀୟଙ୍କ ନାଗରିକତା ଆଦୌ ପ୍ରଭାବିତ ହେବ ନାହିଁ। ଭାରତୀୟ ମୁସଲମାନ ଏହି ବିଲ୍‌କୁ ନେଇ ଭୟ କରିବାର କୌଣସି କାରଣ ନାହିଁ। ସେମାନେ ମଧ୍ୟ ଏହାର ସମର୍ଥନ କରୁଛନ୍ତି। କିନ୍ତୁ ଦେଶ ଭିତରେ ଥିବା ‘ଟୁକ୍‌ଡ଼େ ଟୁ‌କଡ଼େ ଗ୍ୟାଙ୍ଗ୍ ହିଁ ଭ୍ରାନ୍ତି ଓ ଅପପ୍ରଚାର ଚଳାଇଛନ୍ତି। ସେମାନେ ଜାତୀୟ ନାଗରିକତା ପଞ୍ଜିକାକୁ ବି ବିରୋଧ କରୁଛନ୍ତି। ଏହା କୌଣସି ଜନଗଣନାଠାରୁ ଭିନ୍ନ ନୁହେଁ। ଆଧାର କାର୍ଡ ବା ଉଜ୍ଜଳା ଗ୍ୟାସ୍‌ ପାଇଁ ଦେବାକୁ ପଡ଼ୁଥିବା ତଥ୍ୟଠାରୁ ଏଥିରେ ଅଧିକ କିଛି ଆବଶ୍ୟକ ନାହିଁ। ଭାରତୀୟ ମୁସଲମାନ ଦେଶର ସମ୍ମାନସ୍ପଦ ନାଗରିକ। କିନ୍ତୁ ବାଂଲାଦେଶ‌, ପାକିସ୍ତାନରୁ ଅନୁପ୍ରବେଶ କରୁଥିବା ମୁସଲିମ୍‌ ଓ ରୋହିଂଗ୍ୟାମାନଙ୍କୁ ଆମେ ଦେଶରେ ସ୍ଥାନ ଦେଇ ପାରିବୁ ନାହିଁ।

ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ରେଂଗାଲି ବିଧାୟକ ନାଉରୀ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ସମ୍ବଲପୁରରେ ସିଏଏ ସମର୍ଥନରେ ରାଲି ବେଳେ ଲୋକେ ଘରୁ ବାହାରି ସ୍ବତଃସ୍ଫୂର୍ତ୍ତଭାବେ ଯେଭଳି ସମର୍ଥନ ଦେଲେ ତାହା ଅଭୂତପୂର୍ବ ବୋଲି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର କହିଥିଲେ। ପ୍ରଭୁ ଶ୍ରୀରାମ ସମସ୍ତ ଭାରତବଂଶୀଙ୍କ ମଧ୍ୟରେ ସଂପର୍କର ସୂତ୍ର ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା ନାରା ଦେଇଥିଲେ। ଦେଶ ପାଇଁ ଐତିହାସିକ ଓ ଯୁଗାନ୍ତକାରୀ ନିଷ୍ପତ୍ତି ନେବା ପାଇଁ ଦେଶବାସୀ ନରେନ୍ଦ୍ର ମୋଦୀଙ୍କୁ ଦ୍ବିତୀୟଥର ପ୍ରଧାନମନ୍ତ୍ରୀ ବାଛିଛନ୍ତି ଓ ଏହି ୧୭ତମ ଲୋକସଭାର ସଦସ୍ୟ ହେବାର ସୌଭାଗ୍ୟ ମୋତେ ମିଳିଛି ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଥିଲେ। ସମ୍ବଲପୁର ସାଂସଦ ନିତେଶ ଗଂଗଦେବ ସିଏଏକୁ ସମର୍ଥନ କରି ଦେଶକୁ ମଜଭୁତ କରିବାକୁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର