ପୌରାଧ୍ୟକ୍ଷ ଦୁଇ ବର୍ଷରୁ ଅଧିକ ତିଷ୍ଠି ପାରିବେ ତ! ୩୨ ପୌରାଧ୍ୟକ୍ଷଙ୍କ ପାଇଁ ୫ବର୍ଷ କାମ କରିବା ଚାଲେଞ୍ଜ

ଆଉ ୨୨ଟି ପୌରାଧ୍ୟକ୍ଷ ପଦବି ଉପରେ ବିଜେଡି ନଜର
ବିଜେପିକୁ ୧୨ଟି ପୌରାଞ୍ଚଳ ସମ୍ଭାଳିବା ଚାଲେଞ୍ଜ
ପାରାଦୀପରେ ସ୍ବାଧୀନ ପ୍ରାର୍ଥୀ ଛଡ଼ାଇ ନେଇପାରନ୍ତି ପୌରାଧ୍ୟକ୍ଷ

ଭୁବନେଶ୍ୱର : ଶାସକ ଦଳର ପ୍ରାର୍ଥୀଙ୍କୁ ଚାଲେଞ୍ଜ କରି ୩୨ଟି ପୌରାଞ୍ଚଳରେ ବିରୋଧୀ ପ୍ରାର୍ଥୀ ପୌରାଧ୍ୟକ୍ଷ ପଦବି ହାତେଇନେଲେ। କାଉନସିଲ୍‌ରେ ସଂଖ୍ୟା ଗରିଷ୍ଠତା ନଥିଲେ ତାଙ୍କ ଅଧ୍ୟକ୍ଷତାରେ ପରିଷଦର ବୈଠକ ବସିବ। ସରକାରଙ୍କ ବିଭିନ୍ନ ଯୋଜନା ତାଙ୍କ ଦସ୍ତଖତରେ ହିଁ କାର୍ଯ୍ୟକାରୀ ହେବ। ଶାସକ ଦଳର ନହେଲେ ବି ସହରର ସବୁଠୁ କ୍ଷମତାଶାଳୀ ନେ‌ତା ହେବେ। ହେଲେ କେତେ ଦିନ ବିରୋଧୀ କାଉନସିଲ୍‌ରମାନଙ୍କୁ ନେଇ ପୌରାଧ୍ୟକ୍ଷମାନେ ଆସନରେ ବସିବେ ‌ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି।

କାଉନସିଲ୍‌ ବସିବାର ଦୁଇ ବର୍ଷ ପରେ ଅନାସ୍ଥା ପ୍ରସ୍ତାବ ଆଣି ପୌରାଧ୍ୟକ୍ଷ ବଦଳାଇପାରିବାର ନିୟମ ଥିବାରୁ ଏହାକୁ ବିଭିନ୍ନ ଦଳ ବ୍ୟବହାର କରିବାର ଆଶଙ୍କା ସୃଷ୍ଟି ହୋଇଛି। ଯଦି କାଉନସିଲ୍‌ରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳକୁ ପୌରାଧ୍ୟକ୍ଷ ସନ୍ତୁଷ୍ଟ କରିନପାରିଲେ ତେବେ କୌଣସି ମୁହୂର୍ତ୍ତରେ ବି ସିଟ୍‌ ଚାଲିଯିବ। କାଉନସିଲ୍‌ ବୈଠକର ପ୍ରଥମ ଦିନରୁ ହିଁ ଏନେଇ ଛକାପଞ୍ଝା ଲାଗିବ ତାହା ଜଳଜଳ ଦିଶିଲାଣି। ଦଳବଦଳ କଲେ ନିର୍ବାଚିତ କାଉନସିଲରଙ୍କର ସଭ୍ୟ ପଦ ରଦ୍ଦ ହେବାର ନିୟମ ହୋଇଥିବାରୁ ଅଧିକ ପୌରାଞ୍ଚଳ ହାତେଇବା ପାଇଁ ଭାବିଚିନ୍ତି ଗୋଟି ଚାଳନା କରିବାକୁ ହେବ।

ଚଳିତ ପୌର ନିର୍ବାଚନରେ ତିନିଟି ମହାନଗର ନିଗମରେ ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାବେଳେ ମେୟର ଭାବେ ବିଜେଡି ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ତେଣୁ ଏଠାରେ ବିରୋଧର ଭୟ ନାହିଁ। ହେଲେ ୧୦୫ଟି ପୌରାଞ୍ଚଳ ମଧ୍ୟରୁ ୭୩ଟିରେ ବିଜେଡି ଜିତିଥିବାବେଳେ ୧୬ଟିରେ ବିଜେପି, ୭ଟିରେ କଂଗ୍ରେସ ଓ ୯ଟିରେ ସ୍ବାଧୀନ ପ୍ରାର୍ଥୀ ପୌରାଧ୍ୟକ୍ଷ ହୋଇଛନ୍ତି।

ପ୍ରଥମ ଥର ପୌରାଧ୍ୟକ୍ଷ ପଦବି ପାଇଁ ହୋଇଥିବା ପ୍ରତ୍ୟକ୍ଷ ନିର୍ବାଚନରେ ଅଜବ ସ୍ଥିତି ଦେଖିବାକୁ ମିଳିଛି। ୨୦୧୯ ସାଧାରଣ ନିର୍ବାଚନରେ ଯେପରି ଖୋର୍ଦ୍ଧା, ବରଗଡ଼ ଆଦି ସ୍ଥାନରେ ବିଜେପି ଗୋଟିଏ ବି ବିଧାନସଭା ଆସନ ଜିତିନଥିଲେ ବି ସାଂସଦ ହାତେଇ ନେଇଥିଲା ସେହିପରି ୨୫ଟି ପୌରାଞ୍ଚଳରେ ଗୋଟିଏ ଦଳ ଅଧିକ କାଉନସିଲର ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିବାବେଳେ ଅନ୍ୟ ଦଳର ପ୍ରାର୍ଥୀ ପୌରାଧ୍ୟକ୍ଷ ହୋଇଛନ୍ତି।

ବିଜେଡି ଟିଟିଲାଗଡ଼, ଧରାକୋଟ, ଛତ୍ରପୁର, ଧର୍ମଗଡ଼, ଜୁନାଗଡ଼, ଫୁଲବାଣୀ, କେନ୍ଦୁଝର, ବାଲିମେଳା, ଉଦଳା, ନବରଙ୍ଗପୁର, ଖରିଆର, ସୁନ୍ଦରଗଡ଼ ଆଦି ୧୨ଟି ସ୍ଥାନରେ ଅଧିକ କାଉନସିଲର ହାତେଇଥିବାବେଳେ ଏଠାରେ ବିଜେପି ପୌରାଧ୍ୟକ୍ଷ ହାତେଇଛି।

ବରପାଲି, ଭଦ୍ରକ, ଗଞ୍ଜାମ, ପୁରୁଷୋତ୍ତମପୁର, ନୂଆପଡ଼ା, ଖଣ୍ଡପଡ଼ା ଆଦି ୬ଟି ସ୍ଥାନରେ ବିଜେଡିର ସଂଖ୍ୟା ଗରିଷ୍ଠ କାଉନସିଲର ଥିବାବେଳେ ସ୍ବାଧୀନ ପ୍ରାର୍ଥୀ ପୌରାଧ୍ୟକ୍ଷ ହୋଇଛନ୍ତି। ‌

ଜଗତସିଂହପୁର, ବେଲପଡ଼ା,ସୁନାବେଡା, ଜୟପୁର ଭଳି ୪ଟି ସହରରେ ବି ବିଜେଡିର ସଂଖ୍ୟା ଗରିଷ୍ଠ କାଉନସିଲର ଥିବାବେଳେ କଂଗ୍ରେସ ପୌରାଧ୍ୟକ୍ଷ ହାତେଇଛି। ତେଣୁ ଆସନ୍ତା ଦୁଇ ବର୍ଷ ପରେ ମୋଟ୍‌ ୨୨ଟି ‌େପୗରାଧ୍ୟକ୍ଷଙ୍କୁ ହଟାଇବାକୁ ବିଜେଡି ଏବେଠୁ ରଣକୌଶଳ ପ୍ରସ୍ତୁତ କରିବ।

କେବଳ ବିଜେଡି ନୁହେଁ। ବିଜେପିର ଅନୁଗୁଳ,ଦେବଗଡ଼ରେ ସଂଖ୍ୟାଗରିଷ୍ଠ କାଉନସିଲର ଥିଲେ ହେଁ ଏଠାରେ ପୌରାଧ୍ୟକ୍ଷ ବିଜେଡିର ହୋଇଛନ୍ତି। ତେଣୁ ଦୁଇ ବର୍ଷ ପରେ ବିଜେପି ଏହାକୁ ବଦଳାଇପାରେ।

ପାରାଦୀପରେ ଅଧିକ ସ୍ବାଧୀନ ପ୍ରାର୍ଥୀ କାଉନସିଲର ହୋଇଥିବାବେଳେ ପୌରାଧ୍ୟକ୍ଷ ବିଜେଡି ଖାତାକୁ ଯାଇଛି।

ଏଭଳି ଗୋଳିଆ ପରିସ୍ଥିତିରେ କେଉଁ ଦଳ ଦୁଇବର୍ଷ ପରେ କ’ଣ ରଣନୀତି ଖେଳୁଛନ୍ତି ତାହାକୁ ଅପେକ୍ଷା।

ସମ୍ବନ୍ଧିତ ଖବର