ରାଉରକେଲା: ରାଉରକେଲାରେ ନିଶା କାରବାର ଆଶାତୀତ ହେଲାଣି। ନକଲି ଦେଶୀ ମଦ, ନକଲି ବିଦେଶୀ ମଦଠାରୁ ଆରମ୍ଭକରି ଡ୍ରଗ୍ସ କାରବାର ପର୍ଯ୍ୟନ୍ତ; ସବୁ ଏବେ ଏବେ ଗଳିକନ୍ଦିକୁ ମାଡ଼ିଲାଣି। ତେବେ ଗଞ୍ଜେଇ ବେପାର ଏବେ ବେଲଗାମ। ବିଭିନ୍ନ ପାନ ଦୋକାନଠାରୁ ଆରମ୍ଭକରି ଫୋନ୍ କଲ୍ରେ ମଧ୍ୟ ଗଞ୍ଜେଇ ଉପଲପବ୍ଧ ହେଉଛି। ତେବେ ଏହି ବେପାର ଉପରେ ସ୍ଥାନୀୟ ପୁଲିସ, ଅବକାରୀ ବିଭାଗ ଯେଭଳି ଅଙ୍କୁଶ ଲଗାଇବା କଥା, ତାହା ଲାଗିପାରୁନି।
ସହରରେ ପ୍ରାୟ ଶହେରୁ ଅଧିକ ସ୍ଥାନରେ ଗଞ୍ଜେଇ ବେପାର ଅନାୟାସରେ ଚାଲିଛି। ମାଫିଆମାନେ ସିଧାସଳଖ ଗ୍ରାହକଙ୍କ ସହ ଯୋଗାଯୋଗ କରି ଗଞ୍ଜେଇ ବେପାର ପୂର୍ବତନ ଜାରି ରଖିଛନ୍ତି। ଏହାସହ ପାନଗୁମୁଟିରେ ସିଗାରେଟ୍ରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି କରୁଛନ୍ତି। ଆଉ ଏହି ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ବା ‘ମହଙ୍ଗାବାଲା ସିଗାରେଟ୍’ର ମୁଖ୍ୟ ଗ୍ରାହକ ହେଉଛନ୍ତି ବିଭିନ୍ନ ସ୍କୁଲ କଲେଜର ଛାତ୍ର, ଯୁବକ। ଏହି ସ୍ବତନ୍ତ୍ର ସିଗାରେଟ୍ ବ୍ୟତିତ ଗୋଗୋ ପେପର୍, ବଙ୍ଗ୍, ଚିଲମ୍ରେ ଗଞ୍ଜେଇ ଭର୍ତ୍ତିକରି ପିଉଛନ୍ତି। ଗଞ୍ଜେଇ ଭର୍ତ୍ତି ସିଗାରେଟ୍ର ମୂଲ୍ୟ ୨୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଖୋଲାରେ ମିଳୁଥିବା ଗଞ୍ଜେଇ ପୁଡ଼ିଆର ଦାମ୍ ୫୦ରୁ ୪/୫ଶହ ପର୍ଯ୍ୟନ୍ତ ରହିଛି। ଓଜନ ଅନୁସାରେ ଏହାର ଭିନ୍ନ ଭିନ୍ନ ଦର ନିର୍ଦ୍ଧାରଣ କରାଯାଇଛି। ସହରରେ ଥିବା ବହୁ ପାନ ଦୋକାନ, ଗୁମୁଟି ଏମିତିକି କିଛି ରାସନ ଦୋକାନରେ ଏହି ସ୍ବତନ୍ତ୍ର ସିଗାରେଟ୍ ଉପଲବ୍ଧ।
ସହରର ପ୍ରାୟ ସମସ୍ତ ପ୍ରମୁଖ ଅଞ୍ଚଳରେ ବେଧଡ଼କ ଚାଲିଛି ଗଞ୍ଜେଇ ବେପାର। ତେବେ ଏମିତିକି କିଛି ଅଞ୍ଚଳ ରହିଛି, ଯେଉଁଠାରେ ସର୍ବସମ୍ମୁଖରେ ବେପାର ଚାଲିଛି। ପ୍ଲାଣ୍ଟସାଇଟ୍ ଅଞ୍ଚଳରେ ପ୍ରାୟ ୩୦ରୁ ଅଧିକ ସ୍ଥାନରେ ଗଞ୍ଜେଇ ବିକ୍ରି ହେଉଥିବାବେଳେ ବହୁ ପାନଦୋକାନ, ଜଳଖିଆ ଦୋକାନ, ଗୁମୁଟି, ପାୱାରହାଉସ୍ ପାର୍କିଂ ଗଳି, ସେକ୍ଟର-୨ ସବ୍ଜି ବଜାର, ପାନପୋଷ ମର୍ଗ ହାଉସ୍ ପାଖ ଅଞ୍ଚଳ, ଏସ୍ଟିଆଇ ଛକ, ବାସନ୍ତୀ ଓଭରବ୍ରିଜ୍ ତଳେ, ପାୱାର ହାଉସ୍ ରୋଡ୍, ନାଲାରୋଡ୍, ସେକ୍ଟର-୨ ଏନ୍ଆଇଟି ମୁଖ୍ୟ ଗେଟ୍ ପାଖ, ଏନ୍ଆଇଟି ବ୍ୟାକ୍ ପୋଷ୍ଟ୍ ଅଞ୍ଚଳ, ସେକ୍ଟର-୮, ସେକ୍ଟର-୫ ଭଂଜଭବନ ପାଖରେ, ଆମ୍ବାଗାନ ସବ୍ଜି ମାର୍କେଟ୍, ବନ୍ଧମୁଣ୍ଡାର ଡି’ କ୍ୟାବିନ, ଏ-ସେକ୍ଟର ହାଇସ୍କୁଲ ଛକ ପାଖ,ବେଦବ୍ୟାସ ଛକର ୪/୫ଟି ସ୍ଥାନ, ବେଦବ୍ୟାସ ଶିବ ମନ୍ଦିର ପାଖ, ଆଇଡିସି ବି’ ସେକ୍ଟର, କଲୁଙ୍ଗା ହାଟ, ସ’ମିଲ୍ ଛକରେ ବେପାର ଚାଲିଛି। ରାଉରକେଲାର ମାଫିଆମାନେ ରାଜ୍ୟର ବିଭିନ୍ନ ଜିଲ୍ଲା,-ବିଶେଷକରି ମାଲକାନଗିରି, ଦେବଗଡ଼ ଓ ସମ୍ବଲପୁରରୁ ବସ୍, ନିଜସ୍ବ ଗାଡ଼ିରେ ଆଣୁଛନ୍ତି। ଏତଦ୍ବ୍ୟତୀତ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡରୁ ନିୟମିତ ଆଣୁଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/୨୧-1.jpg)