ବିପୁଳ ପରିମାଣର ଗଞ୍ଜେଇ ଜବତ, ୫ ଗିରଫ

ବାଲେଶ୍ବର/ବସ୍ତା-୨/ଗାନ୍ଧିଛକ: ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୬ ନମ୍ବର ଜାତୀୟ ରାଜପଥର ରେମୁଣା ଗୋଲେଇ, ଜାମୁଝାଡ଼ି ସମେତ ବସ୍ତା ଥାନା ଅଧୀନ ଅମର୍ଦ୍ଦାରୋଡ ରେଳଷ୍ଟେସନ ନିକଟରୁ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡିମିରିଗୁଡା ଗ୍ରାମର ରାହିଲ ଦିଗଲ(୨୭) ଓ ତାଙ୍କ ଯାଆ ସୁପ୍ରିୟା ଦିଗାଲ।

ଦୁହେଁ ଅମର୍ଦ୍ଦାରୋଡ ରେଳଷ୍ଟେସନରେ ସକାଳେ ଏକ ବସ୍‌ରୁ ଓହ୍ଲାଇ ବ୍ୟାଗ ଧରି ଭିତରକୁ  ଯାଉଥିବା ବେଳେ ବସ୍ତା ଅବକାରୀ ଟିମ୍‌ ସନ୍ଦେହ କରି ତାଙ୍କ ବ୍ୟାଗ ଯାଞ୍ଚ କରିଥିଲେ। ସେଥିରୁ ୨୧କିଗ୍ରା ଗଞ୍ଜେଇ ବାହାରିଥିଲା। ଏହାପରେ ଦୁହିଁଙ୍କୁ ଗିରଫ କରାଯାଇଥିଲା। ସେହିପରି ରେମୁଣା ଗୋଲେଇରୁ ପଶ୍ଚିମବଙ୍ଗ ଦକ୍ଷିଣ ଚବିଶ ପ୍ରଗଣା ସାଗର ଥାନା ଅଧୀନ ମହେନ୍ଦ୍ରଗଞ୍ଜ ଗ୍ରାମର ଜୟଦେବ ପରମାଣିକ(୪୫) ଓ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲା ସାଗରପଡ଼ା ଥାନାର ସାହେବନଗର ଅଞ୍ଚଳର ମିଣ୍ଟୁ ସେଖ(୪୦)କୁ ବଡ଼ି ଭୋରରୁ ସଦର ଅବକାରୀ ବିଭାଗର ଏକ ଟିମ୍‌ ୨୧କେଜି ଗଞ୍ଜେଇ ସହ ଦୁହିଁଙ୍କୁ ଗିରଫ କରିଛି। ଏଥିସହ  ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡ଼ାମରା ଗ୍ରାମର ସଞ୍ଜୁ ନାୟକ(୩୦)କୁ ମଧ୍ୟ ୭ କେଜି ଗଞ୍ଜେଇ ସହ ଆଜି ସକାଳୁ ୧୬ ନମ୍ବର ଜାତୀୟ ରାଜପଥରୁ ଖଇରା ଅବକାରୀ ଅବକାରୀ ଟିମ୍‌ ଗିରଫ କରିଛନ୍ତି।

ସମସ୍ତ ୫ ଅଭିଯୁକ୍ତଙ୍କ ବିରୋଧରେ ପୃଥକ ପୃଥକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। କିଛି ଦିନଧରି ମାଲକାନାଗିରି, କୋରାପୁଟ ଓ ଫୁଲବାଣୀରୁ ଗଞ୍ଜେଇ ବ୍ୟବସାୟୀ ବସ୍‌ରେ ଗଞ୍ଜେଇ ଆଣି ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟବସାୟୀଙ୍କୁ ଦେଉଛନ୍ତି। ଏହା ଉପରେ ବାଲେଶ୍ବର ଅବକାରୀ ବିଭାଗର ଅଧୀକ୍ଷକ ଓ ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ୍‌ ସୁଶାନ୍ତ କୁମାର ପାଢ଼ୀଙ୍କ ନେତୃତ୍ବରେ ଇନ୍ସପେକ୍ଟର ଗାଲୁରାମ ସୋରେନ, ପ୍ରବୀଣ କୁମାର ପ୍ରଧାନ, ଏସ୍‌ଆଇ ବାଳକ ବିଶି, କୁଳମଣି ମହାରଣା, କଳ୍ପନା ଜେନାଙ୍କ ପକ୍ଷରୁ ବେଶ ବିଭିନ୍ନ ବସରୁ ରାତ୍ରିରେ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇ ସନ୍ଦେହରେ ଏପଟସେପଟ ହେଉଥିବା ଲୋକଙ୍କୁ ଯାଞ୍ଚ୍‌ କରାଯାଉଥିଲା।

ସମ୍ବନ୍ଧିତ ଖବର