ଗଞ୍ଜେଇ ଚୋରା ଚାଲାଣ, ବାପ-ପୁଅ ଗିରଫ

ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପୁଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମଧ୍ୟପ୍ରଦେଶ ରାଜ୍ୟ ସାହଦୋଲ ଜିଲ୍ଲା ଅମାଲି ଥାନା ଅନ୍ତର୍ଗତ ଅମାଲି ଗାଁର ସନ୍ତୋଷ ପଟେଲ (୪୯) ଓ ତାଙ୍କ ପୁଅ ପ୍ରିନ୍ସ ପଟେଲ (୨୨)ଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪ କେଜି ୮୭୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ଜଣାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ସକାଳ ୫ଟାରେ ଏସ୍‌ଆଇ ଅନିଲ ବେହେରାଙ୍କ ନେତୃତ୍ବରେ ପିଏସ୍‌ଆଇ ସୌମ୍ୟ ବରାଳ, କନେଷ୍ଟବଳ କବିରାଜ ପଧାନ ଓ ଓଏପିଏଫ୍‌ ପରମା ପଧାନ ପ୍ରମୁଖ ତରଭା ଥାନା ଅଧୀନସ୍ଥ ୫୭ ନମ୍ବର ଜାତୀୟ ରାଜପଥ ଉପରେ ପାଟ୍ରୋଲି° କରୁଥିଲେ। ଏହି ସମୟରେ ସୋନପୁର ପଟରୁ ୨ଜଣ ବ୍ୟକ୍ତି ଏକ ବାଇକରେ ଆସୁଥିବା ଦେଖିବାକୁ ପାଇଥିଲେ। ବଡ଼ବାହାଲି ଛକ ପାଖରେ ସନ୍ଦେହରେ ଅଟକାଇ ବାଇକ (ଏମ୍‌ପି ୧୮ ଏମ୍‌ଏଚ୍‌ ୮୯୪୪)କୁ ଯାଞ୍ଚ କରିବାରୁ ଗଞ୍ଜେଇ ମିଳିଥିଲା।

ଥାନାରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ତହସିଲଦାର କୀର୍ତ୍ତିଚନ୍ଦ୍ର ପଧାନଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରୁ ତାହା ୪ କେଜି ୮୭୦ ଗ୍ରାମ ହୋଇଥିଲା। ଏହା ବାଦ ପୁଲିସ ଉଭୟ ବାପ ପୁଅଙ୍କ ପାଖରୁ ୨୮୦୦ ନଗଦ ଟଙ୍କା ମଧ୍ୟ ଜବତ କରିଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଉଭୟ ବାପପୁଅଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଅଧିକାରୀ ତଥା ଆଇଆଇସି ସୁବ୍ରତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର