ମହାନଦୀ ଶଯ୍ୟାରେ କୃତ୍ରିମ ନାଳ

ବୌଦ୍ଧ : ମହାନଦୀକୁ ନେଇ ଦେଖାଯାଇଥିବା ଓଡ଼ିଶା ଓ ଛତିଶଗଡ଼ ବିବାଦ ଏବେ ସର୍ବୋଚ୍ଚ ନ୍ୟାୟଳୟର ବିଚାରାଧୀନ। ଅପରପକ୍ଷେ ମହାନଦୀରୁ ଶୁଖିଯାଇଛି ଜଳ ସ୍ରୋତ। ବୌଦ୍ଧ ଜିଲ୍ଳାରେ ସ୍ଥିତି ଏମିତିକି ମହାନଦୀ ଭିତରେ କୁତ୍ରିମ ନାଳ କରିବାକୁ ପଡ଼ିଛି। ଆଖିରେ ନଦେଖିଲେ ବିଶ୍ବାସ ହେବ ନାହିଁ।

ବୌଦ୍ଧ ଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପାଖାପାଖି ୩୦ହଜାର ପରିବାର ଦୈନନ୍ଦିନ ଜୀବନ ମହାନଦୀ ପାଣି ଉପରେ ନିର୍ଭର କରେ। ସହରକୁ ଦୈନିକ ୩୫ଲକ୍ଷ ଲିଟର ଜଳଯୋଗାଣର ଆବଶ୍ୟକତା ଥିବା ବେଳେ ୨/୩ ଦିନ ଅନ୍ତରରେ ୧୫ଲକ୍ଷ ଲିଟରରୁ ମଧ୍ୟ କମ ଜଳ ଯୋଗାଣ ହେଉଥିବା ଜଣାଯାଇଛି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବଢିଛି। ପାରା ଛୁଇଁଲାଣି ୪୦ ଡିଗ୍ରି। ସହରବାସୀଙ୍କୁ ଏବଠୁ ଜଳ ଯନ୍ତ୍ରଣା ଭୋଗିବାକୁ ପଡୁଛି। ଆଗକୁ ସ୍ଥିତି ଅସମ୍ଭାଳ ହେବ ତାହା ଜଳ ଜଳ ଦିଶୁଛି।

ଗତ ବର୍ଷ ଶେଷ ଆଡକୁ ହିଁ ମହାନଦୀରେ ଜଳ ପ୍ରବାହ କମି କମି ଆସୁଥିବା ଦେଖାଯାଇଥିଲା। ପାନୀୟ ଜଳ ସଙ୍କଟ ହେବା ଆଶଙ୍କାରେ ବୌଦ୍ଧ ସହରର ସଚେତନ ନାଗରିକ ବାରମ୍ବାର ବୌଦ୍ଧ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଗତ ଜାନୁଆରି ଆଡ଼କୁ ମହାନଦୀର ବୌଦ୍ଧ ପଟକୁ ଥିବା ଜଳ ଧାର ସଂପୂର୍ଣ୍ଣ ଶୁଖିଯିବାରୁ ମହାନଦୀର ବାଲି ଶଯ୍ୟାରେ ଏକ କୃତ୍ରିମ ନାଳ କରାଗଲା। କିଆକଟା ପଟକୁ ଥିବା ଜଳଧାରରୁ ନାଳ କରାଯାଇ ବୌଦ୍ଧ ପଟରେ ଜଳ ଯୋଗାଣ ପାଇଁ ପୂର୍ବରୁ ଖୋଲାଯାଇଥିବା କୁତ୍ରିମ ପୋଖରୀରେ ସଂଯୋଗ କରିଦିଆଗଲା। ଅସ୍ଥାୟୀ ଭାବେ ଏହା ଠିକଠାକ ଚାଲିଥିଲା। ମାତ୍ର ଗ୍ରୀଷ୍ମ ତାତିକୁ ଜଳଧାର କମି ଯିବାରୁ ସଂଚୟ କରାଯାଉଥିବା ଜଳ ମଧ୍ୟ ଦୂଷିତ ହେବାରେ ଲାଗିଛି। ଫଳରେ ସେହି ପାଣିକୁ ବ୍ୟବହାର କରୁଥିବାରୁ ବୌଦ୍ଧ ସହରର ୩ନଂ ୱାର୍ଡରେ ଜଣ୍ଡିସ ଦେଖାଯାଇଛି। ଚଳିତ ବର୍ଷ ବୌଦ୍ଧ ସହରରେ ଜଳ ଯନ୍ତ୍ରଣା ଅସମ୍ଭାଳ ହେବା ଆଶଙ୍କାକୁ ସାଧାରଣରେ ଏଡାଇ ଦିଆଯାଇ ପାରୁ ନାହିଁ।

ସମ୍ବନ୍ଧିତ ଖବର