ସମ୍ବଲପୁର : ଗୁରୁବାର ଦିନ ସମ୍ବଲପୁର ସହରରେ ଅଦିନିଆ ବନ୍ୟା ଦେଖିବାକୁ ମିଳିଥିଲା। କେନାଲ ପାଣି ଅଇଁଠାପାଲି କେନାଲଆଡ଼ିପଡ଼ାରେ ଲୋକଙ୍କ ଘର ଭିତରକୁ ପଶିଯାଇଥିଲା। ଘର ଭିତରକୁ ପାଣି ପଶିବା କାରଣରୁ ଲୋକଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡ଼ିଛି।
ଧାନ ଅମଳ ଯୋଗୁ ପାଖାପାଖି ଦୁଇ ମାସ ହେଲା ହୀରାକୁଦ ଡ୍ୟାମରୁ ବାହାରିଥିବା କେନାଲଗୁଡ଼ିକରେ ପାଣି ଯୋଗାଣ ବନ୍ଦ ରହିଥିଲା। ତଳି ପକାଇବା ପାଇଁ ଆଜି ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ପାଣି ଛଡ଼ାଯାଇଥିଲା। ପାଣି ବନ୍ଦ ରହିଥିବା ଯୋଗୁ କେନାଲଗୁଡ଼ିକରେ ଆବର୍ଜନା ଭରି ରହିଥିଲା। ଆଜି ସକାଳେ ଏହି କେନାଲରେ ପାଣି ଛଡ଼ାଯାଇଥିଲା। ଅଇଁଠାପାଲି ନିକଟରେ ଜାତୀୟ ରାଜପଥକୁ ଅତିକ୍ରମ କରିଥିବା ଏହି କେନାଲର ଭୂମିଗତ ପାଇପ ନିକଟରେ ଆବର୍ଜନା ଜମିଯିବାରୁ ପାଣି ଆଉ ଆଗକୁ ପ୍ରବାହିତ ହୋଇପାରିନଥିଲା। ଫଳରେ କେନାଲ ଫୁଲି ଉଠିବା ସହିତ ଏହାର ପାଣି କେନାଲଆଡ଼ିପଡ଼ା ଭିତରକୁ ପଶିଥିଲା। ଏପରିକି ଅଇଁଠାପାଲି ସହରାଂଚଳ ଡାକ୍ତରଖାନା ପରିସର ପର୍ଯ୍ୟନ୍ତ ପାଣି ଚାଲିଯାଇଥିଲା।
କେନାଲଆଡ଼ିପଡ଼ାରେ ରହୁଥିବା ପ୍ରାୟ ୫୦ଟି ପରିବାର ଏହା ଦ୍ବାରା ପ୍ରଭାବିତ ହୋଇଥିଲେ। ଘର ସମ୍ମୁଖ ରାସ୍ତାରେ ପାଖାପାଖି ୩/୪ ଫୁଟ୍ ପାଣି ଜମି ଥିଲା। ଘରେ ଭିତରେ ଥିବା ଜିନିଷପତ୍ର ଭିଜି ନଷ୍ଟ ହୋଇଯାଇଥିଲା। ଲୋକଙ୍କୁ ଗୁରୁବାର ଦିନ ଭୋକଉପାସରେ ଦିନ କାଟିବାକୁ ପଡ଼ିଛି। ସୂଚନା ମିଳିବା ପରେ ଜଳସଂପଦ ବିଭାଗ କେନାଲ ପାଣିକୁ ଆଗରେ ଅଟକାଇ ଅନ୍ୟ ଦିଗକୁ ପଠାଇଥିଲା। ପରେ କେନାଲରେ ପାଣି ବନ୍ଦକରି ସଫେଇ କାମ ଆରମ୍ଭ କରାଯାଇଥିବା ଜଣାପଡ଼ିଛି। ସଫେଇ କାମ ଆସନ୍ତାକାଲି ମଧ୍ୟ ଚାଲିବ ବୋଲି ଜଣାପଡ଼ିଛି। ଜଳସଂପଦ ବିଭାଗର ଅବହେଳାର ପରିଣାମ ସ୍ଥାନୀୟ ଲୋକଙ୍କୁ ଭୋଗିବାକୁ ପଡ଼ିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।