ସମ୍ବଲପୁର: ଖରିଫ ଫସଲ ନିମନ୍ତେ ହୀରାକୁଦ ଜଳଭଣ୍ଡାରରୁ ଏଥର ବିଳମ୍ବରେ ପାଣି ଛଡ଼ାଯିବ। ଗତବର୍ଷ ତୁଳନାରେ ଜଳଭଣ୍ଡାରରେ ଅଧିକ ପାଣି ରହିଥିବା ସତ୍ତ୍ବେ ଜଳସେଚନ ନିମନ୍ତେ କେନାଲଗୁଡ଼ିକରେ ପାଣି ଛଡ଼ାଯିବାରେ ଏଥର ପ୍ରାୟ ଏକ ସପ୍ତାହ ବିଳମ୍ବ ହୋଇପାରେ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ମୌସୁମୀ ଋତୁରେ ଜଳ ପରିଚାଳନା ନିମନ୍ତେ ଗତ ଜୁନ୍ ପହିଲାରୁ ହୀରାକୁଦ ଜଳଭଣ୍ଡାର ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହୋଇଛି। ନିୟମ ଅନୁସାରେ, ଜୁନ୍ ୧୬ କିମ୍ବା ୧୭ ତାରିଖ ଦିନ ଜଳସେଚନ ନିମନ୍ତେ କେନାଲଗୁଡ଼ିକରେ ହୀରାକୁଦ ଜଳଭଣ୍ଡାରରୁ ପାଣି ଛଡ଼ାଯାଇଥାଏ। ରବି ଧାନ ଫସଲ ଅମଳ ନିମନ୍ତେ ପାଣି ବନ୍ଦ କରାଯିବା ପରେ ଶାସନ ମୁଖ୍ୟ କେନାଲର ନବୀକରଣ କାର୍ଯ୍ୟ ଚାଲିଛି। ବରଗଡ଼ ମୁଖ୍ୟ କେନାଲରେ ନବୀକରଣ କାର୍ଯ୍ୟ ଏଥର ବନ୍ଦ ରହିଛି। ନବୀକରଣ କାର୍ଯ୍ୟ ବର୍ତ୍ତମାନ ଚାଲୁ ନଥିବାରୁ ସମ୍ବଲପୁର (ଆଂଶିକ), ବରଗଡ଼, ସୁବର୍ଣ୍ଣପୁର ଆଦି ୩ ଜିଲ୍ଲାର ଚାଷୀ ନିର୍ଭରଶୀଳ ଥିବା ବରଗଡ଼ ମୁଖ୍ୟ କେନାଲରେ ପାଣି ଛଡ଼ାଯିବାରେ କୌଣସି ସମସ୍ୟା ନାହିଁ। ତଥାପି ଏଥର ବିଳମ୍ବରେ ପାଣି ଛାଡ଼ିବା ପାଇଁ ନିଷ୍ପତ୍ତି ହୋଇଥିବା କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ ସ୍ତର ୬୩୦ ଫୁଟ ହୋଇଥିବାବେଳେ ଶନିବାର ସକାଳ ୮ଟାରେ ଜଳସ୍ତର ୬୦୨.୫୨ ଫୁଟ ରହିଥିଲା। ଗତବର୍ଷ ଜଳଭଣ୍ଡାରରେ ଏହି ସମୟରେ ୬୦୧.୬୫ ଫୁଟ, ଅର୍ଥାତ୍ ୦.୮୭ ଫୁଟ କମ୍ ପାଣି ରହିଥିଲା। ହୀରାକୁଦ ଜଳଭଣ୍ଡାରର ଅଚଳ କ୍ଷମତା (ଡେଡ୍ ଷ୍ଟୋରେଜ୍) ୫୯୦ ଫୁଟ୍। ଜଳସେଚନ ପ୍ରତି ସର୍ବାଧିକ ଗୁରୁତ୍ବ ଦେଇ ଜୁନ୍ ୧୫ ତାରିଖ ସୁଦ୍ଧା ହୀରାକୁଦର ଜଳସ୍ତର ୫୯୮ ଫୁଟ ପର୍ଯ୍ୟନ୍ତ ରଖାଯାଇଥାଏ। ତେବେ ଏଥର ଅଚଳ କ୍ଷମତା ପର୍ଯ୍ୟନ୍ତ ଜଳ ବ୍ୟବହାର କରାଯାଇ ନାହିଁ। ପାଣି ଅଧିକ ଥିବା ସତ୍ତ୍ବେ ବିଳମ୍ବରେ ପାଣି ଛଡ଼ାଯିବା ପଛର କାରଣ ବୁଝାପଡ଼ୁନାହିଁ। ଅବଶ୍ୟ ବର୍ଷା ଆରମ୍ଭ ହୋଇନଥିବାରୁ ଛତିଶଗଡ଼ ରାଜ୍ୟ ସରକାର କଲମା ବ୍ୟାରେଜ୍ର ଗେଟ୍ ଏଯାଏଁ ଖୋଲି ନାହାନ୍ତି। ଗତ ଅକ୍ଟୋବର ମାସରୁ କଲ୍ମା ବ୍ୟାରେଜ୍ର ସମସ୍ତ ଗେଟ୍ ବନ୍ଦ ରହିଛି। ତଥାପି ଅନ୍ୟ ନଦୀନାଳରୁ ହୀରାକୁଦ ଜଳଭଣ୍ଡାରକୁ ୪,୩୯୫ କ୍ୟୁସେକ୍ ଜଳ ଆଜି ସକାଳେ ପ୍ରବେଶ କରୁଥିଲା। ଏ ସଂପର୍କରେ ଜଳସଂପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜୁନ୍ ୨୦ରୁ ୨୫ ମଧ୍ୟରେ ପାଣି ଛଡ଼ାଯିବା ପାଇଁ ସ୍ଥିର ହୋଇଛି। ଯଦି ଚାଷୀମାନେ ପାଣି ଛାଡ଼ିବା ପାଇଁ ଦାବି ନ କରନ୍ତି, ତା’ହେଲେ ଏହା ଆହୁରି ବିଳମ୍ବ ହୋଇପାରେ। ତେବେ ଯଦି ଚାଷୀମାନେ ଶୀଘ୍ର ପାଣି ଛାଡ଼ିବା ପାଇଁ ଦାବି କରନ୍ତି, ତା’ହେଲେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇପାରେ ବୋଲି ସେ କହିଛନ୍ତି।