ଅତାବିରା: ହୀରାକୁଦ ଜଳଭଣ୍ଡାରରୁ ବାହାରିଥିବା ବରଗଡ଼ କେନାଲ କଂକ୍ରିଟକରଣ କାମ ଯୋଗୁଁ ପାଖାପାଖି ସପ୍ତାହେ କାଳ ବିଲମ୍ବରେ ପାଣି ଆସିବ।ଏପ୍ରିଲରେ କେନାଲ ପାଣି ବନ୍ଦ ହେବ। ଡିସେମ୍ବର ଶେଷ ପର୍ଯ୍ୟନ୍ତ ୫୦ ପ୍ରତିଶତ ଚାଷୀଙ୍କ ଟୋକନ୍ ଆସି ନ ଥିବାରୁ ସେମାନେ ଧାନ ବିକି ପାରି ନାହାନ୍ତି। ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଛି। ଚାଷୀ ଧାନ ବିକ୍ରି କରି ନଥିବାରୁ ଏହାର ସିଧାସଳଖ ପ୍ରଭାବ ରବି ଫସଲ ପର୍ଯ୍ୟନ୍ତ ପଡ଼ିବ। ବରଗଡ଼ ମୁଖ୍ୟ କେନାଲ କଂକ୍ରିଟକରଣ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଳିଛି। ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ କାମ ଆଗେଇଛି। କେନାଲ ପାଣି ବନ୍ଦ ହେଲା ପରଠୁ ଏହି କାମ ଚାଳିଥିବାରୁ ଆଗାମୀ ରବି ଫସଲ ପରେ ଅସଂପୂର୍ଣ୍ଣ କାମ ପୁଣି ଆରମ୍ଭ ହେବ। କେନାଲ କାମ ଶୀଘ୍ର ସାରିବା ପାଇଁ ପ୍ରଥମେ ଜାନୁଆରି ପହିଲାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କେନାଲ ପାଣି ଛଡ଼ାଯିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଥିଲା।
ଏ ନେଇ ଗତ ୧୬ ତାରିଖ ବରଗଡ଼ କେନାଲର ଶାଖା କେନାଲ ଗୋଡ଼ଭଗା ଓ ଅତାବିରା ଡିଭିଜନର ପାଣି ପଂଚାୟତ, ଚାଷୀଙ୍କ ଏକ ବୈଠକ ହୋଇଥିଲା। ଏଥିରେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କେନାଲ ପାଣି ଛଡ଼ାଯିବା ନିଷ୍ପତ୍ତିକୁ ବିରୋଧ କରି ମେ' ମାସ ୧୦ ତାରିଖ ପର୍ଯ୍ୟନ୍ତ ପାଣି ଦେବାକୁ ଦାବି ହୋଇଥିଲା। ଏଣେ ଚାଷୀମାନେ ଆଗୁଆ ବଡ଼ ଧାନ ପହ୍ଲା ପକାଇ ସାରିଛନ୍ତି। ୨/୩ ମାସ ପୂର୍ବରୁ ଆଗୁଆ ସୂଚନା ନ ଦେଇ ତରବରିଆ ପାଣି ବନ୍ଦ ନିଷ୍ପତ୍ତିକୁ ଚାଷୀ ବିରୋଧ କରିଥିଲେ। ଚାଷୀଙ୍କ ଦାବି ପରେ ଏପ୍ରିଲ ମାସ ପର୍ଯ୍ୟନ୍ତ ପାଣି ଯୋଗାଇବାକୁ ଜଳସମ୍ପଦ ବିଭାଗ ସ୍ଥିର କରିଛି। ଏହି ସମୟ ସୀମା ଆଗକୁ ବଢ଼ି ପାରେ ବୋଲି କୁହାଯାଉଛି। କାରଣ ଖରିଫ୍ ଧାନ ବିକ୍ରି ପାଇଁ ବହୁ ଚାଷୀଙ୍କ ଟୋକନ୍ ଜାନୁଆରି ଓ ଫେବ୍ରୁଆରି ପର୍ଯ୍ୟନ୍ତ ଅଛି। କିଛି ଚାଷୀଙ୍କ ଟୋକନ ଆଦୌ ଆସି ନାହିଁ। ବଳକା ଚାଷୀ କେନାଲ ପାଣି ଆସିଲେ ହିଁ ପହ୍ଲା ପକାଇବେ। ଏପରିସ୍ଥଳେ ଧାନ ଅମଳ ପ୍ରଭାବିତ ହେବ। ଧାନ ଅମଳ ବିଳମ୍ବ ହେଲେ କେନାଲ ପାଣି ଧାର୍ଯ୍ୟ ଲକ୍ଷ୍ୟ ଅବଧିଠାରୁ ଅଧିକ ଦିନ ଛାଡ଼ିବାକୁ ପଡ଼ିବ। ଯଦି ଜଳସମ୍ପଦ ବିଭାଗ ପୂର୍ବ ନିଷ୍ପତ୍ତି ଅନୁସାରେ ମୁଖ୍ୟ କେନାଲ ବନ୍ଦ କରେ, ତେବେ ଏହାର ପ୍ରଭାବ ଖରିଫ ଫସଲ ଉପରେ ସିଧାସଳଖ ପ୍ରଭାବ ପକାଇବ। ଅର୍ଥାତ, ଟୋକନ ସମସ୍ୟା ଓ କେନାଲ କଂକ୍ରିଟକରଣ କାମ ଆଗାମୀ ରବି ଫସଲକୁ ପ୍ରଭାବିତ କରିବ। ସହ ବରଗଡ଼ ମୁଖ୍ୟ କେନାଲ କଂକ୍ରିଟକରଣ ମଧ୍ୟ ଅନୁରୂପ ପ୍ରଭାବ ପଡ଼ି ନିର୍ଧାରିତ ସମୟରେ ସରିବା ନେଇ ଆଶଙ୍କା ଦେଖାଦେବ।