ଶେଷ ମୁହୂର୍ତ୍ତରେ ବାତିଲ ହେଲା ‘ମନୋଜ ଦାସ; ଜୀବନାୟନ ଓ ସାହିତ୍ୟାୟନ’ ଆଲୋଚନାଚକ୍ର

ସଚିବଙ୍କ ସୂଚନା, ୨୭ ତାରିଖରେ ହେବ ଆଲୋଚନାଚକ୍ର

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମି ଓ ବାଲେଶ୍ବରସ୍ଥିତ ଫକୀର ମୋହନ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭା‌ଗ ମିଳିତ ଆନୁକୂଲ୍ୟରେ ପ୍ରସିଦ୍ଧ ଲେଖକ ମନୋଜ ଦାସଙ୍କ ସ୍ମୃତିରେ ଏକ ଆଲୋଚନାଚକ୍ର ‘ମନୋଜ ଦାସ; ଜୀବନାୟନ ଓ ସାହିତ୍ୟାୟନ’ ଆସନ୍ତାକାଲି (ବୁଧବାର) ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜନ ପାଇଁ ସ୍ଥିର ହୋଇଥିଲା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଅତିଥିମାନଙ୍କୁ ମଧ୍ୟ ନିମନ୍ତ୍ରଣ ସରିଥିଲା। କିନ୍ତୁ କାର୍ଯ୍ୟକ୍ରମର ମାତ୍ର ୪୮ ଘଣ୍ଟା ପୂର୍ବରୁ ଏହାକୁ ଏକାଡେମି ପକ୍ଷରୁ ବାତିଲ କରିଦିଆଯାଇଛି। ପାଣ୍ଠି ଅଭାବର ଆଳ ଦେଖାଇ ଏକାଡେମି ପକ୍ଷରୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ଜଣାପଡ଼ିଛି। ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯିବାରୁ ଛାତ୍ରଛାତ୍ରୀ ଓ ଆୟୋଜକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏନେଇ ଏକାଡେମିର ସଚିବ ପ୍ରବୋଧ ରାଉତଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏହି ଆଲୋଚନାଚକ୍ର ବାତିଲ ହୋଇନାହିଁ ବରଂ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତା ଏପ୍ରିଲ ୨୭ ତାରିଖରେ ସ୍ବର୍ଗତ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବ ପଡ଼ୁଥିବାରୁ, ସେହିଦିନ ଏହି ଆଲୋଚନାଚକ୍ର କରାଯିବାକୁ ସ୍ଥିର କରାଯାଇଛି। ୨୭ ତାରିଖରେ ନିହାତି ଭାବେ ସ୍ବର୍ଗତ ଦାସଙ୍କ ଉଦ୍ଦେଶ୍ୟରେ ବାଲେଶ୍ବରରେ ଏକ କାର୍ଯ୍ୟକ୍ରମ କରାଯିବ। ଏହା ପୂର୍ବରୁ ପୁଣି ଏକ କାର୍ଯ୍ୟକ୍ରମ କରିବା ସମ୍ଭବ ନଥିବା ସେ କହିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି, ଏପ୍ରିଲ ୨୭ ତାରିଖରେ ମନୋଜ ଦାସଙ୍କ ଶ୍ରାଦ୍ଧୋତ୍ସବ ପଡ଼ୁଥିବା କଥା କ’ଣ ଏକାଡେମି କର୍ତ୍ତୃପକ୍ଷ ଭୁଲି ଯାଇଥିଲେ? ଯଦି ଭୁଲି ନଥିଲେ, ୧୩ ତାରିଖରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି ନେଲେ କିଭଳି? କାର୍ଯ୍ୟକ୍ରମ ଆୟୋଜନରେ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ଶ୍ରମ ଦେଇ ‌ସମସ୍ତ ପ୍ରସ୍ତୁତି କରିସାରିବା ପରେ କାହିଁକି ଏହାକୁ ହଠାତ୍‌ ଏକାଡେମି ବନ୍ଦ କରିଦେଲା? ସମସ୍ତ ବଡ଼ବଡ଼ ସାହିତ୍ୟିକ ଓ ଅତିଥିମାନଙ୍କୁ ଆଲୋଚନାଚକ୍ରକୁ ନିମନ୍ତ୍ରଣ କରାଯିବା ପରେ ପୁଣି ସେମାନଙ୍କୁ ମନା କରିବା ଯେ କେତେ ଅପମାନବୋଧକ, ଏହା ଏକାଡେମି କର୍ତ୍ତୃପକ୍ଷ ହୃଦୟଙ୍ଗମ କରିପାରୁନାହାନ୍ତି କି? ଏକାଡେମିର ଏଭଳି ଦୂରଦୃଷ୍ଟି ଅଭାବ ଓ ବେପର୍‌ୱା ମନୋବୃତ୍ତି କେବେ ଯିବ, ତାହା ଏବେ ସାହିତ୍ୟିକମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର