ଦାମଙ୍କ ପ୍ରସ୍ତୁତି ବୈଠକ ବାତିଲ୍‌

ଜଗତ୍‌ସିଂହପୁର ରାଜନୀତି: ଘଡ଼ିକେ ଘୋଡ଼ା ଛୁଟୁଛି

ଜଗତସିଂହପୁର: ଦଳରୁ ବିଦା ହେବା ପରେ ଏଯାବତ୍‌ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ନେଇ ପାରାଦୀପ ନିର୍ବାଚନମଣ୍ଡଳୀର ଚିତ୍ର ସ୍ପଷ୍ଟ ହୋଇପାରୁ ନାହିଁ। ତାଙ୍କ ସହ କେଉଁ ନେତାମାନେ ଅଛନ୍ତି, ତାହା ମଧ୍ୟ ବର୍ତ୍ତମାନ ମଧ୍ୟ ଅସ୍ପଷ୍ଟ ରହିଛି। କୁଜଙ୍ଗରେ ଆୟୋଜିତ ହେବାକୁ ଥିବା ସମାବେଶକୁ ନେଇ ଆଜି ଡାକ୍ତର ରାଉତ ଏକ ପ୍ରସ୍ତୁତି ବୈଠକ ଡାକିଥିଲେ। ଏହି ବୈଠକରେ ଯୋଗଦେବା ପାଇଁ କେତେଜଣ ସରପଞ୍ଚ ଓ ସମିତି ସଭ୍ୟ କୁଜଙ୍ଗ ବ୍ଲକ୍‌ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ହେଲେ, ହଠାତ୍‌ ଶେଷ ମୁହୂର୍ତ୍ତରେ ଉକ୍ତ ବୈଠକକୁ ଦାମ ବାତିଲ କରିଥିଲେ। ରାଜଧାନୀରେ କିଛି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଥିବାରୁ ଦାମ ଆସିଲେ ନାହିଁ ବୋଲି ତାଙ୍କ ନିକଟତମ ମହଲରୁ କୁହାଯାଉଥିଲେ ବି ରାଜନୀତି ବିଶାରଦମାନେ ଏହା ପଛର ଭିନ୍ନ ବାସ୍ନା ବି ବାରିଲେଣି। ତେବେ, ଆଜିର ବୈଠକର ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଯେ, ଗତକାଲି ସାଂସଦ ଡାକ୍ତର କୁଳମଣି ସାମଲଙ୍କ ନେତୃତ୍ଵରେ ଆୟୋଜିତ ବୈଠକରେ ଯେଉଁ ସରପଞ୍ଚ ଓ ସଭ୍ୟମାନେ ଉପସ୍ଥିତ ଥିଲେ ସେମାନେ ଆଜି ମଧ୍ୟ ଦାମଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ। ଫଳରେ ଦାମଙ୍କୁ ନେଇ ଜିଲ୍ଲା ରାଜନୀତି ସବୁବେଳେ ଘଡ଼ିକେ ଘୋଡ଼ା ଛୁଟିବା ସ୍ଥିତିରେ ରହିଛି।

ଅନ୍ୟପକ୍ଷରେ, ଦାମଙ୍କ ପରେ ପାରାଦୀପ ନିର୍ବାଚନମଣ୍ଡଳୀକୁ ସଜାଡ଼ିବା ପାଇଁ ରାଜଧାନୀସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେଥିରେ ପାରାଦୀପ ପୌରାଞ୍ଚଳ ଓ କୁଜଙ୍ଗ ବ୍ଲକ୍‌ର ଦଳୀୟ ସଦସ୍ୟମାନେ ଯୋଗଦେଇ ଖୋଲାଖୋଲି ଭାବେ ଦଳ ସହ ରହିବାର ମତ ଦେଇଥିଲେ। ଏହାର ଗୋଟିଏ ଦିନ ପରେ ସାଂସଦ ଡାକ୍ତର ସାମଲ ମହିଳା ସମାବେଶକୁ ନେଇ ଏକ ବୈଠକ ଡାକିଥିଲେ। ସେଥିରେ ମଧ୍ୟ ଦାମଙ୍କ ଏକାନ୍ତ ଅନୁଗତ ଭାବେ ଜଣାଶୁଣା ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ରହି ସମସ୍ତ ଦଳୀୟ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଆୟୋଜନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର, ଏହାର ଠିକ୍‌ ଦିନକ ପରେ ଆଜି ଦାମ ଡାକିଥିବା ବୈଠକରେ ପୁଣି ସେହି ନେତାମାନେ ଯୋଗଦେବାକୁ ଆସିବା ଘଟଣା ନିଶ୍ଚିତ ଭାବେ ପାରାଦୀପ ନିର୍ବାଚନମଣ୍ଡଳୀର ବର୍ତ୍ତମାନ ନେତୃତ୍ଵ ନେଉଥିବା ସାଂସଦଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର