ଓପିଜିସିର ୪୯% ଅଂଶଧନ ପ୍ରତ୍ୟାହାର ଯୋଜନା ବାତିଲ

ଭୁବନେଶ୍ବର : ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି)ର ୪୯ ପ୍ରତିଶତ ଅଂଶଧନ ପ୍ରତ୍ୟାହାର କରିବା ଲାଗି ଯେଉଁ ଯୋଜନା ରହିଥିଲା ତାହାକୁ ରାଜ୍ୟର ବାତିଲ କରିଛନ୍ତି। ଓପିଜିସିରେ ରାଜ୍ୟ ସରକାରଙ୍କ ୧୦୦% ଅଂଶଧନ ରହିଛି। ସେଥିରୁ ୪୯ ପ୍ରତିଶତ ଅଂଶଧନ ବିକିବାକୁ ସରକାର ଯୋଜନା ରଖିଥିଲେ। ଯେହେତୁ ସେହି ଅଂଶଧନ କିଣିଲେ କଂପାନିର ପରିଚାଳନା ଦାୟିତ୍ବ ହାତକୁ ଆସିବ ନାହିଁ, ସେଥିପାଇଁ ଗ୍ରାହକମାନେ ବିଶେଷ ଆଗ୍ରହ ଦେଖାଇନଥିଲେ। ନିବେଶକମାନେ ୫୧% ଅଂଶଧନ ସହିତ କଂପାନିର ପରିଚାଳନା ନିୟନ୍ତ୍ରଣ ନିଜ ହାତରେ ରହୁ ବୋଲି ଚାହୁଥିଲେ।

ଅଢ଼େଇ ବର୍ଷ ପୂର୍ବେ ଆମେରିକୀୟ କଂପାନି ଏଇଏସ୍‌ କର୍ପୋରେସନଠାରୁ ୧୦୦୦ କୋଟି ଟଙ୍କାରେ ଓପିଜିସିର ୪୯ ପ୍ରତିଶତ ଅଂଶଧନକୁ ରାଜ୍ୟ ସରକାର କିଣିଥିଲେ। ୨୦୦୦ ମସିହାରେ ଏଇଏସ୍‌ର ଅଂଶଧନ କିଣିବାକୁ ଆଦାନି ପାୱାର ଚାହୁଥିଲା। ମାତ୍ର ଫାଷ୍ଟ୍‌ ରିଫ୍ୟୁଜାଲ୍‌ ଅଧିକାର ଲାଗୁ କରି ସରକାର ଆଦାନିକୁ ଅଟକାଇଥିଲେ। ଆଦାନି ଯେତିକି ଟଙ୍କାରେ ଅଂଶଧନ କିଣିବାକୁ ଚାହୁଥିଲା, ସମାନ ପରିମାଣର ରାଶି ଦେଇ ସରକାର ଏଇଏସ୍‌ର ଅଂଶଧନକୁ କିଣିଥିଲେ।
ଏହି ଲାଭଜନକ କଂପାନିର ୪୯ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଚଳିତ ବର୍ଷ ପ୍ରାରମ୍ଭରେ ରାଜ୍ୟ ସରକାର ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନ କରିଥିଲେ। ନିବେଶକମାନେ ବିଶେଷ ଆଗ୍ରହ ଦେଖାଉନଥିବାରୁ ଅଂଶଧନ ବିକ୍ରି ପ୍ରକ୍ରିୟାକୁ ରଦ୍ଦ କରାଯାଇଛି। ଏବିଷୟରେ ରାଜ୍ୟ ସରକାର ଏସ୍‌ବିଆଇ କ୍ୟାପିଟାଲ୍‌କୁ ଅବଗତ କରିଥିବା ଜଣାପଡ଼ିଛି। ଆସନ୍ତା ବର୍ଷ ପୁଣି ଥରେ ଅଂଶଧନ ବିକ୍ରି ଲାଗି ସରକାର ଉଦ୍ୟମ କରିବେ ବୋଲି ଜଣାପଡ଼ିଛି।

ଓପିଜିସିର ୧୭୪୦ ମେଗାୱାଟ୍‌ର ବିଦ୍ୟୁତ ଉତ୍ପାଦନ କ୍ଷମତା ରହିଛି। ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇନଥିବା ଏହି କଂପାନିର ମୂଲ୍ୟ ୫୨୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ୨୦୨୨ ‌ସେପ୍ଟେମ୍ବର ସୁଦ୍ଧା ଶେଷ ଛଅ ମାସରେ ଓପିଜିସି ୧୬୫ କୋଟି ଟଙ୍କାର ଲାଭ କରିଥିଲା। କଂପାନି ଉପରେ ୟୁନିୟନ୍ ବ୍ୟାଙ୍କ, ପାୱାର ଫାଇନାନ୍ସ କର୍ପୋରେସନ, ଆର୍‌ଇସି ଓ ଇଣ୍ଡିଆନ ବ୍ୟାଙ୍କ ଆଦିନର ୭୪୯୨ କୋଟି ଟଙ୍କାର ଋଣ ବକେୟା ରହିଛି।

ସମ୍ବନ୍ଧିତ ଖବର