ଜାଲିଆତି ଧରାପଡ଼ିଲା: ୫ ବର୍ଷ ପରେ ୪ ଶିକ୍ଷକଙ୍କ ​ପଦୋନ୍ନତି ରଦ୍ଦ

ଯାଜପୁର : ଯାଜପୁର ଜିଲ୍ଲା ଶିକ୍ଷା ବିଭାଗରେ ବ୍ୟାପକ ଦୁର୍ନୀତି ପଦାକୁ ଆସିବାରେ ଲାଗିଛି। ଦୀର୍ଘ ୫ବର୍ଷ ପରେ ୪ଜଣ ଶିକ୍ଷକଙ୍କ ପଦୋନ୍ନତି ଜାଲିଆତି ଧରାପଡ଼ିଛି। ୪ଜଣ ଶିକ୍ଷକଙ୍କ ପଦୋନ୍ନତିକୁ ମଧ୍ୟ ଶିକ୍ଷା ବିଭାଗ ନିର୍ଦେଶକ ରଦ୍ଦ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଗତକାଲି ନିର୍ଦେଶ ଦେଇଛନ୍ତି। ଏହି ଜାଲିଆତି ଘଟଣାରେ ୯ଜଣଙ୍କ ନାମ ଥିବାବେଳେ ୫ଜଣ ଏଥି ମଧ୍ୟରେ ଅବସର ନେଇଯାଇଛନ୍ତି। ଏବେ ଚାକିରିରେ ଥିବା ଅମିୟ କୁମାର ଦାସ, ନାରାୟଣ ପଢ଼ିହାରି, ରମେଶ ଚନ୍ଦ୍ର ଦେଓ ଓ ଶାନ୍ତନୁ କୁମାର ଦାସଙ୍କ ପଦୋନ୍ନତି ରଦ୍ଦ କରିବାକୁ ନିର୍ଦେଶ ହୋଇଛି।

ଅମିୟ କୁମାରଙ୍କୁ ତାଙ୍କ ଚାକିରି କରିବା ତା ୧/୧୧/୧୯୮୫ ପରିବର୍ତ୍ତେ ତା ୧୧/୧/୧୯୮୫ ବୋଲି ଦର୍ଶାଇ ପଦୋନ୍ନତି ଦିଆଯାଇଛି। ସେହିପରି ନାରାୟଣ ପଢ଼ିହାରୀଙ୍କ ନିଯୁକ୍ତି ତା ୧/୧୧/୧୯୮୫ ବଦଳରେ ତା ୧୧/୧/୧୯୮୫ ଦର୍ଶାଯାଇଛି। ଅନୁରୂପ ଭାବେ ରମେଶ ଚନ୍ଦ୍ର ଦେଓଙ୍କ ନିଯୁକ୍ତି ତା ୧/୧୦/୧୯୮୫ ପରିବର୍ତ୍ତେ ୧୦/୧/୧୯୮୪ ଓ ଶାନ୍ତନୁ କୁମାର ଦାଶଙ୍କ ନିଯୁକ୍ତି ତା ୧/୨/୧୯୮୫ ସ୍ଥଳେ ତା୨/୧୦/୧୯୮୫ ଦର୍ଶାଯାଇ ପଦୋନ୍ନତି ଦିଆଯାଇଛି। ଏହାକୁ ନେଇ ସମ୍ବାଦରେ ୫ବର୍ଷ ତଳେ ୨୦୧୭ରେ ଖବର ପ୍ରକାଶ ପାଇଥିଲା। ତତ୍କାଳୀନ ଅଧିକାରୀଙ୍କ ସମ୍ପର୍କୀୟ ଏହି କେଳେଙ୍କାରୀରେ ଫସିଥିବାରୁ ସେ କୌଣସି କାର୍ଯ୍ୟାନୁ‌ଷ୍ଠାନ ଗହଣ ନକରି ଫାଇଲ୍ ଚାପି ଦେଇଥିଲେ। ଏବେ ନିର୍ଦେଶକଙ୍କ ନଜରକୁ ଏହି ମାମଲା ଆସିବା ପରେ କାର୍ଯ୍ୟାନୁ‌ଷ୍ଠାନ ପାଇଁ ଲେଖିଛନ୍ତି। ଜିଲ୍ଲା ଅଧିକାରୀ ନିର୍ଦ୍ଦେଶକଙ୍କ ନିର୍ଦେଶକୁ କେବେ କାର୍ଯ୍ୟକାରୀ କରୁଛନ୍ତି? ତା’ ଉପରେ ସମସ୍ତଙ୍କର ନଜର।

ସମ୍ବନ୍ଧିତ ଖବର