କଟକ: ଏଣିକି ନାବାଳକ ଗାଡ଼ି ଚାଳକ ଧରାପଡ଼ିଲେ ଉକ୍ତ ଗାଡ଼ିର ପଞ୍ଜୀକରଣ ସାର୍ଟିଫିକେଟ୍(ଆରସି) ଗୋଟିଏ ବର୍ଷ ଯାଏ ବାତିଲ କରାଯିବ। ସମ୍ପୃକ୍ତ ନାବାଳକ ଜଣକ ସାବାଳକ ହେବା ପରେ ବି ୨୫ ବର୍ଷ ଯାଏ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍) ମିଳିବ ନାହିଁ। ଧରାପଡ଼ୁଥିବା ନାବାଳକ ଗାଡ଼ି ଚାଳକଙ୍କ ତଥ୍ୟ ସାରଥି ଆପରେ ଅପଲୋଡ୍ କରାଯାଉଛି। ଏଥିରେ ସେମାନଙ୍କ ଆଧାର ନମ୍ବର ସଂକ୍ରାନ୍ତ ତଥ୍ୟ ଦିଆଯାଉଛି। ୧୮ ବର୍ଷ ପରେ ଯେତେବେଳେ ସେମାନେ ଡିଏଲ୍ ପାଇଁ ଆବେଦନ କରିବେ, ତୁରନ୍ତ ଏହା ବାତିଲ୍ ହୋଇଯିବାର ବ୍ୟବସ୍ଥା କରାଯାଇଛି। ଏନଆଇସି (ନ୍ୟାସନାଲ୍ ଇନଫରମେସନ୍ ସେଣ୍ଟର) ସହିତ ମିଶି ପରିବହନ ବିଭାଗ ଏ ପ୍ରକାର ବ୍ୟବସ୍ଥା କରିଛି। ଗଲା ତିନି ବର୍ଷ ଭିତରେ ସଡ଼କ ଦୁର୍ଘଟଣାରେ ୬୫୩ ନାବାଳକଙ୍କ ମୃତ୍ୟୁ ଓ ୧୮୯୫ ଆହତ ହୋଇଥିବାରୁ ନାବାଳକଙ୍କ ଗାଡ଼ି ଚଳାଇକୁ ଯେଭଳି ରୋକ୍ ଲଗାଯାଇପାରିବ, ସେ ଦିଗରେ କଠୋର ପଦକ୍ଷେପ ପରିବହନ କମିସନରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି।
ଗାଡ଼ି ଚଳାଉଥିବା ନାବାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସ୍ବରୂପ ୨୯ ତାରିଖରେ ରାଜ୍ୟରେ ମୋଟ ୧୫୪ ଜଣ ନାବାଳକ ଧରାପଡ଼ିଥିବା ବେଳେ ତାଙ୍କ ନିକଟରୁ ୬୦ଟି ଗାଡ଼ି ଜବତ ହୋଇଥିଲା। ୩୦ ତାରିଖ ଦିନ ଗୋଟାଏ ସୁଦ୍ଧା ୧୮୦ ଜଣ ଧରାପଡ଼ିଥିବା ବେଳେ ୭୮ଟି ଗାଡ଼ି ଜବତ ହୋଇଛି। ତେବେ ୪୮ ଘଣ୍ଟା ମଧ୍ୟରେ ୩୩୪ ଜଣ ନାବାଳକ/ନାବାଳିକା ଧରାପଡ଼ିଥିବା ବେଳେ ୧୩୮ଟି ଗାଡ଼ି ଜବତ ହୋଇଥିବା ସୂଚନା ମିଳିଛି। ଗଲା ୪୮ ଘଣ୍ଟା ମଧ୍ୟରେ ମୋଟର ଯାନ ଆଇନ ୧୯୮୮ର ଧାରା ୧୯୯(କ) ଅନୁଯାୟୀ ନାବାଳକ ଚଳାଉଥିବା ଗାଡ଼ି ବିରୋଧରେ ୨୫ ହଜାର ଟଙ୍କା ଲେଖାଏ କରି ମୋଟ ୮୩ ଲକ୍ଷ ୫୦ ହଜାର ଟଙ୍କାର ଜରିମାନା ଲଗାଯାଇଛି।
ଅନ୍ୟପଟେ ଦୁର୍ଘଟଣା କ୍ଷେତ୍ରରେ ପରିବହନ ବିଭାଗ ଏଭଳି ସଂଗିନ ଚିତ୍ର ସାମନାକୁ ଆଣିଛି। ୨୦୨୧ରେ ୧୦ ହଜାର ୯୮୪ଟି ଦୁର୍ଘଟଣା ଘଟିଥିବା ବେଳେ ୫ ହଜାର ୮୧ ଜଣଙ୍କ ମୃତ୍ୟୁ ଓ ୯ ହଜାର ୭୮୨ ଜଣ ଗୁରୁତର ଆହତ ହୋଇଥିଲେ। ୨୦୨୨ରେ ୧୧ ହଜାର ୬୬୩ଟି ଦୁର୍ଘଟଣା, ୫ ହଜାର ୪୬୭ ଜଣଙ୍କ ମୃତ୍ୟୁ, ୧୦ ହଜାର ୩୦୨ ଜଣ ଆହତ ହୋଇଛନ୍ତି। ୨୦୨୩ରେ ୧୧ ହଜାର ୯୯୨ଟି ଦୁର୍ଘଟଣା ଘଟିଥିବା ବେଳେ ୫ ହଜାର ୭୩୯ ଜଣଙ୍କ ମୃତ୍ୟୁ ଓ ୧୦ ହଜାର ୩୬୯ ଜଣ ଗୁରୁତର ଆହତ ହୋଇଛନ୍ତି। ମୋଟ ଉପରେ ଏହି ତିନି ବର୍ଷ ଭିତରେ ୩୪ ହଜାର ୬୩୯ଟି ଦୁର୍ଘଟଣା, ୧୬ ହଜାର ୨୮୭ଜଣଙ୍କ ମୃତ୍ୟୁ ଓ ୩୦ ହଜାର ୪୫୩ ଜଣ ଆହତ ହୋଇଛନ୍ତି। ଏହି ତିନି ବର୍ଷ ଭିତରେ ମୋଟ ଦୁର୍ଘଟଣା, ମୃତ୍ୟୁ ଓ ଆହତଙ୍କ ଭିତରୁ କେବଳ ନାବାଳକ/ନାବାଳିକାଙ୍କ କଥା ଯଦି ଅନୁଶୀଳନ କରାଯିବ, ତେବେ ଏ ଚିତ୍ର ଆହୁରି ସଂଗିନ। ୨୦୨୧ରେ ୧୬୭ ଜଣ ନାବାଳକ ଓ ୩୬ ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ, ୪୦୯ ଜଣ ନାବାଳକ ଓ ୧୨୨ ଜଣ ନାବାଳିକା ଆହତ ହୋଇଥିଲେ। ୨୦୨୨ରେ ୧୯୫ ଜଣ ନାବାଳକ ଓ ୩୧ ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି। ୫୧୪ ଜଣ ନାବାଳକ ଓ ୧୪୬ ଜଣ ନାବାଳିକା ଆହତ ହୋଇଛନ୍ତି। ୨୦୨୩ରେ ୧୭୯ ଜଣ ନାବାଳକ ଓ ୪୫ ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ୫୪୭ ନାବାଳକ ଓ ୧୫୭ ଜଣ ନାବାଳିକା ଆହତ ହୋଇଛନ୍ତି। ତେବେ ମୋଟ ଉପରେ ୨୦୨୧ରୁ ୨୦୨୩ ମଧ୍ୟରେ ୫୪୧ ନାବାଳକ ଓ ୧୧୨ ଜଣ ନାବାଳିକାଙ୍କୁ ମିଶାଇ ମୋଟ ୬୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୭୦ ଜଣ ନାବାଳକ ଓ ୪୨୫ ଜଣ ନାବାଳିକାଙ୍କୁ ମିଶାଇ ୧୮୯୫ ଜଣ ଆହତ ହୋଇଛନ୍ତି। ପରିବହନ କମିସନରଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ପରିବହନ କମିସନର ଲାଲମୋହନ ସେଠୀଙ୍କ ସମେତ ଅତିରିକ୍ତ ପରିବହନ କମିସନର ଦୀପ୍ତ ରଞ୍ଜନ ପାତ୍ର, ଇନ୍ଦ୍ରମଣି ନାୟକ, ସଚିବ ଚିନ୍ମୟୀ ବିଶ୍ବାଳ, ପ୍ରଦୀପ କୁମାର ମହାନ୍ତି, ସୌମେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।