ବରଗଡ଼ରେ ହେବ କ୍ୟାନସର୍‌ ହସ୍ପିଟାଲ: ମୁଖ୍ୟମନ୍ତ୍ରୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସାଇନ୍ସ ପାର୍କ ଉଦ୍‌ଘାଟିତ
ମା’ ସମଲେଶ୍ବରୀ ମନ୍ଦିରର ବିକାଶ ହେବ
ହୀରାକୁଦ ହେବ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ

ବରଗଡ଼/ସମ୍ବଲପୁର : ମଂଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଓ ସମ୍ବଲପୁର ଗସ୍ତ ବେଳେ କେତୋଟି ବଡ଼ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା ସହିତ କିଛି ବଡ଼ ଘୋଷଣା କରି ପଶ୍ଚିମ ଓଡ଼ିଶାବାସୀଙ୍କୁ ଖୁସି କରି ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ବରଗଡ଼ ସହର ଉପକଣ୍ଠର ଟୁକୁର୍ଲାଠାରେ ନବନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସାଇନ୍ସ ପାର୍କ ଉଦ୍‌ଘାଟନ କରିଥିବା ବେଳେ ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ସଂକ୍ଷିପ୍ତ ଉଦ୍‌ବୋଧନ ଦେଇ ବରଗଡ଼ରେ ଏକ କ୍ୟାନସର୍‌ ହସ୍ପିଟାଲ ନିଶ୍ଚିତ ସ୍ଥାପନ ହେବ ବୋଲି ଘୋଷଣା କରିଛନ୍ତି। ସେହିପରି ସମ୍ବଲପୁର‌ର ମା’ ସମଲେଶ୍ବରୀଙ୍କୁ ଦର୍ଶନ କରି ମୁଖ୍ୟମନ୍ତ୍ରୀ ସମଲେଶ୍ବରୀ ମନ୍ଦିରର ବିକାଶ ଏବଂ ହୀରାକୁଦକୁ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ କରିବା ଲାଗି ଖୁବଶୀଘ୍ର ବିଶେଷଜ୍ଞ ଦଳକୁ ପଠାଇବେ ଏବଂ ସେମାନଙ୍କ ରିପୋର୍ଟ ଆଧାରରେ ଅନୁଦାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସାଇନ୍ସ ପାର୍କ ଉଦ୍‌ଘାଟନ କରିବା ପରେ ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ନୂଆ ଡାକ୍ତରଖାନା ପାଇ ବରଗଡ଼ବାସୀ ଖୁସି କି? ବୋଲି ସେ ପ୍ରଶ୍ନ କରିଥିଲେ। ପ୍ରତି ଉତ୍ତରରେ ସମବେତ ଲୋକେ ‘ହଁ’ ବୋଲି କହିବାରୁ ମୁଖ୍ୟମନ୍ତ୍ରୀ ନିଜେ ବି ଖୁସି ଥିବା କହିଥିଲେ। ତେବେ ବରଗଡ଼ ଜିଲ୍ଲାରେ ଏକ କ୍ୟାନସର ହସ୍ପିଟାଲ ସ୍ଥାପନ ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ଭାଷଣ‌କୁ କ୍ୟାନସର୍‌ ହସ୍ପିଟାଲ ଉପରେ କେନ୍ଦ୍ରିତ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏହାବାଦ ମୁଖ୍ୟମନ୍ତ୍ରୀ ପ୍ରାୟ ୧୨୦ କୋଟି ଟଙ୍କା ଅଟକଳରେ ୬ଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିଲେ। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଂଚ ପରିଚାଳନା କରିଥିଲେ। ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ ସିଂ, ବିଧାୟକ ବିଜୟରଂଜନ ସିଂ ବରିହା, ସ୍ନେହାଂଗିନୀ ଛୁରିଆ, ରୀତା ସାହୁ, ପୂର୍ବତନ ସାଂସଦ ପ୍ରଭାସ ସିଂହ ପ୍ରମୁଖ ମଂଚାସୀନ ଥିଲେ।

ଏହି ସମାବେଶ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଆସି ମା’ ସମଲେଶ୍ବରୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ସମଲେଶ୍ବରୀ ମନ୍ଦିର ଓ ହୀରାକୁଦ ପର୍ଯ୍ୟଟନସ୍ଥଳୀର ବିକାଶ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ମା ସମଲେଶ୍ବରୀ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟୀକରଣ ସହିତ ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ। ଏଥିପାଇଁ ଏକ ବିଶେଷଜ୍ଞ ଦଳ ସମ୍ବଲପୁର ଆସି ଅନୁଧ୍ୟାନ କରି ରିପୋର୍ଟ ଦେବେ; ଯାହା ଆଧାରରେ ଉନ୍ନୟନ କାମ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ। ସେହିପରି ହୀରାକୁଦକୁ ଏକ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବ। ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ଜଳ କ୍ରୀଡ଼ା, ଉଦ୍ୟାନ, କନ୍‌ଭେନ୍‌ସନ ସେଣ୍ଟର, ଲ୍ୟାଣ୍ଡସ୍କେପିଂ ଆଦିର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସମଲେଶ୍ବରୀ ମନ୍ଦିରରେ ପ୍ରାୟ ୧୦ ମିନିଟ୍‌ର ରହଣି ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଅଭିମୁଖେ ପ୍ରସ୍ଥାନ କରିଥିଲେ। ସରକାରୀ ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଂଗାଲି ବିଧାୟକ ନାଉରୀ ନାୟକ, କୁଚିଣ୍ଡା ବିଧାୟକ କିଶୋର ନାୟକ, ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର