ବରଗଡ଼ : କ୍ୟାନ୍ସର୍‌ ହସ୍ପିଟାଲ୍‌ ବିଳମ୍ବ, ପୁଣି ତାତିଲେ ଜନତା

ବରଗଡ଼ : ବରଗଡ଼ରେ କ୍ୟାନସର୍‌ ହସ୍ପିଟାଲ ପ୍ରତିଷ୍ଠା ନେଇ ପୂର୍ବରୁ ଜନଆନ୍ଦୋଳନ ହୋଇଥିଲା। କ୍ରମାଗତ ଭାବେ ବିଭିନ୍ନ ଆଲୋଚନାଚକ୍ର, ଧାରଣା ଏବଂ ବନ୍ଦ ପାଳନ କରି ଲୋକେ ହସ୍ପିଟାଲ ଦାବି ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ଫଳସ୍ବରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଆସି କ୍ୟାନସର ହସ୍ପିଟାଲ ନିଶ୍ଚିତ ହେବ ବୋଲି ଘୋଷଣା କରିଥିଲେ। ପରେ ଏକ ବିଶେଷଜ୍ଞ ଦଳ ଆସି ଭିତ୍ତିଭୂମି ପରଖି ସନ୍ତୋଷ ପ୍ରକାଶ କରି ଫେରିଯାଇଥିଲେ। ଏହି ଦଳ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌ଠାରେ କ୍ୟାନସର ହସ୍ପିଟାଲ ଖୋଲିବାରେ କିଛି ଅସୁବିଧା ନଥିବା ଦର୍ଶାଇଥିଲା। ଏହି ଘଟଣାବଳୀକୁ ୯ମାସ ଅତିକ୍ରାନ୍ତ କଲାଣି। କିନ୍ତୁ କ୍ୟାନସର ହସ୍ପିଟାଲ ନେଇ କିଛି ଠୋସ୍‌ ପଦକ୍ଷେପ ହୋଇନାହିଁ। ଯଦ୍ବାରା ଆଶାଆଶଂକାରେ ଥିବା କ୍ୟାନସର ରୋଗୀ, ବୁଦ୍ଧିଜୀବୀ ଏବଂ ସଂଗଠନମାନେ ପୁଣି ଅସନ୍ତୋଷ ଜାହିର କଲେଣି।

କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନେଇ ଗଠିତ ମିଳିତ ମଂଚ ପକ୍ଷରୁ ସହରରେ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଳଙ୍କ ଦପ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଲକ୍‌ଡାଉନ୍‌ ଏବଂ କୋଭିଡ୍‌ କଟକଣା ଯୋଗୁଁ ବରଗଡ଼ର ଶହଶହ କ୍ୟାନସର ରୋଗୀ ବାହାରକୁ ଉପଚାର ପାଇଁ ଯାଇପାରିନାହାନ୍ତି। ଯଦି ଠିକଣା ସମୟରେ ବରଗଡ଼ଠାରେ ହସ୍ପିଟାଲ ଖୋଲିଥାନ୍ତା, ତେବେ ଗୁଡ଼ାଏ ରୋଗୀଙ୍କ ପ୍ରଥମିକ ଚିକିତ୍ସା ସମ୍ଭବ ହୋଇପାରିଥାନ୍ତା। ଧନିକ ଶ୍ରେଣୀର କେନସର ରୋଗୀ ମୁମ୍ବାଇର ଟାଟା ମେମୋରିଆଲ କିମ୍ବା ଦିଲ୍ଲୀ, ହାଇଦ୍ରାବାଦ, ଭୁବନେଶ୍ୱର ଯାଇ ଚିକିତ୍ସା କରିଥାନ୍ତି। ମଧ୍ୟମ ବର୍ଗର ଲୋକ କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅପେକ୍ଷାକୃତ ସ୍ୱଳ୍ପ ଖର୍ଚ୍ଚରେ ଚିକିତ୍ସା କରିଥାନ୍ତି। କିନ୍ତୁ ଦରିଦ୍ର ଶ୍ରେଣୀର ରୋଗୀ ନିରୁପାୟ। ୨୧ ଦିନ ମଧ୍ୟରେ ଯଦି ସରକାର ଏହାର କାର୍ଯ୍ୟାରମ୍ଭ ନକଲେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିବ ବୋଲି ମିଳିତ ମଂଚ ପକ୍ଷରୁ ଚେତାବନୀ ଦିଆଯାଇଛି। ମଂଚର ଆହ୍ବାନରେ ଏହି ରାଲିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, କ୍ଲବ୍, ସଂଗଠନ ତଥା ସଂସ୍ଥାର ପ୍ରତିନିଧିମାନେ ସାମିଲ ଥିଲେ। କୋଶଲ ସେନା ପକ୍ଷରୁ ଚାଲିଥିବା ଆମରଣ ଅନଶନକୁ ମଧ୍ୟ ପ୍ରତିନିଧିମାନେ ସମର୍ଥନ ଜଣାଇଥିଲେ।

ସମ୍ବନ୍ଧିତ ଖବର