ପୁଣି ଏକ୍‌ଜୁଟ୍‌ ହେଉଛି ବରଗଡ଼ : ସଂସଦ, ବିଧାନସଭାରେ ଉଠିବ କ୍ୟାନସର୍‌ ହସ୍ପିଟାଲ ପ୍ରସଂଗ!

ବରଗଡ଼ : ବରଗଡ଼ କ୍ୟାନ୍‌ସର୍‌ ହସ୍ପିଟାଲ ନେଇ ବର୍ତମାନ ମଧ୍ୟ ସ୍ଥିତି ସ୍ପଷ୍ଟ ହୋଇନାହିଁ। ହସ୍ପିଟାଲ ପ୍ରତିଷ୍ଠା ନେଇ ଖୋଦ୍‌ ମୁଖ୍ୟମନ୍ତ୍ରୀ ବରଗଡ଼ରୁ ଘୋଷଣା କରିଥିଲେ ହେଁ ତାହା ବାସ୍ତବ ରୂପ ନେବାରେ ବିଳମ୍ବ ହେଉଛି। ଉଚ୍ଚସ୍ତରୀୟ ବୈଷୟିକ କମିଟି ଭିିିତ୍ତିଭୂମି ପରିଦର୍ଶନ ପାଇଁ ଗତ ଫେବ୍ରୁଆରିରେ ବରଗଡ଼ ଆସିଥି‌ଲେ ହେଁ କରୋନା ମହାମାରୀ କାରଣରୁ ହସ୍ପିଟାଲ ସ୍ଥାପନ ନେଇ କିଛି ବାଟ ଫିଟିନାହିଁ। ବରଗଡ଼ରେ କ୍ୟାନସର୍‌ ହସ୍ପିଟାଲ ପ୍ରତିଷ୍ଠା ନେଇ ଲାଗି ରହିଥିବା ଦ୍ବନ୍ଦ୍ବ ସଂପର୍କରେ ଆଲୋଚନା ପାଇଁ ମିଳିତ ମଂଚ ପକ୍ଷରୁ ରବିବାର ସଂଧ୍ୟାରେ ଆଲୋଚନା ହୋଇଛି।

କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବ ଓ ଆବାହକ ପ୍ରଦୀପ ଦେବତାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ କରୋନା ମହାମାରୀ ପାଇଁ ବନ୍ଦ ଥିବା କ୍ୟାନସର ହସ୍ପିଟାଲ୍ ସ୍ଥାପନ ଆନ୍ଦୋଳନକୁ ପୁଣି ଜୋରଦାର କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଗ୍ରାମାଞ୍ଚଳ ଏବଂ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବା ସହ ସମର୍ଥନ ଲୋଡ଼ାଯିବ ବୋଲି ଉପସ୍ଥିତ ପ୍ରତିନିଧିମାନେ ମତ ଦେଇଥିଲେ। ଏହା ପୂର୍ବରୁ ଜିଲ୍ଲାର ସମସ୍ତ ସାଂସଦ ଏବଂ ବିଧାୟକଙ୍କୁ ଏକାଠି କରି ହସ୍ପିଟାଲ ପ୍ରତିଷ୍ଠା ନେଇ ଆଲୋଚନା ହେବ। ଜନପ୍ରତିନିଧିମାନେ ଯେଭଳି ସଂସଦ ଏବଂ ବିଧାନସଭାରେ ଏହି ପ୍ରସଂଗ ଉତ୍‌ଥାପନ କରିବେ, ତାହା ସୁନିଶ୍ଚିତ କରାଯିବ ବୋଲି ସ୍ଥିର ହୋଇଛି। ଏହାବାଦ୍‌ ଜିଲ୍ଲାରେ ନକଲି କୀଟନାଶକ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା, ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବର୍ଜନ କରିବା ଏବଂ ଅଣଋତୁ‌େର ପନିପରିବା ଓ ଫଳମୂଳ ବ୍ୟବହାର ନକରିବା ବିଷୟରେ ଆଲୋଚନା ସହ କ୍ୟାନସର ସଚେତନତା ସୃଷ୍ଟି କରାଯିବ। ଏଥି ସକାଶେ ଆସନ୍ତା ୧୯ ତାରିଖ ଏକ ସଚେତନତା ରାଲି ଆୟୋଜନ ହେବ ବୋଲି ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର