ବରଗଡ/ବିଜେପୁର: ‘ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ପାଇଁ ମୁଁ କହିଥିଲି। ଆଜି ତାହା ପୂରଣ କରିଛି। ପଶ୍ଚିମ ଓଡ଼ିଶାର ରୋଗୀଙ୍କୁ ଏହା ସେବା ଯୋଗାଇବ। ସାରାରାଜ୍ୟରେ ୧ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ୧୧ଟି କ୍ୟାନ୍ସର୍ ହସ୍ପିଟାଲ କରାଯାଉଛି।’ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ମୁଖ୍ୟମନ୍ତ୍ରୀ ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଗସ୍ତ ପରିପ୍ରେକ୍ଷୀରେ ବିଜେପୁରର କନାପାଲିଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାରାଦେଶକୁ ଓଡ଼ିଶା ଖାଦ୍ୟ ଯୋଗାଉଛି। ଏଥିରେ ବରଗଡ଼ ଜିଲ୍ଲାର ଚାଷୀଙ୍କ ବହୁତ ବଡ଼ ଅବଦାନ ରହିଛି। ଏବେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ଜିଲ୍ଲାର ଚାଷୀଙ୍କ ଜମିକୁ ପାଣି ଯୋଗାଇବା ଆରମ୍ଭ ହେଲା। ଏହି ପ୍ରକଳ୍ପରେ ସୋହେଲା, ବିଜେପୁର, ବରପାଲି ସମେତ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ଚାଷୀ ବିଶେଷଭାବେ ଉପକୃତ ହେବେ। ୬୦ ହଜାର ଏକର ଜମିକୁ ପାଣି ମିଳିବ। ଚାଷୀଙ୍କ ପାଇଁ ଆଜି ଏକ ଖୁସିର ଦିନ ବୋଲି କହିଥିଲେ।
‘ଓଡ଼ିଶାରେ ୧୧ଟି କ୍ୟାନ୍ସର ହସ୍ପିଟାଲ ହେବ’
ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଉଦ୍ଘାଟିତ
୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ପ୍ରକଳ୍ପର ଉ୍ଦଘାଟନ
ଗଙ୍ଗାଧର ମେହେର ପ୍ରକଳ୍ପ ପାଇଁ ସନ୍ଦେହ ଥିଲା, ସଫଳ ହୋଇଛି: ୫ଟି ଅଧ୍ୟକ୍ଷ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ୧୦୬ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ୧୦୦ ଶଯ୍ୟା ବିଶିଷ୍ଟ ୫ ମହଲା କର୍କଟ ରୋଗ ଚିକିତ୍ସା କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। ଏହାସହ ୨୨ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରିତ ନୃସିଂହନାଥ ପୀଠର ଲୋକାର୍ପଣ ସହ ୩୪୨ କୋଟି ୬୯ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ୫୯ଟି ବିଭିନ୍ନ ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। ମୋଟ୍ ୨୧୪୯ କୋଟି ମୂଲ୍ୟର ୬୨ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଥିଲା। ଏଥିସହିତ, ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ବି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟମନ୍ତ୍ରୀ ଅନେକ ବଡ଼ ବଡ଼ ଜଳସେଚନ ପ୍ରକଳ୍ପ ସବୁ କରୁଛନ୍ତି ବୋଲି କହିଥିଲେ। ସେହିପରି, ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରହିଥିବା କହିଥିଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ। କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିଆନ କହିଥିଲେ, ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ପ୍ରକଳ୍ପ ଘୋଷଣା କରିବା ସମୟରେ ବହୁଲୋକ ଏହାଉପରେ ସନ୍ଦେହ ପ୍ରକାଶ କରିଥିଲେ। କିନ୍ତୁ, ଆଧୁନିକ ଜ୍ଞାନକୌଶଳରେ ଏହାକୁ ସଫଳ କରାଯାଇଛି। ହୀରାକୁଦରୁ ପାଇପ ଯୋଗେ ହଜାର ହଜାର ଏକର ଜମିକୁ ପାଣି ମାଡ଼ିଛି ବୋଲି କହିବା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବେଶ ଆଚାର୍ଯ୍ୟ, ବର୍ଷା ସିଂ ବରିହା, ସୁଶାନ୍ତ ସିଂହ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ବିଧାୟକ, ବିଧାୟିକା ଉପସ୍ଥିତ ଥିଲେ। ଜଳସମ୍ପଦ ବିଭାଗ ଅତିରିକ୍ତ ସଚିବ ଅନୁ ଗର୍ଗ ସ୍ବାଗତ ଭାଷଣ ଓ ଜିଲ୍ଲା ପରିଷଦ ସଭାପତି ମାନିନୀ ଭୋଇ ଧନ୍ୟବାଦ ଦେଇଥିଲେ।