କର୍କଟ କେନ୍ଦ୍ରରେ ସଂକ୍ରମଣ ଆଶଙ୍କା ବଢ଼ିଲା, ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୨ନର୍ସଙ୍କୁ କରୋନା

ଆହାର କେନ୍ଦ୍ର କର୍ମଚାରୀଙ୍କ ରିପୋର୍ଟକୁ ଅପେକ୍ଷା
ନିର୍ଦ୍ଦେଶନାମା ମାନୁନାହାନ୍ତି କର୍କଟ କେନ୍ଦ୍ର କର୍ତ୍ତୃପକ୍ଷ
କର୍କଟ କେନ୍ଦ୍ରରେ ନାହିଁ କୋଭିଡ୍‌ କର୍ଣ୍ଣର

କଟକ : କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସଂକ୍ରମଣ ଆଶଙ୍କା ବିଢ଼ିଲା। କରୋନା ସଂକ୍ରମିତ କର୍କଟ ରୋଗୀଙ୍କ ସଂସ୍ପର୍ଶରେ ଆସି ହୋମ୍‌ ଆଇସୋଲେସନ୍‌ରେ ଥିବା ୨ଜଣ ନର୍ସଙ୍କ ରିପୋର୍ଟ ପଜିଟିଭ୍‌ ବାହାରିବା ପରେ କର୍କଟ କେନ୍ଦ୍ରରେ ଆତଙ୍କ ସୃଷ୍ଟି ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ ରହିଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସରକାରୀ ଓ ବେସରକାରୀ ହସ୍ପିଟାଲ ତଥା ମେଡିକାଲ କଲେଜଗୁଡିକର ପ୍ରତ୍ୟେକ ବିଭାଗରେ କୋଭିଡ୍‌ କର୍ଣ୍ଣର କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। କଣ୍ଟେନମେଣ୍ଟ‌୍ ଜୋନରୁ ଆସୁଥିବା ବା ଡାକ୍ତର ସନ୍ଦେହ କରୁଥିବା ରୋଗୀଙ୍କୁ ଉକ୍ତ କୋଭିଡ୍‌ କର୍ଣ୍ଣର୍‌ରେ ଆଇସୋଲେସନ୍‌ରେ ରଖାଯିବ। କୋଭିଡ୍‌ ଟେଷ୍ଟ୍‌ ପରେ ସେମାନଙ୍କୁ ୱାର୍ଡକୁ ସ୍ଥାନାନ୍ତରିତ କରାଯିବାର ନିୟମ ରହିଛି। କିନ୍ତୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସେଭଳି ବ୍ୟବସ୍ଥା ନାହିଁ। ଯାହାଫଳରେ କରୋନା ସଂକ୍ରମିତ ରୋଗୀଙ୍କୁ ପ୍ରଥମେ ପୁରୁଷ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେହି ୱାର୍ଡରୁ ରୋଗୀ ସଂସ୍ପର୍ଶରେ ଆସିଥିବା ଦୁଇଜଣ ନର୍ସଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଅନ୍ୟପଟେ କର୍କଟ କେନ୍ଦ୍ରରେ ସାମାଜିକ ଦୂରତ୍ବକୁ ମାନୁନାହାନ୍ତି ରୋଗୀ ଓ ସଂପର୍କୀୟମାନେ। ସରକାରୀ ନିର୍ଦ୍ଦେଶନାମା ଅନୁସାରେ ରୋଗୀଙ୍କ ସହିତ ଜଣେ ଆଟେଣ୍ଡାଣ୍ଟ ରହିବା କଥା, କିନ୍ତୁ ଜଣଙ୍କ ସହିତ ଏକାଧିକ ସଂପର୍କୀୟ ରହୁଥିବାରୁ ସେଠାରେ ସଂକ୍ରମଣ ଆଶଙ୍କା ବଢ଼ିବାରେ ଲାଗିଛି।

www.telegraphindia.com

ସୂଚନା ଅନୁସାରେ, ୨୪ତାରିଖରେ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ଚିକିତ୍ସିତ ହେଉଥିବା ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ୨୯ବର୍ଷୀୟ କର୍କଟ ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଉକ୍ତ ରୋଗୀ ୧୯ତାରିଖରେ କର୍କଟ କେନ୍ଦ୍ର ପୁରୁଷ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସେଠାରେ ଦୁଇଦିନ ଚିକିତ୍ସିତ ହେବା ପରେ ୨୧ତାରିଖରେ ପେନ୍‌ କ୍ଲିନିକ୍‌ ବା ଜରୁରୀକାଳୀନ ବିଭାଗକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଉକ୍ତ ୨ପୁରୁଷ ୱାର୍ଡରେ ସେ ପାଖାପାଖି ୬୦ରୁ ଅଧିକ ‌କର୍କଟ ରୋଗୀଙ୍କ ସମେତ ପାଖାପାଖି ଦେଢଶହ ଡାକ୍ତର ଓ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ସଂକ୍ରମିତଦ୍ବୟ ଭର୍ତ୍ତି ହୋଇଥିବା ପୁରୁଷ ୱାର୍ଡର ୨ଜଣ ସେବିକାଙ୍କର ଆଜି କରୋନା ଚିହ୍ନଟ ହୋଇଛନ୍ତି। ଯେହେତୁ କର୍କଟ ରୋଗୀଙ୍କ ‌ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହିଥାଏ ଓ ସଂକ୍ରମଣ ଆଶଙ୍କା ସେମାନଙ୍କଠାରେ ଅଧିକ ଥାଏ, ତେଣୁ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ କୋଭିଡ୍ କର୍ଣ୍ଣର ବା ଆଇସୋଲେସନ୍‌ ୱାର୍ଡ କର୍କଟକେନ୍ଦ୍ରରେ ଜରୁରୀ। କିନ୍ତୁ ତାହା ଏଠାରେ କରାଯାଇ ନଥିବା କିଛି କର୍ମଚାରୀ ଅଭିଯୋଗ କରିଛନ୍ତି। ଉକ୍ତ ରୋଗୀଙ୍କ ସଂସ୍ପର୍ଶରେ ୧୧ଜଣ ଡାକ୍ତର, ୨୨ଜଣ ଷ୍ଟାଫ୍‌ନର୍ସ, ଆହାରକେନ୍ଦ୍ରର ୯ଜଣ କର୍ମଚାରୀଙ୍କ ସମେତ ୫୦ଜଣ ଆସିଥିବା କର୍କଟ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୫୦ ସ୍ବାବ୍‌ରୁ ୨ଜଣଙ୍କ ପଜିଟିଭ୍‌ ଆସିଛି। ଆହାରକେନ୍ଦ୍ର କର୍ମଚାରୀଙ୍କ ସ୍ବାବ୍‌ ପରୀକ୍ଷା ରିପୋର୍ଟ ଆସି ନଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା କର୍କଟ କେନ୍ଦ୍ରରୁ ୬୭୮ଟି ସ୍ବାବ୍‌ ପରୀକ୍ଷା ପାଇଁ ଯାଇଥିବାବେଳେ ୫୬ର ରିପୋର୍ଟ ଆସି ନଥିବା ଜଣାପଡିଛି। ସେପେଟ, କୋଭିଡ୍‌ କର୍ଣ୍ଣର କରା ନଯିବା ସମ୍ପର୍କରେ କୌଣସି ମତାମତ ଦେବାକୁ କର୍ତ୍ତୃପକ୍ଷ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର