ବାଲେଶ୍ବର: ଗତ ଏପ୍ରିଲ ମାସରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ୟାନସର୍ ରୋଗୀଙ୍କୁ ମିଳୁନି ଜୀବନ ରକ୍ଷାକାରୀ ମାଗଣା ଔଷଧ। ଫଳରେ କର୍କଟ ଆକ୍ରାନ୍ତ ରୋଗୀ ଯନ୍ତ୍ରଣାରେ ଘାଣ୍ଟି ହେଉଛନ୍ତି। କ୍ୟାନସର ରୋଗୀଙ୍କ ପ୍ରତି ଏଭଳି ଅବହେଳାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଯେଉଁ କର୍କଟ ରୋଗୀମାନେ କେମୋଥେରାପି ନେଉଛନ୍ତି, ସେମାନଙ୍କ ପାଇଁ ରାଜ୍ୟର ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେ’କେୟାର କେମୋଥେରାପି ୟୁନିଟ୍ (ଡିସିସିୟୁ) ଖୋଲାଯାଇଛି। ଏଠାରେ କେମୋ ପ୍ରଦାନ ସହିତ ଆବଶ୍ୟକ ଔଷଧ ମାଣଗାରେ ପ୍ରଦାନ କରାଯାଇଥାଏ। ବାଲେଶ୍ବର ଜିଲ୍ଲା ଡିସିସିୟୁକୁ ପ୍ରତି ମାସରେ ୧୦୦ରୁ ଅଧିକ ରୋଗୀ କୋମୋଥେରାପି ନେବାକୁ ଆସିନ୍ତି। ଏହା ବାଦ୍ ପ୍ରତି ମାସରେ ୧୫ରୁ ଅଧିକ ନୂତନ ରୋଗୀ ଚିକିତ୍ସା ପାଇଁ ଏଠାରେ ପଞ୍ଜୀକୃତ ହେଉଛନ୍ତି।
କ୍ୟାନ୍ସର ରୋଗର ଔଷଧ ଖୁବ୍ ମହଙ୍ଗା ହୋଇଥିବାରୁ ରାଜ୍ୟ ଔଷଧ ନିଗମ ଜରିଆରେ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏହି ଔଷଧ ଯୋଗାଇ ଦିଅନ୍ତି ରାଜ୍ୟ ସରକାର। ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ମଧ୍ୟ କିଛି ଔଷଧ ନିଜ ପାଣ୍ଠିରୁ କିଣିଥା’ନ୍ତି। ତେବେ ରୋଗୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ମୁତାବକ, ଏଠାରେ ସବୁ ସମୟରେ ଔଷଧ ମିଳୁନାହିଁ। ଫଳରେ ବାଧ୍ୟ ହୋଇ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍ସିର ହସ୍ପିଟାଲରୁ କିମ୍ବା ରାଜ୍ୟ ବାହାରୁ ଔଷଧ ଆଣିବାକୁ ପଡ଼ୁଛି। ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡେ’କେୟାର କେମୋଥେରାପି ୟୁନିଟ୍କୁ ବାଲେଶ୍ବର ଜିଲ୍ଲା ସମେତ ଭଦ୍ରକ, ମୟୂରଭଞ୍ଜ, ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରୁ ମଧ୍ୟ ରୋଗୀ ଆସୁଛନ୍ତି। ହେଲେ ଏଠାରୁ ଜୀବନ ରକ୍ଷାକାରୀ ଔଷଧ ନପାଇ ନିରାଶ ହୋଇ ଫେରୁଛନ୍ତି। ରାଜ୍ୟ ଔଷଧ ଯୋଗାଣ ନିଗମ ବାଲେଶ୍ବର ହସ୍ପିଟାଲକୁ ଔଷଧ ଦେଉନାହିଁ ନା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ନିଜ ପାଣ୍ଠିରୁ ଔଷଧ କିଣୁନାହାନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଭାତ ବେହେରା କହିଛନ୍ତି, କେବଳ କମ୍ ଦାମର ଔଷଧ କିଣିବାକୁ ଆମର ବଜେଟ୍ ରହିଛି। ଅନ୍ୟ ଦାମୀ ଔଷଧଗୁଡ଼ିକ ରାଜ୍ୟ ସରକାରଙ୍କ ଔଷଧ ନିଗମ ଜରିଆରେ କିଣାଯାଇଥାଏ। ଆମେ ଏନେଇ ଅବଗତ କରାଇଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/03/dgfdfdfgdgf-2025-11-03-02-30-46.jpg)