ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ନିଦାନ ସ୍ପେଶାଲିଷ୍ଟ ପାଠ୍ୟକ୍ରମକୁ ଅନୁମୋଦନ

ମେଡିକାଲ ଅଙ୍କୋଲୋଜି, ମୁଣ୍ଡ ଓ ବେକ ଅଙ୍କୋଲୋଜିରେ ସୁପର ସ୍ପେଶାଲିଷ୍ଟ ପାଠ୍ୟକ୍ରମ ପାଇଁ ଯୋଜନା

ଭୁବନେଶ୍ବର: କଟକ ସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନରେ ନିଦାନ ଶାସ୍ତ୍ର ସ୍ପେଶାଲିଷ୍ଟ ପାଠ୍ୟକ୍ରମ ଖୋଲିବା ପାଇଁ ଅନୁ ମୋଦନ ମିଳିଛି। ଜାତୀୟ ମେଡିକାଲ କମିସନ(ଏନ୍‌ଏମ୍‌ସି) ତରଫରୁ ୪ଟି ସିଟ୍‌ ପାଇଁ ସ୍ବୀକୃତି ମିଳିଛି। ଏଥିପାଇଁ ଚଳିତବର୍ଷ ଫେବ୍ରୁଆରି ମାସରେ ଏନ୍‌ଏମ୍‌ସି ତରଫରୁ କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରତିଷ୍ଠାନରେ ନିଶ୍ଚେତକ ସ୍ପେସାଲିଷ୍ଟ ପାଠ୍ୟକ୍ରମ ଆରମ୍ଭ ପାଇଁ ଏନ୍‌ଏମ୍‌ସି ୨୦୨୨ ମସିହାରେ ଅନୁମତି ଦେଇଥିଲେ। ତଦନୁଯାୟୀ ପ୍ରଥମ ବ୍ୟାଚ୍ ନାମଲେଖା ସରିଛି। ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରକୁ ୨୦୨୦ ମସିହା ଫେବ୍ରୁଆରି ମାସରେ କର୍କଟ ସ୍ନାତକୋତ୍ତର ପ୍ରତିଷ୍ଠାନ ଭାବେ ଘୋଷଣା କରାଯାଇଥିଲା।

ବର୍ତ୍ତମାନ ଏହି ପ୍ରତିଷ୍ଠାନରେ ସର୍ଜିକାଲ ଅଙ୍କୋଲୋଜି, ସ୍ତ୍ରୀ ଓ ପ୍ରସୂତି ରୋଗ, ରେଡିଏସନ ଅଙ୍କୋଲୋଜି ଆଦି ବିଷୟରେ ସୁପର ସ୍ପେସାଲାଇଜେସନ ପାଠ୍ୟକ୍ରମ ଚାଲୁ ରହିଛି। ଏହାବାଦ୍ ଅନୁଷ୍ଠାନରେ ମେଡିକାଲ ପରୀକ୍ଷାଗାର ପ୍ରଯୁକ୍ତିବିଦ୍ୟା, ଅପରେସନ ଥିଏଟର ପ୍ରଯୁକ୍ତିବିଦ୍ୟା ଆଦି ପାରା-ମେଡିକାଲ ଡିପ୍ଲୋମା ପାଠ୍ୟକ୍ରମ ତାଲିମ ଦିଆଯାଉଛି। ଚଳିତବର୍ଷ ରେଡିଓଥେରାପି ପ୍ରଯୁକ୍ତିବିଦ୍ୟାରେ ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ମଧ୍ୟ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ମେଡିକାଲ ଅଙ୍କୋଲୋଜି ଏବଂ ମୁଣ୍ଡ ଓ ବେକ ଅଙ୍କୋଲୋଜିରେ ଖୁବଶୀଘ୍ର ସୁପର ସ୍ପେସାଲିଷ୍ଟ ପାଠ୍ୟକ୍ରମ ପାଇଁ ପ୍ରତିଷ୍ଠାନ ତରଫରୁ ଯୋଜନା କରାଯାଉଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର