ମରିଯାଉଛି ମାନବିକତା : କର୍କଟ କେନ୍ଦ୍ରରେ ଦୁଇ ରୋଗୀଙ୍କୁ ଛାଡ଼ି ପଳାଇଲେ ସଂପର୍କୀୟ

ସ୍ବେଚ୍ଛାସେବୀଙ୍କ ଭରସାରେ ଖୁଲଣା ଓ କମଳା

କଟକ : ମରିଯାଉଛି ମାନବିକତା। କେତେବେଳେ ଅର୍ଥ ସାଜିଛି ବାଧକ, ତ ଆଉ କେତେବେଳେ ରୁଗ୍‌ଣ ମାନସିକତା। ଏହାର ଏକାଧିକ ଉଦାହରଣ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଦେଖିବାକୁ ମିଳୁଥିବା ବେଳେ ସଦ୍ୟ ଦୁଇଜଣ ରୋଗୀଙ୍କଠାରେ ଏହାର ପ୍ରମାଣ ଦେଖିବାକୁ ମିଳିଛି। ଯନ୍ତ୍ରଣାରେ ଛଟପଟ ହେଉଥିବା ଦୁଇଜଣ ବୃଦ୍ଧ କର୍କଟ ରୋଗୀଙ୍କୁ ତାଙ୍କ ସମ୍ପର୍କୀୟମାନେ ଆଚାର୍ଯ୍ୟ ହରିହର ସ୍ନାତୋକତ୍ତୋର କର୍କଟ ପ୍ରତିଷ୍ଠାନରେ ଛାଡ଼ି ପଳାଇଛନ୍ତି। ଥରୁଟିଏ ଚିନ୍ତା ବି କରି ନାହାନ୍ତି ‌ସେମାନଙ୍କ ଚିକିତ୍ସା ଓ ଯତ୍ନ ସମ୍ପର୍କରେ। ସେମାନଙ୍କ ଭିତରୁ ଜଣଙ୍କୁ ଜ୍ବାଇଁ ଏଠାରେ ଛାଡ଼ି ଯାଇଥିବା ବେଳେ ଅନ୍ୟଜଣଙ୍କର ପୁଅ-ଝିଅ ଥାଇ ବି ସମୁଦୁଣୀ ଆଣି ଏଠାରେ କିଛିଦିନ ଚିକିତ୍ସା କରାଇବା ପରେ ଛାଡ଼ି ଚାଲି ଯାଇଛନ୍ତି। ଏବେ ସେମାନଙ୍କ ଚିକିତ୍ସା ଓ ସେବା-ଶୁଶ୍ରୂଷା ଦୁଇଜଣ ସ୍ବେଚ୍ଛାସେବୀଙ୍କ ହାତରେ।

ଦୀର୍ଘ ଏକମାସ ହେବ କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆର ଖୁଲଣା ମଳିକ(୬୨)। ୩/୪ବର୍ଷ ହେଲା ସ୍ବାମୀ କେଶବ ମଳିକଙ୍କ ମୃତ୍ୟୁ ପରେ ଖୁଲଣା ଏକୁଟିଆ ରହୁଥିଲେ। ପରିବାର କହିଲେ କେବଳ ଝିଅ-ଜ୍ବାଇଁ ଓ ଖୁଲଣା। ଦୁଃଖ କଷ୍ଟରେ ଚାଲିଥିବା ପରିବାରର କଷ୍ଟ ସୀମା ଟପିଥିଲା ଯେତେବେଳେ ଖୁଲଣା କର୍କଟ ରୋଗରେ ଆକ୍ରାନ୍ତ‌ ହେଲେ। ଏହା ପରେ ତାଙ୍କ ଚିକିତ୍ସା ପାଇଁ ଜ୍ବାଇଁ ଆଣିଥିଲେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ। ହେଲେ ପରୀକ୍ଷା-ନିରୀକ୍ଷା ପରେ ଖୁଲଣାଙ୍କୁ କର୍କଟ ରୋଗ ହୋଇଥିବା ସ୍ପଷ୍ଟ ହେବାରୁ ଶାଶୂ ଓ ପତ୍ନୀଙ୍କୁ କର୍କଟ କେନ୍ଦ୍ରରେ ଛାଡି ଚାଲି ଯାଇଥିଲେ ଜ୍ବାଇଁ। ଝିଅଙ୍କ ମାନସିକ ସ୍ଥିତି ଭଲ ନଥିବାରୁ ଅସୁସ୍ଥ ମାଙ୍କ ଚିକିତ୍ସା କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। ଝିଅ ଏଣେତେଣେ ବୁଲୁଥିବା ଦେଖି ସ୍ବେଚ୍ଛାସେବୀ ଅରକ୍ଷିତ ସାହୁ ଏ ସମ୍ପର୍କରେ ଅନ୍ୟଜଣେ ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସ ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସେବେଠାରୁ ଅରକ୍ଷିତ ଓ ଅଭିମନ୍ୟୁଙ୍କ ସହାୟତାରେ ଚାଲିଛି ବୃଦ୍ଧା ଖୁଲଣାଙ୍କ ଚିକିତ୍ସା। ମାନସିକ ଭାରସାମ୍ୟ ହରାଇଥିବା ଝିଅଙ୍କର ମଧ୍ୟ ଦେଖାଶୁଣା କରୁଛନ୍ତି ସ୍ବେଚ୍ଛାସେବୀଦ୍ବୟ। ସେହିପରି ଅନ୍ୟ ଏକ ଦୁଃଖଦ ଘଟଣାରେ ନୟାଗଡ ଜିଲ୍ଲା ମାଙ୍କପଲ୍ଲୀ ଗ୍ରାମର ସ୍ବର୍ଗତ ଧୋବା ଜାନିଙ୍କ ପତ୍ନୀ କମଳା ଦେଇ(୫୦) ପାଲଟିଛନ୍ତି ଅସହାୟ। କମଳାଙ୍କର ଏକମାତ୍ର ପୁଅ ରୋଗାକ୍ରାନ୍ତ ହୋଇଥିବା ବେଳେ ଝିଅ ବାହାହୋଇ ଶାଶୂଘରେ। କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ କମଳାଙ୍କୁ ତାଙ୍କ ସମୁଦୁଣୀ ଆଣି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିଛିଦିନ ପାଖରେ ରହି ଦେଖାଶୁଣା କରିବା ପରେ ନିଜର ଶାରୀରିକ ଅସୁସ୍ଥ ଦେଖାଦେବାରୁ ସମୁଦୁଣୀ ନିଜ ଘରକୁ ଚାଲି ଯାଇଛନ୍ତି। ଏବେ କମଳାଙ୍କ ଚିକିତ୍ସା ଓ ସେବା-ଶୁଶ୍ରୂଷାର ଦାୟିତ୍ବ ସ୍ବେଚ୍ଛାସେବୀଙ୍କ ହାତରେ। ଦୁଇ ରୋଗୀଙ୍କ ଭିତରୁ ସମ୍ପର୍କୀୟମାନେ ମାସେ ହେଲା ଖୁଲଣାଙ୍କୁ ଛାଡ଼ି ଯାଇଥିବା ବେଳେ ୧୫ଦିନ ହେଲା କମଳାଙ୍କୁ ସମ୍ପର୍କୀୟମାନେ ଛାଡ଼ି ଚାଲିଗଲେଣି। ତା ପରଠାରୁ ଆଉ କେହି ଆସି ନାହାନ୍ତି କି କିଛି ଖବର ନେଇ ନାହାନ୍ତି। ରୋଗ କଷ୍ଟ ସାଙ୍ଗକୁ ପରିବାରଠାରୁ ଦୂରରେ ରହି ଦୁଃଖ ଓ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଦୁହେଁ। ଡାକ୍ତରଖାନା କର୍ତ୍ତୃପକ୍ଷ ଉଭୟ ଖୁଲଣା ଓ କମଳାଙ୍କୁ ଅସହାୟ ରୋଗୀ ଭାବରେ ଆଡମିସନ୍‌ କରି ଚିକିତ୍ସା କରୁଛନ୍ତି। ‌ସ୍ବେଚ୍ଛାସେବୀ ଅଭିମନ୍ୟୁ ଓ ଅରକ୍ଷିତ ଏ ଦୁଇ କର୍କଟ ଆକ୍ରାନ୍ତଙ୍କୁ ସେବା ଓ ସାହାଯ୍ୟ କରୁଥିଲେ ବି ପରିବାର ଲୋକଙ୍କ କଥା ମନେ ପଡ଼ିଲେ ଦୁହେଁ ଅଧିକ ଭାଙ୍ଗି ପଡ଼ୁଛନ୍ତି।

ସମ୍ବନ୍ଧିତ ଖବର