ମୃତ୍ୟୁ ସହ ଯୁଝୁଛନ୍ତି କ୍ୟାନ୍‌ସର ପୀଡ଼ିତ : ଛାଡ଼ି ପଳାଇଲେ ପତ୍ନୀ, ପୁଅ

ଡେରାବିଶ : ଜଣେ କ୍ୟାନସର ପୀଡ଼ିତ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଓ ଭେଣ୍ଡିଆ ପୁଅ ଛାଡ଼ି ପଳାଇଛନ୍ତି। ବ୍ୟକ୍ତି ଜଣଙ୍କ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ପଡ଼ୋଶୀ ଲୋକେ ତାଙ୍କ ପାଖରେ ଦଇବ ହୋଇ ଛିଡ଼ା ହୋଇଛନ୍ତି। ତାଙ୍କ ପାଇଁ ସାହାରା ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ରଘୁଦେଇପୁର ପଞ୍ଚାୟତ ଅନ୍ତର୍ଗତ ରାଜନଗର ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି।

ଗ୍ରାମର ବିଜୟ ସାହୁ(୫୭)। ପତ୍ନୀ କ୍ଷୀର(୫୧) ଓ ପୁଅ ଜୟନ୍ତ(୩୧)ଙ୍କୁ ନେଇ ସଂସାର। ବିଜୟ ବହୁ କଷ୍ଟରେ ଅର୍ଥ ରୋଜଗାର କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ଏକମାତ୍ର ପୁଅ ଜୟନ୍ତଙ୍କୁ ପାଠ ପଢାଇଥିଲେ। ତା’ର ସୁରକ୍ଷିତ ଭବିଷ୍ୟତ ପାଇଁ କିଛି ଜମି କିଣି ଗ୍ରାମରେ ଚାରି ବଖରା କୋଠାଟିଏ କରିଥିଲେ। ପୁଅଙ୍କୁ ଭଲ ଜାଗାରେ ବାହା କରାଇଥିଲେ। ହେଲେ, ଜୟନ୍ତ ଦ୍ବିତୀୟ ବିବାହ କରିଥିଲେ। ଏ ନେଇ କୋର୍ଟରେ ମାମଲା ଚାଲିଛି। ‌ଜୟନ୍ତ ବିଭିନ୍ନ ସମୟରେ ଧନସମ୍ପତି ବରବାଦ କରିବାକୁ ଲାଗିଲେ। ଏସବୁ କଥାରେ ଚିନ୍ତିତ ହୋଇ ବିଜୟ କୋଠାକୁ ପତ୍ନୀଙ୍କ ନାମରେ କରି ଦେଇଥିଲେ। ବାରମ୍ବାର ଅସୁସ୍ଥ ହୋଇପଡ଼ିବାରୁ ବିଜୟ କଟକରେ ଡାକ୍ତରଙ୍କ ସହିତ ପରାମର୍ଶ କରିବାରୁ ତାଙ୍କୁ କ୍ୟାନସର ହୋଇଥିବା ଜାଣିବାକୁ ପାଇଥିଲେ। କାଳକ୍ରମେ ରୋଗ ଚିକିତ୍ସାରେ ତାଙ୍କର ସଂଚିତ ଅର୍ଥ ଖର୍ଚ୍ଚ ହୋଇଯାଇଥିଲା। କ୍ୟାନସର ରୋଗର ପ୍ରଭାବ ପଡିବ ବୋଲି ଆଶଙ୍କା କରି ଜୟନ୍ତ ପିଲାଛୁଆଙ୍କୁ ଧରି ୩ ମାସ ତଳେ ଅନ୍ୟତ୍ର ପଳାଇଥିଲେ। ତେବେ ବିଭିନ୍ନ ସମୟରେ ମା’ଙ୍କଠାରୁ ଟଙ୍କା ନେଇଯାଉଥିବାରୁ ବିଜୟଙ୍କ ଚିକିତ୍ସାରେ ଅର୍ଥାଭାବ ଦେଖା ଦେଇଥିଲା। ଏଭଳି ଦୟନୀୟ ସ୍ଥିତିରେ ମାସକ ତଳେ ପତ୍ନୀ କ୍ଷୀର ନିଜ ନାମରେ ଥିବା ଘରକୁ ଅନ୍ୟ ଜଣଙ୍କୁ ବିକ୍ରି କରି ବିଜୟଙ୍କୁ ଛାଡି ପଳାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଘର କିଣିଥିବା ବ୍ୟକ୍ତି ଜଣଙ୍କ ବିଜୟଙ୍କୁ ସେହି ଘରେ ଶେଷ ଜୀବନ ପର୍ଯ୍ୟନ୍ତ ରହିବାକୁ ସୁଯୋଗ ଦେଇ ମହାନତାର ପରିଚୟ ଦେଇଛନ୍ତି। ପଡୋଶୀ ଲୋକେ ସହାୟତାର ହାତ ବଢାଇଛନ୍ତି।

ସମ୍ବନ୍ଧିତ ଖବର