ଆଚାର୍ଯ୍ୟ ହରିହରରେ କର୍କଟ ରୋଗୀ କରୋନା ଆକ୍ରାନ୍ତ; ସଂସ୍ପର୍ଶରେ ଆସିଛନ୍ତି ୪୦ରୁ ଅଧିକ; ୨୦ ରୋଗୀ ସ୍ଥାନାନ୍ତର

କଟକ : କଟକର ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ଜଣେ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କର୍କଟ କେନ୍ଦ୍ରର ଜରୁରୀ ବିଭାଗ (ପେନ୍‌ ୱାର୍ଡ)ରେ ଚିକିତ୍ସିତ ହେଉଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଏହି ୨୯ ବର୍ଷର କର୍କଟ ରୋଗୀଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ତୁରନ୍ତ ଭୁବନେଶ୍ବର କିମ୍ସ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଜରୁରୀବିଭାଗରେ ଚିକିତ୍ସିତ ହେଉଥିବା ୨୦ଜଣ କର୍କଟ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଉକ୍ତ ବିଭାଗକୁ ସାନିଟାଇଜ୍‌ କରାଯାଇଛି। ଗୋଟିଏ କ୍ୟାବିନ୍‌ରେ ୩ଜଣ ରୋଗୀ ରହୁଥିବାବେଳେ ଯେହେତୁ ଜଣେ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି, ତେଣୁ ପୁଣିଥରେ ଅନ୍ୟ ଦୁଇ ରୋଗୀ,ତାଙ୍କ ସଂପର୍କୀୟ ତଥା ଉକ୍ତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ପାଖାପାଖି ୪୦ଜଣଙ୍କର କରୋନା ପରୀକ୍ଷା କରାଯିବ ବୋଲି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ ସୂଚନା ଦେଇଛନ୍ତି। ଉକ୍ତ ରୋଗୀଙ୍କ ଗୋ‌ଟିଏ କେମୋ ବାକି ଥିବା ଓ ତାଙ୍କ ସଂସ୍ପର୍ଶରେ ଅନେକ ଡାକ୍ତର, ପାରା ମେଡିକାଲ କର୍ମଚାରୀ ଆସିଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, କର୍କଟ କେନ୍ଦ୍ରକୁ ୧୯ତାରିଖରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଏହି ରୋଗୀ ଚିକିତ୍ସା ପାଇଁ ଆସିଥିଲେ। ପୂର୍ବରୁ ମଧ୍ୟ ସେ ଚିକିତ୍ସା ପାଇଁ ଆସି କେମୋଥେରାପି ନେଇଥିଲେ। ତେବେ ପୁଣି ଚିକିତ୍ସା ପାଇଁ ଆସିଥିବାବେଳେ ଯେହେତୁ ସେ ଗଞ୍ଜାମରୁ ଆସିଥିଲେ ତେଣୁ ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ଗତକାଲି ସ୍ବାବ୍‌ ଯାଇଥିବାବେଳେ ଆଜି ରିପୋର୍ଟ ପଜିଟିଭ୍‌ ଆସିଛି। ସମସ୍ତ ଗୁରୁତର କର୍କଟ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବାରୁ ଏଠାରେ ସଂକ୍ରମଣ ଭୟ ଅଧିକ ରହିଛି। ତେବେ ଡାକ୍ତର, ନର୍ସ, ସୁଇପରଙ୍କ ସମେତ ରୋଗୀ, ରୋଗୀ ସଂପର୍କୀୟ ପାଖାପାଖି ୪୦ରୁ ଅଧିକ ସଂସ୍ପର୍ଶରେ ଆସିଥିବାରୁ ଏହା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଆଚାର୍ଯ୍ୟ ହରିହରରୁ ଆଜି ସୁଦ୍ଧା ୫୦୬ଜଣ କର୍କଟ ରୋଗୀଙ୍କ କରୋନା ପରୀକ୍ଷା ପାଇଁ ସ୍ବାବ୍‌ ପଠାଯାଇଥିବା ବେଳେ ଆଜି ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର