ଭୁବନେଶ୍ୱର: କର୍କଟ ରୋଗୀ କେମୋଥେରାପି ନେଉଥିବା ସମୟରେ କୋଭିଡ ଆକ୍ରାନ୍ତ ହେଲେ, ଏହାକୁ ବିଳମ୍ବ କରାଯାଇପାରିବ । କଟକସ୍ଥିତ ଆଚାର୍ଯ୍ୟ ହରିହର ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ସୁରେନ୍ଦ୍ର ସ୍ୱାଇଁ ଏହି ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ ସଂପକିର୍ତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଡ. ସ୍ୱାଇଁ କହିଛନ୍ତି ଯେ, କର୍କଟ ରୋଗୀ କୋଭିଡ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛିି । କାରଣ କର୍କଟ ରୋଗର ସମ୍ମୁଖୀନ ହେଲେ ରୋଗ ପ୍ରତିଷେଧକ ଶକ୍ତି କମିଯାଇଥାଏ ।
ଜଣେ ବ୍ୟକ୍ତି କର୍କଟ ରୋଗ ମୁକ୍ତ ହୋଇ ସାରିଥିଲେ ସେ ସାଧାରଣ ବ୍ୟକ୍ତିଙ୍କ ଭଳି କରୋନା ସଂକ୍ରମିତ ହୋଇପାରନ୍ତି । ଏଥିରେ ସନ୍ଦେହ ନାହିଁ ବୋଲି ଡ. ଶ୍ରୀ ସ୍ୱାଇଁ କହିଛନ୍ତି । କର୍କଟ ରୋଗୀ ଯଦି କରୋନା ସଂକ୍ରମିତ ହୁଅନ୍ତି, ତାଙ୍କୁ ହୋମ ଆଇସୋଲେସନରେ ରଖାଯାଇପାରିବ । ଯଦି ସଂପୃକ୍ତ ଆକ୍ରାନ୍ତ ବ୍ୟକ୍ତି କରୋନା ଜନିତ କୌଣସି ଲକ୍ଷଣ ନାହିଁ, ତାହେଲେ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହିପାରିବେ । କର୍କଟ ରୋଗୀ ଯଦି କରୋନା ସଂକ୍ରମିତ ହୁଅନ୍ତି, ସେ କେମୋଥେରାପି ବିଳମ୍ବରେ ନେଇପାରିବେ ।
ଡ. ସ୍ୱାଇଁ କହିଛନ୍ତି, ବିଗତ ୪ ମାସ ମଧ୍ୟରେ ଅନେକ କର୍କଟ ରୋଗୀ କରୋନା ଭୟରେ କର୍କଟ ଚିକିତ୍ସା ବନ୍ଦ କରି ଦେଇଛନ୍ତି । କିନ୍ତୁ ରୋଗୀ ଏଭଳି କରିବା ଅନୁଚିତ । ରାଜ୍ୟ ସରକାର ସବୁ ରୋଗୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ତେଣୁ ରୋଗୀ ଡାକ୍ତରଙ୍କ ପରାମର୍ଶ କ୍ରମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସିପାରିବେ ।
କର୍କଟ ରୋଗୀ କରୋନା ଆକ୍ରାନ୍ତ ନହେବା ଲାଗି ଅନେକ ଗୁଡ଼ିଏ ସତର୍କତା ମୂଳକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ଡାକ୍ତର ସ୍ୱାଇଁ ପରାମର୍ଶ ଦେଇଛନ୍ତି । ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଓ ବାରାମ୍ବାର ହାତ ଧୋଇବା, ବାହାରକୁ ଯିବା ନାହିଁ ଇତ୍ୟାଦି ପ୍ରତି ଦୃଷ୍ଟି ଦେବା ଦରକାର ଅଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଟେଲି ମେଡିସିନ ଚିକିତ୍ସା ବ୍ୟବସ୍ଥା କରାଯାଇଛି । କର୍କଟ ରୋଗୀ କୋଭିଡ-୧୯ ଗାଇଡଲାଇନକୁ ମାନିବାକୁ ହେବ । ସେ କହିଛନ୍ତି ଯେ, କୋଭିଡ ଓ କର୍କଟ ପାଇ ଉଚ୍ଚ ଶକ୍ତି ଯୁକ୍ତ ଔଷଧର ବ୍ୟବହାର କରାଯାଇଥାଏ ।