କଟକ ବଡ଼ ମେଡିକାଲ ଫୁଟ୍‌ପାଥ୍‌ରେ ସୁନ୍ଦରଗଡ଼ କ୍ୟାନ୍ସର ରୋଗୀ : ଚିକିତ୍ସା ମିଳୁନି କି ଘରକୁ ଫେରିପାରୁନାହାନ୍ତି, ୫ଦିନ ହେଲା ଭୋକଉପାସରେ ବୃଦ୍ଧ ଦମ୍ପତି

ରାଉରକେଲା : କଟକ ବଡ଼ମେଡିକାଲ ଫୁଟ୍‌ପାଥ୍‌ରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଜଣେ ୭୫ ବର୍ଷ ବୟସ୍କା ବୃଦ୍ଧା। ୫ ଦିନ ହେଲା ଖୋଲା ଆକାଶ ତଳେ ସେ ଓ ତାଙ୍କର ୮୦ ବର୍ଷ ବୟସ୍କ ସ୍ବାମୀ ଭୋକଉପାସରେ ପଡ଼ିଛନ୍ତି। ଦେଖିବାକୁ କେହିନାହିଁ। ସେମାନଙ୍କୁ ମେଡିକାଲ୍‌ରେ ଆଡମିସନ୍ ମିଳିପାରୁନି କି ଲକ୍‌ଡାଉନ୍ ଯୋଗୁ ବସ୍ ଓ ଟ୍ରେନ୍ ବନ୍ଦ ଥିବାରୁ ଘରକୁ ଫେରିପାରୁନାହାନ୍ତି। ଚିକିତ୍ସା ପାଇଁ କଟକ ଯାଇ ଅଟକି ରହିଥିବା ଏହି ବୃଦ୍ଧ ଦମ୍ପତି ହେଲେ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ତା ବ୍ଲକ୍‌ ଅନ୍ତର୍ଗତ କଚାରୁ ଗାଁର ଶାଳିନୀ ବେକ୍‌ ଓ ତାଙ୍କ ସ୍ବାମୀ ପାଉଲ୍‌ ବେକ୍‌। ଚିକିତ୍ସା ସୁବିଧା ନ ମିଳିଲେ ବି କୌଣସିମତେ ଘରକୁ ଫେରିବା ପାଇଁ ଏହି ଦମ୍ପତି ଆକୁଳ ନିବେଦନ କରିଛନ୍ତି।

ସୂଚନା ଅନୁସାରେ, ଶାଳିନୀ ବେକ୍‌ ରାଉରକେଲା ସରକାରୀ ହସ୍ପିଟାଲ୍‌ (ଆର‌୍‌ଜିଏଚ୍)ରେ ଚିକିତ୍ସାଧୀନ ଥିଲେ। ତାଙ୍କୁ ଜିଭ କର୍କଟ (ଟଙ୍ଗ୍‌ କ୍ୟାନସର୍) ହୋଇଥିବା ଚିହ୍ନଟ ହେବାପରେ ଆର‌୍‌ଜିଏଚ୍‌ ଡାକ୍ତର ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ମେଡିକାଲ୍‌ ସ୍ଥିତ କ୍ୟାନ୍ସର ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ। ଅପ୍ରେଲ୍‌ ୮ ତାରିଖ ଦିନ ରାଉରକେଲା ସରକାରୀ ହସ୍ପିଟାଲ୍‌ରୁ ଏକ ଆମ୍ବୁଲାନ୍ସ ତାଙ୍କୁ ନେଇ କଟକ ଯାଇଥିଲା। ରାତି ୯ଟାରେ ଆମ୍ବୁଲାନ୍ସ ଶାଳିନୀ ଓ ତାଙ୍କ ୮୦ ବର୍ଷୀୟ ସ୍ବାମୀଙ୍କୁ କଟକ ବଡ଼ମେଡିକାଲ୍‌ ଗେଟ୍‌ ପାଖରେ ଛାଡ଼ି ଚାଲିଆସିଥିଲା।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଯାଇଥିବା ଏହି ବୃଦ୍ଧ ଦମ୍ପତି କଟକ ବଡମେଡିକାଲର ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ କିଛି ଜାଣି ନଥିଲେ। ୮ ଓ ୯ ତାରିଖ ଦିନ କ୍ୟାନ୍ସର ହସ୍ପିଟାଲ୍‌ରେ ଆଡମିସନ ନେବା ପାଇଁ ବୃଦ୍ଧ ଦମ୍ପତି ବହୁ ଉଦ୍ୟମ କରିଥିଲେ। କିନ୍ତୁ ସେଠାରେ କୁଆଡ଼େ ‘କ୍ୟାନ୍ସର ହୋଇଛି ବୋଲି କଣ ପ୍ରମାଣ ଅଛି? ରକ୍ତ ପରୀକ୍ଷା ରିପୋର୍ଟ ଆସିଲେ ହିଁ ତୁମକୁ ଆଡମିସନ୍‌ ଦିଆଯିବ’ କହି ତାଙ୍କୁ ଫେରାଇ ଦିଆଯାଇଥିଲା। ହସ୍ପିଟାଲ୍‌ରେ ରକ୍ତ ପରୀକ୍ଷା ପାଇଁ ଶାଳିନୀ ରକ୍ତ ଦେଇଥିଲେ। ମାସକ ପରେ ରିପୋର୍ଟ ମିଳିବ ବୋଲି ତାଙ୍କୁ କୁହାଯାଇଥିଲା। ଆଡମିସନ୍ ନ ହେବାରୁ ବୃଦ୍ଧ ଦମ୍ପତି ଘରକୁ ଫେରିଆସିବାକୁ ଚାହିଁଥିଲେ। କିନ୍ତୁ ଆମ୍ବୁଲାନ୍ସ ତାଙ୍କୁ ଛାଡ଼ି ଚାଲିଯାଇଥିବାବେଳେ ଲକ୍‌ଡାଉନ୍‌ ପାଇଁ ଗାଡ଼ିମଟର ବନ୍ଦ ଥିବାରୁ ସେମାନେ ମେଡିକାଲ୍‌ ଭିତରେ ଅଟକି ଯାଇଛନ୍ତି। ରହିବା ପାଇଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଉଭୟେ ସର୍ଜରୀ ଵାର୍ଡ ଆଗ ଫୁଟ୍‌ପାଥରେ ଶୋଉଛନ୍ତି।

ସବୁଠୁ ଅଧିକ ଦୁଃଖର କଥା ହେଲା ଜିଭ୍‌ କର୍କଟ ରୋଗ ପାଇଁ ଶାଳିନୀ ସାଧାରଣ ଖାଦ୍ୟ ଖାଇ ପାରୁନାହାନ୍ତି। ବଜାରରେ କ୍ଷୀର ମିଳୁନଥିବାରୁ ସେ ତିନିଦିନ ହେଲା କେବଳ ପାଣି ପିଇ ବ˚ଚିରହିଛି। କୌଣସି ବଦାନ୍ୟ ବ୍ୟକ୍ତି ଖାଇବାକୁ ଦେଲେ ସ୍ବାମୀଙ୍କ ପେଟରେ ଦାନା ପଡୁଛି, ନହେଲେ ସେ ବି ଭୋକଉପାସରେ ରହୁଛନ୍ତି। ଅଳ୍ପ ଜମିରୁ ଯାହା ମିଳେ ତାହା ଏ ଦମ୍ପତିଙ୍କର ରୋଜଗାର। ବେସରକାରୀ ଆମ୍ବୁଲାନ୍ସ ଧରି ଘରକୁ ଫେରିବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ। ଏଭଳି ସ୍ଥିତିରେ ଲକ୍‌ଡାଉନ୍‌ ବେଳେ କଟକ ବଡ଼ମେଡିକାଲ୍‌ରେ ଏହି ଅସହାୟ ବୃଦ୍ଧାଙ୍କୁ ଚିକିତ୍ସା ସୁବିଧା ନଦେଇ ଫେରି ଯିବାଲାଗି କହିବାର ଖବର ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର