ଗାନ୍ଧୀ ଜୟନ୍ତୀରୁ କର୍କଟ ରୋଗୀଙ୍କୁ ଉପଶମ ଚିକିତ୍ସା

କ୍ୟାପିଟାଲ ହସ୍ପିଟାଲ ସମେତ ୭ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେବ ସେବା

ଭୁବନେଶ୍ବର : ଆସନ୍ତା ଗାନ୍ଧୀ ଜୟନ୍ତୀରୁ କର୍କଟ ରୋଗୀମାନଙ୍କୁ ଜିଲ୍ଲାସ୍ତରରେ ଉପଶମ ଚିକିତ୍ସା ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ ୭ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସେବା ଆରମ୍ଭ ହେବ। କେମୋ ଗ୍ରହଣ କରୁଥିବା କର୍କଟ ରୋଗୀମାନଙ୍କୁ ଯନ୍ତ୍ରଣାରୁ ଉପଶମ ଲାଗି ରାଜ୍ୟ ସରକାର ଏହି ସୁବିଧା ଯୋଗାଇ ଦେବେ। ଏହି ରୋଗୀମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଶଯ୍ୟା ସହିତ ଆବଶ୍ୟକ ଔଷଧ ଯୋଗାଇ ଦିଆଯିବ। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସହିତ ବାଲେଶ୍ବର, ବରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନୟାଗଡ଼ ଓ ସୁନ୍ଦରଗଡ଼ରେ ଏହି ଚିକିତ୍ସା ଆରମ୍ଭ ହେବ। ୨୦୨୦/୨୧ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାକୁ ଏହା ସଂପ୍ରସାରିତ କରାଯିବାକୁ ଯୋଜନା ରହିଛି। ଏବେ କ୍ୟାପିଟାଲ ହସ୍ପିଟାଲ ସମେତ ୨୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ରୋଗୀଙ୍କୁ କେମୋ ଚିକିତ୍ସା ଯୋଗାଇ ଦିଆଯାଉଛି। ଖୁବଶୀଘ୍ର କଟକ ସିଟି ହସ୍ପିଟାଲ, ପୁରୀ, ମାଲକାନାଗିରି, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଭିମସାର ବୁର୍ଲା ଓ ବ୍ରହ୍ମପୁର ଏମ୍‌କେସିଜିରେ ଏହା ଆରମ୍ଭ ହେବ। ଏମ୍‌କେସିଜି ଓ ଭିମ୍‌ସାର ବୁର୍ଲାର କର୍କଟ ବିଭାଗରେ ରୋଗୀଙ୍କ ଲାଗି ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା କରାଯିବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବେ। କଟକ ଏସ୍‌ସିବି ମେଡିକାଲର ଛାତି ଓ ଯକ୍ଷ୍ମାରୋଗ ବିଭାଗକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ଚାଲିଥିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହିତ ଡିଏମ୍‌ ପାଠ୍ୟକ୍ରମ ଆରମ୍ଭ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି।

ସେହିପରି ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ‘ମୋ ସରକାର’ ଯୋଜନା ଅନୁସାରେ ସ୍ବାସ୍ଥ୍ୟ ବିଭାଗର ସଚିବଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଧିକାରୀମାନେ ରୋଗୀମାନଙ୍କୁ ସିଧାସଳଖ ଟେଲିଫୋନ୍ କରି ସେମାନଙ୍କ ସୁବିଧା ଓ ସମସ୍ୟା ସଂପର୍କରେ ବୁଝିବେ। ମେଡିକାଲ କଲେଜ ଓ ହସ୍ପିଟାଲଠାରୁ ଆରମ୍ଭ କରି ଜିଲ୍ଲାସ୍ତରରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହିତ ଦୈନନ୍ଦିନ ଆଲୋଚନା କରିବେ। ବାରଙ୍ଗଠାରେ କର୍କଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲାଗି ଟାଟା ଟ୍ରଷ୍ଟ ସହିତ ରାଜ୍ୟ ସରକାର କରିଥିବା ବୁଝାମଣା ଅନୁସାରେ ୨୦୨୦ ସୁଦ୍ଧା ୧୫ଟି କେନ୍ଦ୍ର କାର୍ଯ୍ୟକ୍ଷମ ଲାଗି ବୈଠକରେ ସ୍ଥିର ହୋଇଛି।

ଆଜିର ବୈଠକରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦା, ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଗୁହା ପୁନମ ତାପସ କୁମାରଙ୍କ ସମେତ ସ୍ବତନ୍ତ୍ର ସଚିବ, ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ନିର୍ଦେଶକ, ୩ ମେଡିକାଲ କଲେଜର ଅଧ୍ୟକ୍ଷ, ଅଧୀକ୍ଷକ ଓ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର