କର୍କଟ ରୋଗୀଙ୍କୁ ଅବହେଳା ପ୍ରସଙ୍ଗ : ରୋଗୀମାନେ କାହିଁକି ବାହାରୁ ଔଷଧ କିଣୁଛନ୍ତି ଜଣାଅ

ମାନବାଧିକାର କମିସନଙ୍କ ନିକଟରେ ଦାଖଲ ହେଲା ରିପୋର୍ଟ

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀ ମୁକାବିଲା ସମୟରେ କର୍କଟ ରୋଗୀଙ୍କୁ ଅବହେଳା ପ୍ରସଙ୍ଗରେ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ରିପୋର୍ଟ ଦାଖଲ ହୋଇଛି। କଟକ ଜିଲ୍ଲାର ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକ କମିସନଙ୍କ ନିକଟରେ ୨ଟି ରିପୋର୍ଟ ଦାଖଲ କରିଛନ୍ତି।

ରିପୋର୍ଟରେ କର୍କଟ ରୋଗୀଙ୍କୁ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିବା ଦର୍ଶାଯାଇଛି। ଏପରିକି ରୋଗୀମାନେ ବାରଣ୍ଡାରେ ଶୋଇବା ସହିତ କୋଭିଡ ନମୁନା ପରୀକ୍ଷା କରାଯିବା ପରେ ହିଁ ଚିକିତ୍ସା କରାଯାଉଥିବା ରିପୋର୍ଟରେ କୁହାଯାଇଛି। ତେବେ କେଉଁ ପରିସ୍ଥିତିରେ ରୋଗୀମାନଙ୍କୁ ବାହାରୁ ଔଷଧ କିଣିବାକୁ ପଡ଼ୁଛି ତାହା ସଂପର୍କରେ ଜଣାଇବାକୁ କମିସନ ସ୍ବାସ୍ଥ୍ୟ ବିଭାଗ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦେଶକ କହିଛନ୍ତି।

କରୋନା ସମୟରେ କର୍କଟ ରୋଗୀଙ୍କୁ ଏସ୍‌ସିବି ମେଡିକାଲ କଲେଜ ଓ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ଅବହେଳାର ଶିକାର ହେଉଥିବାକୁ ନେଇ କମିସନ ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ। ତେବେ ଅଭିଯୋଗର ସତ୍ୟାସତ୍ୟ ପଦାକୁ ଆଣିବା ଲାଗି ଆଇନଜୀବୀ ଶ୍ରୀ ପଟ୍ଟନାୟକଙ୍କୁ ଏହାର ଦାୟିତ୍ବ ଦେଇଥିଲେ। ସେ କମିସନଙ୍କୁ କିଛି ଭିଡିଓ କ୍ଲିପିଂ ଓ ଫଟୋଗ୍ରାଫ୍ ସହିତ ରିପୋର୍ଟ ଦାଖଲ କରିଛନ୍ତି। ଏହାସହ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ ଏସ୍‌ସିବି ମେଡିକାଲ କଲେଜ କର୍ତୃପକ୍ଷ ମଧ୍ୟ ସେମାନଙ୍କ ରିପୋର୍ଟ ଦାଖଲ କରିଛନ୍ତି।

କମିସନ କହିଛନ୍ତି ଯେ, ଶ୍ରୀ ପଟ୍ଟନାୟକ ୬ଜଣ ‌ରୋଗୀଙ୍କ ସହିତ ଆଲୋଚନା କରିଥିଲେ। ତହିଁରୁ କିଛି ରୋଗୀଙ୍କୁ ଏସ୍‌ସିବି ମେଡିକାଲ କଲେଜର ‘ନିରାମୟ’ କେନ୍ଦ୍ର ବାରଣ୍ଡାରେ‌ ଶୋଉଛନ୍ତି। ଏପରିକି ରୋଗୀମାନଙ୍କୁ ବାହାରେ ଏମ୍‌ଆରଆଇ କରିବା ପାଇଁ କୁହାଯାଉଥିବା ବେଳେ ବାହାରୁ କର୍କଟ ଔଷଧ କିଣିବାକୁ ପଡ଼ିଛି। ଏସବୁ କ୍ଷେତ୍ରରେ ରୋଗୀଙ୍କ ମାନବାଧିକାର ଉଲ୍ଲଂଘନ ହୋଇଛି। ତେଣୁ କେଉଁ ପରିସ୍ଥିତିରେ ରୋଗୀମାନଙ୍କୁ ବାହାରୁ ଔଷଧ କିଣିବାକୁ ପଡ଼ୁଛି ସେ ସଂପର୍କରେ ଆଚାର୍ଯ୍ୟ ହରିହର କେନ୍ଦ୍ର ଓ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଜଣାଇବା ଆବଶ୍ୟକ ବୋଲି କମିସନ କହିଛନ୍ତି। ସେହିପରି ପଶ୍ଚିମବଙ୍ଗରୁ ମଧ୍ୟ ୧୫ଜଣ ରୋଗୀ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଆସିଥିଲେ ହେଁ ସେମାନଙ୍କୁ କୌଣସି ପ୍ରକାର ଚିକିତ୍ସା କରାଯାଉ ନାହିଁ। ଲକ୍‌ଡାଉନ୍‌ ପାଇଁ ସେମାନେ ନିଜ ରାଜ୍ୟକୁ ଫେରି ପାରୁ ନାହାନ୍ତି। ତେଣୁ କଟକ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରିବା ସହିତ ରୋଗୀମାନଙ୍କୁ କିଭଳି ଉପଯୁକ୍ତ ସେବା ମିଳିପାରିବ ତାହା ସୁନିଶ୍ଚିତ କରିବା ଦରକାର ବୋଲି କମିସନ ନିର୍ଦେଶ ଦେଇଛନ୍ତି। ଆସନ୍ତାମାସ ୧୬ତାରିଖରେ ଏହି ମାମଲାର ପରବର୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର