କରୋନା କାଳରେ କର୍କଟ ରୋଗୀ କଲବଲ

ହସ୍ପିଟାଲରେ ଶଯ୍ୟା ନାହିଁ, ବାହାରେ ଭଡ଼ାଘର ମିଳୁନି, ବର୍ଦ୍ଧିତ ଆମ୍ବୁଲାନ୍ସ ଭଡ଼ା ବି ବାଧୁଛି

ଭୁବନେଶ୍ବର : ମହାମାରୀ କରୋନା ଏବେ ଲୋକଙ୍କୁ କଲବଲ କରୁଛି। କରୋନା ଚିକିତ୍ସା ପାଇଁ ଲୋକ ଯେତିକି ହଇରାଣ ହେଉଛନ୍ତି, ତାହାଠାରୁ ଅଧିକ ସମସ୍ୟା ସୃଷ୍ଟି ହେଉଛି ଅନ୍ୟ ରୋଗର ଚିକିତ୍ସା ପାଇଁ। ବିଶେଷ କରି ବାହାର ଜିଲ୍ଲାରୁ ଭୁବନେଶ୍ବର ଓ କଟକକୁ ଆସୁଥିବା କର୍କଟ ରୋଗୀ ଏବେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଚିକିତ୍ସା ସେବା ପାଇବା ରୋଗୀ ପାଇଁ ଯେତିକି କଷ୍ଟଦାୟକ ହେଉ ନାହିଁ, ହସ୍ପିଟାଲରେ ପହଞ୍ଚିବା ଓ ସେଠାରେ ରହି ଚିକିତ୍ସିତ ହେବା ସମସ୍ୟା ଅଧିକ ଯନ୍ତ୍ରଣାଦା‌ୟକ ହୋଇପଡ଼ୁଛି। ହସ୍ପିଟାଲରେ ଶଯ୍ୟା ଅଭାବ ହେଉଥିବା ବେଳେ ବାହାରେ ଘରଭଡ଼ା ପାଇବାରେ ବହୁ ସମସ୍ୟା ଦେଖାଯାଉଛି। ସେହିଭଳି ବର୍ଦ୍ଧିତ ଆମ୍ବୁଲାନ୍‌ସ ଭଡ଼ା ସବୁକିଛିକୁ ବଳେଇ ପଡ଼ୁଛି। ଫଳରେ ବହୁ ରୋଗୀ ଖର୍ଚ୍ଚାନ୍ତ ହେବା ଭୟରେ ରାଜଧାନୀକୁ ଆସିନପାରି ମୃତ୍ୟୁ ମୁଖରେ ପଡ଼ୁଛନ୍ତି କିମ୍ବା ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ଦିନ କାଟୁଛନ୍ତି।

ମିଳିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ପ୍ରତିବର୍ଷ ହାରାହାରି ପ୍ରାୟ ୫୦ ହଜାର ନୂଆ କର୍କଟ ରୋଗୀ ବାହାରନ୍ତି। ସେଥିରୁ ସର୍ବାଧିକ ରୋଗୀ କଟକ ଆଚାର୍ଯ୍ୟ ହରିହର କର୍କଟ ପ୍ରଯତ୍ନ ପ୍ରତିଷ୍ଠାନକୁ ଯାଇଥାଆନ୍ତି। କିଛି ବର୍ଷ ହେଲା ଭୁବନେଶ୍ବର ଏମ୍‌ସ ଉପରେ ଅଧିକ ରୋଗୀ ନିର୍ଭର କରୁଛନ୍ତି। ଏମ୍‌ସ ତଥ୍ୟ ଅନୁଯାୟୀ, ଗତ ୨ ବର୍ଷ ମଧ୍ୟରେ ଉଭୟ ପୁରୁଣା ଏବଂ ନୂଆ ରୋଗୀଙ୍କୁ ମିଶାଇ ଏଠାରେ ପ୍ରାୟ ୭୫ ହଜାର କର୍କଟ ରୋଗୀଙ୍କୁ ଚିକିତ୍ସା କରାଯାଇଛି। ଏମ୍‌ସକୁ ବାଦ୍ ଦେଲେ ବହୁ ରୋଗୀ ସମ୍‌, କିମ୍‌ସ, ହାଇଟେକ୍‌, ଏଲ୍‌ଭି ପ୍ରସାଦ, ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ, ଆପୋଲୋ, ଆମ୍ରି, ସ୍ପର୍ଶ ଭଳି ଘରୋଇ ହସ୍ପିଟାଲରେ ମଧ୍ୟ ଚିକିତ୍ସିତ ହେଉଛନ୍ତି। ବରଗଡ଼, କଳାହାଣ୍ଡି, ବ୍ରହ୍ମପୁର, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ସମେତ ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ କୃଷକ, ଶ୍ରମଜୀବୀ ଶ୍ରେଣୀର ଗରିବ କର୍କଟ ରୋଗୀ ସ୍ବଳ୍ପ ଚିକିତ୍ସା ଖର୍ଚ୍ଚ ପାଇଁ ଏମ୍‌ସ ଉପରେ ଅଧିକ ନିର୍ଭରଶୀଳ। ଏହି ରୋଗୀମାନେ ରାଜଧାନୀକୁ ଥରେ ଆସିଲେ ଚିକିତ୍ସା, କେମୋଥେରାପି କିମ୍ବା ରେଡିଓଥେରାପି ଆଦି ପାଇଁ ୬ ରୁ୭ ମାସ ପର୍ଯ୍ୟନ୍ତ ରହିବାକୁ ପଡ଼େ। କିନ୍ତୁ ସମସ୍ୟା ହୁଏ ଦୂରଦୁରାନ୍ତରୁ ଆସୁଥିବା ରୋଗୀଙ୍କ ପାଇଁ ରହିବା ବ୍ୟବସ୍ଥା। ଏମ୍‌ସରେ ଶଯ୍ୟା ସଙ୍କଟ ଏକ ସାଧାରଣ କଥା। କେମୋଥେରାପି ଚିକିତ୍ସା ପାଇଁ ବ୍ୟବସ୍ଥା ହୋଇଯାଏ ସିନା, ଶଯ୍ୟା ମିଳେ ନାହିଁ। ତେଣୁ ବାଧ୍ୟ ହୋଇ ରୋଗୀ ହସ୍ପିଟାଲ ପାଖରେ ଘର ଭଡ଼ା ଖୋଜେ।

କିନ୍ତୁ ନିକଟସ୍ଥ ଅଞ୍ଚଳରେ ଘର ଭଡ଼ା ବାବଦରେ ଦୈନିକ ୩୦୦ରୁ ୪୦୦ କିମ୍ବା ମାସିକ ୩ ହଜାରରୁ ଅଧିକ ଟଙ୍କା ପଡ଼େ। ତେଣୁ ଗରିବ ଶ୍ରେଣୀର ରୋଗୀମାନେ ଘର ଭଡ଼ା ବାବଦ ଖର୍ଚ୍ଚ ବହନ କରି ନ ପାରି ଡାକ୍ତରଖାନା ପରିସରରେ ବାହାରେ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହୋଇଥାନ୍ତି। ଏବେ କରୋନା ଦ୍ବିତୀୟ ଲହର ସମୟରେ ଘର ଭଡ଼ା ଆହୁରି ବଢ଼ିଯାଇଛି। ଗତ ମେ’ ଓ ଜୁନ ମାସରେ ସ୍ଥାନୀୟ ଅଞ୍ଚଳରେ ଘର ଭଡ଼ା ଅଚାନକ ଦୁଇରୁ ଅଢେଇ ଗୁଣ ବଢ଼ିଯାଇଛି। ମାଲିକମାନେ ଦୈନିକ ହିସାବରେ ଘରଭଡ଼ା ୬୦୦ ଟଙ୍କା‌ ଓ ମାସିକ ୪ ହଜାରରୁ ୮ ହଜାର ଟଙ୍କାକୁ ବଢ଼ାଇ ଦେଇଛନ୍ତି। ତା’ ସତ୍ତ୍ବେ ବହୁ ମାଲିକ ବାହାର ଲୋକଙ୍କୁ ଘର ଦେବାକୁ ପ୍ରସ୍ତୁତ ନୁହନ୍ତି। କୋଭିଡ୍‌ ଟେଷ୍ଟ ରିପୋର୍ଟ ଦେଖିବା ପରେ ବଡ଼ କଷ୍ଟରେ ଘର ଭଡ଼ା ଦେବାକୁ ରାଜି ହେଉଛନ୍ତି। ଏମ୍‌ସ ନିକଟରେ ହେଉ କିମ୍ବା ଅନ୍ୟ ଘରୋଇ ଡାକ୍ତରଖାନା ନିକଟସ୍ଥ ଲଜ୍‌ଗୁଡ଼ିକରେ ମଧ୍ୟ ଭଡ଼ା ଆହୁରି ଅଧିକ।

ସେହିଭଳି ଏଠାକୁ ଆସିବାକୁ ହେଲେ ସରକାରୀ ଆମ୍ବୁଲାନ୍‌ସ ସେବା ମିଳୁ ନାହିଁ। ତେଣୁ ରୋଗୀମାନେ ଘରୋଇ ଆମ୍ବୁଲାନ୍‌ସ ନେଇ ଆସିବାକୁ ବାଧ୍ୟ ହୋଇଥା’ନ୍ତି। ଏବେ କଳାହାଣ୍ଡି, କୋରାପୁଟ କିମ୍ବା ପଶ୍ଚିମ ଓଡ଼ିଶାରୁ ଭୁବନେଶ୍ବର ଆସିବାକୁ ଚାହୁଁଥିବା କର୍କଟ ରୋଗୀକୁ ଘରୋଇ ଆମ୍ବୁଲାନ୍‌ସ ଭଡ଼ା ୨୦ ହଜାର ଟଙ୍କାରୁ ଅଧିକ ପଡ଼ୁଛି। ଏହା ଚିକିତ୍ସା ଖର୍ଚ୍ଚଠାରୁ ବହୁ ଅଧିକ। ତେଣୁ ପଶ୍ଚିମ କିମ୍ବା ଦକ୍ଷିଣ ଓଡ଼ିଶାରୁ ଭୁବନେଶ୍ବର ଏମ୍‌ସକୁ ଆସୁଥିବା ଅନେକ ରୋଗୀ ଏହି ସବୁ ଖର୍ଚ୍ଚ ବହନ କରି ନପାରି ଅଧାରୁ ଚିକିତ୍ସା ବନ୍ଦ କରି ଦିଅନ୍ତି। ଫଳରେ ଅକାଳରେ ବହୁ ରୋଗୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ବରଗଡ଼ ଜିଲ୍ଲା ଭେଡେନ ବ୍ଲକର ଜଣେ ୬୨ ବର୍ଷୀୟ ଶ୍ରମିକଙ୍କ କ୍ଷେତ୍ରରେ ଏହି ସ୍ଥିତି ଉପୁଜିଥିଲା। ତେଣୁ ସ୍ବେଚ୍ଛାସେବୀ ସଂସ୍ଥା ‘ଉମିଦେଁ’ ପକ୍ଷରୁ ଜନତାଙ୍କ ଅର୍ଥ ସହାୟତାରେ(କ୍ରାଉଡ୍‌ ଫଣ୍ଡିଂ)ରେ କର୍କଟ ରୋଗୀଙ୍କ ରହିବା ପାଇଁ ୧୨ ଶଯ୍ୟା ବିଶିଷ୍ଟ ସେବା ହୋମ୍‌ ଆରମ୍ଭ କରାଗଲା। କିନ୍ତୁ ରୋଗୀ ସଂଖ୍ୟା ଦୃଷ୍ଟିରୁ ଏତିକି ଶଯ୍ୟା ଯଥେଷ୍ଟ ନୁହେଁ। ତେଣୁ ଏହି ସବୁ ଗରିବ କର୍କଟ ରୋଗୀଙ୍କ ରହିବା ପାଇଁ ସରକାରଙ୍କ ପକ୍ଷରୁ କିମ୍ବା ସାଂସଦ, ବିଧାୟକ ପାଣ୍ଠିରୁ ରାଜଧାନୀରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ସାମାଜିକ ସଂଗଠନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର