କଟକ : କଳାହାଣ୍ଡିରୁ ବୁର୍ଲା ତା'ପରେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର.....। ଦୁଇ ଦିନ ହେଲା ବୁଲୁଛନ୍ତି ଦୁଇ ଜଣ କର୍କଟ ଆକ୍ରାନ୍ତ। ଆଚାର୍ଯ୍ୟ ହରିହରରେ ସକାଳୁ ପହଞ୍ଚି ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ଅଲଟ୍ରାସାଉଣ୍ଡ ପାଇଁ ଲେଖିଦେଲେ। ଅଲଟ୍ରାସାଉଣ୍ଡ ପାଇଁ ଗଲାବେଳକୁ ସେଠାରୁ ଉତ୍ତର ଆସିଲା ୫ଦିନ ପରେ ଆସ। ମେଡିକାଲରେ ଭର୍ତ୍ତି କଲେନି। ଏମିତି କଲେ ଯେ, ପରିସର ଭିତରେ ସେମାନେ ସଉପ ଖଣ୍ଡିଏ ପକାଇ ଚିକିତ୍ସା ଅପେକ୍ଷାରେ ପଡ଼ିଥିବାବେଳେ ସେଠାରୁ ମଧ୍ୟ ବାହାର କରିଦେଲେ। ଫଳରେ, ଏବେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ବାହାରେ ସକାଳୁ ଭୋକ ଉପାସରେ ରାସ୍ତାକଡ଼ରେ ପଡ଼ିଛନ୍ତି କଳାହାଣ୍ଡିର ଦୁଇ କର୍କଟ ରୋଗୀ। ଏଭଳି ଦୟନୀୟ ଚିତ୍ର ବାରମ୍ବାର କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଭବାନୀପାଟଣା ବିବିସିପଡାର ହରେକୃଷ୍ଣ ଦୀପ୍(୪୦) ୪ମାସ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହଠାତ୍ ପୁଣି ତାଙ୍କର ଅବସ୍ଥା ଗୁରୁତର ହେବାରୁ ଗତକାଲି ତାଙ୍କ ପରିବାର ଲୋକ ତାଙ୍କୁ କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରୁ ଭିମ୍ସାର୍କୁ ଆଣିଥିଲେ। ସେଠାରେ ଡାକ୍ତର ଚିକିତ୍ସା ହୋଇପାରିବନି କହି କଟକ ଆଚାର୍ଯ୍ୟ ହରିହରକୁ ପଠାଇ ଦେଲେ। ଆଜି ସକାଳୁ ଆମ୍ବୁଲାନ୍ସରେ ରୋଗୀଙ୍କୁ ନେଇ ତାଙ୍କର ୪ଜଣ ସଂପର୍କୀୟ ଆଚାର୍ଯ୍ୟ ହରିହରରେ ପହଞ୍ଚିଥିଲେ। କିନ୍ତୁ ଡାକ୍ତର ରୋଗୀଙ୍କୁ ଦେଖିବା ତ ଦୂରର କଥା କେବଳ ଚିଠା ଖଣ୍ଡିଏ ଲେଖିଦେଲେ। ଅଲଟ୍ରାସାଉଣ୍ଡ କରିବାକୁ କହି ପଠାଇଦେଲେ। ଅଲଟ୍ରାସାଉଣ୍ଡ ପାଇଁ କାଉଣ୍ଟରକୁ ଗଲାବେଳକୁ ଉତ୍ତର ମିଳିଲା, ଏବେ ନୁହେଁ ୫/୬ଦିନ ପରେ ଆସ। ହେଲେ ମେଡିକାଲରେ ଭର୍ତ୍ତି କଲେଣି, ରିପୋର୍ଟ ଆସିବା ପରେ ଭର୍ତ୍ତି କରିବାକୁ କହି ଛାଡିଦେଲେ ରୋଗୀଙ୍କୁ। ଏବେ ରୋଗ ଯନ୍ତ୍ରଣାରେ ରାସ୍ତାକଡ଼ରେ ପଡି ଛଟପଟ ହେଉଛନ୍ତି ହରେକୃଷ୍ଣ। କେବଳ ସେ ନୁହନ୍ତି, କଳାହାଣ୍ଡିର ସୁରେଶ ସୁନାନୀ(୧୯)ଙ୍କର ମଧ୍ୟ ସମାନ ଅବସ୍ଥା। ଆଚାର୍ଯ୍ୟ ହରିହରରେ ଏଭଳି ରିପୋର୍ଟ ଅପେକ୍ଷାରେ ଅନେକ ରୋଗୀ ରାସ୍ତାକଡ଼ରେ ପଡୁଥିବାବେଳେ ଅନେକ ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସା ଆରମ୍ଭ ହେବାବେଳକୁ ସେମାନଙ୍କ ଜୀବନ ଚାଲି ଯାଉଥିବା ଅଭିଯୋଗ ହେଉଛି।
କରୋନା ପାଇଁ ଲକ୍ଡାଉନ୍ ଯେତିକି ଚିନ୍ତା ବଢ଼ାଉଛି, ତା'ଠାରୁ ବଳି ପଡ଼ୁଛି ରୋଗୀଙ୍କ କଷ୍ଟ। ଡାକ୍ତରଖାନାକୁ ଆସିଲେ ମଧ୍ୟ ରୋଗୀଙ୍କୁ ବିଭିନ୍ନ ଆଳ ଦେଖାଇ ଭର୍ତ୍ତି କରାଯାଉନି। ଯାହାଫଳରେ, ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀ ଚିକିତ୍ସା ନ ପାଇ ଏହିଭଳି ରାସ୍ତାକଡ଼ରେ ପଡ଼ୁଥିବା ଦେଖିବାକୁ ମିଳୁଛି।